ବସୁଧା ଫଳକ ଲଗାଇବା ନାଁରେ ଦୁର୍ନୀତି: ଟେଣ୍ତର ନ କରି ୧କୋଟି ୧୦ଲକ୍ଷ ନେଇଗଲେ

ରାଜନଗର : ‘ଆପଣଙ୍କ ଘରକୁ ପାଇପ୍ ପାଣି ସଂଯୋଗ କରାଯାଇଥିବା ଜାଣି ମୁଁ ଖୁସି। ମୁଁ ଆଶା କରୁଛି ଏହା ଆପଣଙ୍କ ପରିବାର ପାଇଁ ବିଶେଷ କରି ଆମର ମାମାନଙ୍କ ପାଇଁ ବହୁତ ଖୁସି ଆଣିଥିବ। ଆପଣଙ୍କ ସେବାରେ-ନବୀନ ପଟ୍ଟନାୟକ। ଏଭଳି ଲେଖାର ଫଳକ ଓଭରହେଡ୍‌ ପାନୀୟ ଜଳ ପ୍ରକଳ୍ପ ଥିବା ସ୍ଥାନରେ ଲଗାଯାଇଛି। ‘ବସୁଧା’ ଯୋଜନାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଏହି ଫଳକଗୁଡ଼ିକ ଲଗାଯାଇଛି। ତେବେ ଏହି ଫଳକ ଲଗାଯିବା ପାଇଁ ଜିଲ୍ଲାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି। ମୁଖ୍ୟମନ୍ତ୍ରୀଙ୍କ ନାଁରେ ମରାଯାଇଥିବା ଏହି ଫଳକ ପାଇଁ ସରକାରୀ ନୀତିନିୟମକୁ ମୋଡ଼ିମକଚି ସରକାରୀ ଟଙ୍କା ଲୁଟି ନିଆଯାଇଛି। ଟେଣ୍ତର୍‌ ନ କରି ୧କୋଟି ୯ଲକ୍ଷ ୨୨ହଜାର ୮୬୦ଟଙ୍କା ଉଠାଇ ନିଆଯାଇଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଜଣାପଡିଛି।

ସୂଚନା ଅଧିକାର ଆଇନରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କେନ୍ଦ୍ରାପଡ଼ାରୁ ମିଳିଥିବା ତଥ୍ୟ ମୁତାବକ, ଜିଲ୍ଲାର ମ୍ୟୁନିସିପାଲିଟି ଓ ପୌରାଞ୍ଚଳକୁ ବାଦ୍‌ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ୍‌ରେ ୫୬୧ଟି ବସୁଧା ଫଳକ ମରାଯାଇଛି। ଏଥିପାଇଁ ୧ କୋଟି ୯ଲକ୍ଷ ୨୨ ହଜାର ୮୬୦ ଟଙ୍କା ବ୍ୟୟ କରାଯାଇଛି। କୋଟିଏରୁ ଅଧିକ ଟଙ୍କା କେବଳ ଫଳକ ଲଗାଇବା ପାଇଁ ବ୍ୟୟ କରାଯାଇଥିଲେ ମଧ୍ୟ ଟେଣ୍ତର୍‌ କରାଯିବା ପରିବର୍ତ୍ତେ ‘ଏଫ୍-୨ ମାଧ୍ୟମରେ ୬ଟି ବିଜ୍ଞାପନ ସଂସ୍ଥାକୁ ଅନୁକମ୍ପା ଦେଖାଇ ଟଙ୍କା ଦିଆଯାଇଛି। ଗାୟତ୍ରୀ ଆସୋସିଏଟ୍‌ସ ସଂସ୍ଥା ନାଁରେ ୯ଟି ‘ଏଫ୍–୨ରେ ୨୯ ଲକ୍ଷ ୮୧ ହଜାର ୯୭୪ ଟଙ୍କା, ଓଡ଼ିଶା ଆଡ୍‌ଭଟାଇଜ୍‌ ସଂସ୍ଥାକୁ ୧୦ଟି ‘ଏଫ୍–୨ରେ ୩୧ ଲକ୍ଷ ୭୪୩ ଟଙ୍କା, ୟୁନାଇଟେଡ୍‌ ଆଡ୍‌ଭଟାଇଜ୍‌ ସଂସ୍ଥାକୁ ୨ଟି ‘ଏଫ୍–୨ରେ ୫ ଲକ୍ଷ ୮୦ ହଜାର ୬୭୮ ଟଙ୍କା, ନିରାକାର ଆର୍ଟସ୍‌କୁ ୫ଟି ‘ଏଫ୍–୨ରେ ୧୫ ଲକ୍ଷ ୪୦ ହଜାର ୮୭୮ ଟଙ୍କା, ହିନ୍ଦୁସ୍ତାନ ଆଡ୍‌ଭଟାଇଜର୍ସ ସଂସ୍ଥାକୁ ୫ଟି ‘ଏଫ୍–୨ରେ ୧୫ ଲକ୍ଷ ୪୩ ହଜାର ୯୫୫ ଟଙ୍କା, ହିନ୍ଦୁସ୍ତାନ ଗ୍ରାଫିକ୍ସକୁ ୩ଟି ‘ଏଫ୍–୨ରେ ୧୧ ଲକ୍ଷ ୭୪ ହଜାର ୬୩୨ ଟଙ୍କା ଦିଆଯାଇଛି। ୪ ଫୁଟ୍‌ରେ ୬ ଫୁଟ ଅର୍ଥାତ୍ ୨୪ ବର୍ଗଫୁଟ ଷ୍ଟେନ୍‌ଲେସ ଷ୍ଟିଲ୍‌ ବସୁଧା ଫଳକ ପିଛା ୨୬ହଜାର ୬ଶହ ଟଙ୍କା ଓ ୩ ଫୁଟରେ ୪ ଫୁଟ ଅର୍ଥାତ୍ ୧୨ ବର୍ଗଫୁଟ ଜିଆଇ ବସୁଧା ଫଳକ ପାଇଁ ପାଖାପାଖି ୧୧ ହଜାର ୨ଶହ ଟଙ୍କାର ବିଲ୍‌ କରାଯାଇଥିବା ସୂଚନା ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଓଭରହେଡ୍‌ ପାନୀୟଜଳ ପ୍ରକଳ୍ପ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଥିବା ଏହି ‘ବସୁଧା’ ଫଳକ ଲଗାଇବା ପାଇଁ କେବଳ ଗ୍ରାମାଞ୍ଚଳରେ ୧ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ କରାଗଲା। ଯଦି ଏହି ବୋର୍ଡର ଆବଶ୍ୟକତା ଥିଲା, ତେବେ ଟେଣ୍ତର୍‌ ନ କରି କାହିଁକି ଗୁପ୍ତ ଟେଣ୍ତର୍‌ ୫ ଲକ୍ଷ ତଳକୁ କରି ସରକାରୀ ଅର୍ଥ ଲୁଟି ନିଆଗଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅଧିକାର ଆଇ‌ନରେ ଏଭଳି ତଥ୍ୟ ମିଳିବା ପରେ ଅଲୋଡ଼ନ ଖେଳି ଯାଇଛି।

ସମ୍ବନ୍ଧିତ ଖବର