ଜଳ ଅମଳ ନାଁରେ ଦୁର୍ନୀତି: ଭାତହାଣ୍ଡିରୁ ଗୋଟିଏ ବଲାଙ୍ଗୀର

ମୁକ୍ତା ଯୋଜନାରେ ମୁକ୍ତ ଲୁଟ ଚାଲିଛି, ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଷଡ଼୍‌ଯନ୍ତ୍ର

ବଲାଙ୍ଗୀର, (ବିଶ୍ୱଜିତ ଦାଶ): ବର୍ଷା ଜଳ ସଂରକ୍ଷଣ ହୋଇପାରୁନି। ନଦୀନାଳରେ ବୋହିଯାଉଛି। ଏଣୁ ଜଳ ସଞ୍ଚିଲେ ଜୀବନ ବଞ୍ଚିବ। ଏଭଳି କିଛି ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା(ମୁକ୍ତା)। ଯୋଜନା ଆଳରେ ଗରିବଗୁରୁବାଙ୍କୁ କାମ ଯୋଗାଇବା ଥିଲା ମୁଖ୍ୟ ଉଦ୍ଦେଶ୍ୟ। ହେଲେ ଏହି ଯୋଜନା ଅଧିକାରୀଙ୍କ ପକେଟ ଗରମ କରୁଛି। ଆଉ ଏହି ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କୁ ପରୋକ୍ଷରେ ବଦନାମ କରିବାକୁ ଏକ ବଡ଼ ଷଡ଼୍‌ଯନ୍ତ୍ର ଚାଲିଛି। କାରଣ ସବୁ ବର୍ଷା ଜଳ ଅମଳ ପ୍ରକଳ୍ପ ବୋର୍ଡରେ ବଡ଼ ବଡ଼ କରି ଲେଖାଯାଉଛି ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା। ହେଲେ ସବୁ ଜଳ ଅମଳ ପ୍ରକଳ୍ପରେ କେମିତି ହରିଲୁଟ ହେଉଛି ତାହା ଜଳଜଳ ହୋଇ ଓଡ଼ିଶାବାସୀ ଏବେ ଦେଖୁଛନ୍ତି। ଭାତହାଣ୍ଡିରୁ ଗୋଟିଏ ଚାପିବା ଭଳି ବଲାଙ୍ଗୀର ପୌରପାଳିକାର ଚିତ୍ର ଦେଖିଲେ ଯେକେହି ବି କହିବ ଏହା ଜଳ ଅମଳ ପ୍ରକଳ୍ପ ନୁହେଁ ବରଂ ଅଧିକାରୀଙ୍କ ଟଙ୍କା ଅମଳ ପ୍ରକଳ୍ପ। କାରଣ ବଲାଙ୍ଗୀରରେ ଗୋଟିଏ ମାସରେ ଦୁଇ କୋଟିରୁ ଅଧିକ ଟଙ୍କା କାମରୁ ବଡ଼ଧରଣର ଦୁର୍ନୀତି ଗନ୍ଧ ବାହାରିଲାଣି। ଜିଲ୍ଲା ପ୍ରଶାସନ ସବୁ ଜାଣି ନିରବଦ୍ରଷ୍ଟା।

ବଲାଙ୍ଗୀର ସହରରେ ମୁକ୍ତା ଯୋଜନାରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ଚାଲିଛି। ଜୁନ ୩୦ ତାରିଖ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ଅଧିକାରୀ। ୨୦୨୨-୨୩ ବର୍ଷରେ ୬୭୪ଟି ପ୍ରକଳ୍ପ ବିଭିନ୍ନ ୱାର୍ଡରେ କରିବାକୁ ଏସ୍‌ଏଚ୍‌ଜି ଓ ଏସ୍‌ଡିଏ (ବସ୍ତି ଉନ୍ନୟନ କମିଟି) ନାଁରେ
କାର୍ଯ୍ୟାଦେଶ ଦିଆଯାଇଛି। ଗୋଟିଏ ଗୋଟିଏ ପ୍ରକଳ୍ପର ଅଟକଳ ୩୦ ହଜାର ଥିବା ବେଳେ ୬୭୪ ପ୍ରକଳ୍ପକୁ ଖର୍ଚ୍ଚ ହେବ ୨କୋଟି ୨ଲକ୍ଷ ୨୦ହଜାର ଟଙ୍କା। ଗତ ମେ’ ୧୫ରୁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ଏଯାଏ ପାଖାପାଖି ୫୦୦ ପ୍ରକଳ୍ପ କାମ ସରିଥିବା ପୌରପାଳିକା ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। କିନ୍ତୁ ଏହି ପ୍ରକଳ୍ପରେ ବ୍ୟାପକ ହରିଲୁଟ ଚର୍ଚ୍ଚା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ନିୟମକାନୁନକୁ ଭୁଲିଯାଇଛନ୍ତି ସରକାରୀ ବାବୁ, ପ୍ରୋଜେକ୍ଟ ମ୍ୟାନେଜର ଓ ଯନ୍ତ୍ରୀଗଣ। ନାଁକୁ କେବଳ ଏସ୍‌ଏଚ୍‌ଜି ଓ ବସ୍ତି ଉନ୍ନୟନ କମିଟି ନାଁରେ କାର୍ଯ୍ୟାଦେଶ ଦିଆଯାଇଛି। ବାସ୍ତବରେ କାମ କରୁଛନ୍ତି କିଛି ଠିକାଦାର।

ନିୟମ ଅନୁସାରେ, ଏହି ପ୍ରକଳ୍ପରେ ୬ଟି ରିଙ୍ଗ ପକାଯାଇ ୧୫ ଫୁଟ ଲମ୍ବ ପ୍ରକଳ୍ପ ହେବ। ଗାତ ଖୋଳି ରିଙ୍ଗ ପକାଇବା ପରେ ପ୍ରଥମେ ୨୦ ଏମ୍‌ଏମ୍‌ ମେଟାଲ, ଦେଢ଼ଫୁଟ ୨୦ ଏମ୍‌ଏମ୍‌ ଚିପ୍ସ, ଆଉ ଦେଢ଼ଫୁଟ ୧୦ ଏମ୍‌ଏମ୍‌ ଚିପ୍ସ, ବାକି ବାଲି ଦିଆଯିବ। ମାଟି ଉପରକୁ ଅଧା ଫୁଟ ରିଙ୍ଗ ରହିବ। ଯେଉଁ ୱାର୍ଡ ପାଇଁ ପ୍ରକଳ୍ପ ଦିଆଯାଇଛି ସେଠାରେ ହିଁ ତାହା ନିର୍ମାଣ ହେବ। ହେଲେ ଏଠି କୌଣସି ବି ନିୟମ କାମ କରୁନି। ରିଙ୍ଗ ତିଆରିରୁ ନେଇ ବାଲି ମେଟାଲ, ଚିପ୍ସ କିଏ ସବୁ ଦେବ ସବୁଥିରେ ଫିକ୍ସିଂ। ଗୋଟିଏ ୱାର୍ଡର କାମ ଆଉ ଏକ ୱାର୍ଡରେ ହେଉଛି। ଏପରିକି ନିଛାଟିଆ ଜାଗା କେହି ଦେଖି ଯେମିତି ନ ଜାଣିପାରିବେ ସେ ଜାଗାରେ ପ୍ରକଳ୍ପ କରାଯାଉଛି। ଗୋଟିଏ ସ୍ଥାନରେ ଦେଖାଯାଇଛି ଯେ ୫ଟି ପ୍ରକଳ୍ପ ପାଖକୁ ପାଖ ନିର୍ମାଣ କରାଯାଉଛି। ଖୋଲାଖୋଲି ସବୁ ହରିଲୁଟ ହେଉଥିଲେ ବି ବିଲ୍‌ ପାସ କରାଯାଉଛି। ବସ୍ତି ଉନ୍ନୟନ କମିଟି ଯାହା ଅଛି ସେମାନେ ବି ଅସଲି କି ନକଲି ତାହା ସନ୍ଦେହ ଘେରକୁ ଆସିଲାଣି।

ଏସବୁ ଦୁର୍ନୀତିର ଅଭିଯୋଗ ଉଠିବା ପରେ ଆମେ ଗ୍ରାଉଣ୍ଡ ଜିରୋରେ ଯାଇ ପ୍ରକଳ୍ପ ବୁଲି ଦେଖିଥିଲୁ। କଦମପଡ଼ାରୁ ବିଷ୍ଣୁମୁଣ୍ଡା ଗାଁକୁ ଯାଇଥିବା ମୁଖ୍ୟ ରାସ୍ତା କଡ଼ ପ୍ରସ୍ତାବିତ ବାଇପାସ ରାସ୍ତା ଆସିବାକୁ ଥିବା ଛକରେ ସାତରୁ ୮ଟି ପରିବାର ରହୁଛନ୍ତି। ସେହି ସବୁ ଘର ପଛକୁ ଚାଷ ଜମି ରହିଛି। କିଛି ସରକାରୀ ଜମି ବି ଅଛି। ନିଛାଟିଆ ସ୍ଥାନ। ସେଭଳି ଏକ ସ୍ଥାନରେ ଲାଗି ଲାଗି ୫ଟି ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ସବୁ କାମ ୱାର୍ଡ ନଂ ୧୩ ବସ୍ତି ଉନ୍ନୟନ କମିଟି କରିଛି। କିନ୍ତୁ ସେହି ଅଂଚଳ ବାସ୍ତବରେ ୱାର୍ଡ ନଂ ୧୭ରେ ଆସୁଛି। ୧୩ ନଂ ୱାର୍ଡରେ କରାଯିବାକୁ ଥିବା କାମ ୱାର୍ଡ ନଂ ୧୭ରେ ବେଆଇନ ଭାବରେ କରାଯାଇଛି। ଏପରିକି ଯେଉଁଠି ତାହା ନିର୍ମାଣ ହୋଇଛି ସେଠି ବର୍ଷା ଜଳ ଅମଳ କେମିତି ହେବ ତାହା ବି ବୁଝାପଡୁନି।

ନିୟମ ଅନୁସାରେ ଯେତେ ଗାତ ଖୋଳି ଯେତେ ରିଙ୍ଗ ପକାଇ କାମ ହେବା କଥା ତାହାବି ହୋଇନାହିଁ। ହେଲେ ସବୁ ପ୍ରକଳ୍ପରେ ବୋର୍ଡ ଲଗାଯାଇ ନିର୍ମାଣ ତାରିଖ ଓ କାର୍ଯ୍ୟ ସଂପୂର୍ଣ୍ଣ ତାରିଖ ମନଇଚ୍ଛା ବସାଯାଇଛି। ସହରରେ ଏହା ଗୋଟିଏ ସ୍ଥାନ ନୁହଁ, ବହୁ ୱାର୍ଡରେ ଏମିତି କରାଯାଇଛି। ଏସ୍‌ଏଚ୍‌ଜି ନାଁରେ କାର୍ଯ୍ୟାଦେଶ ଥିଲେ ବି କାମ କରିଛନ୍ତି କିଛି ଛୋଟ ଠିକାଦାର। ପ୍ରତ୍ୟେକ କାର୍ଯ୍ୟାଦେଶ ପିଛା ଲାଞ୍ଚ କାରବାର ବି ହୋଇଥିବା ଅଭିଯୋଗ ହୁଏ। ଶହ ଶହ ପ୍ରକଳ୍ପରେ ଦେଢ଼ମାସ ଭିତରେ ଲକ୍ଷ ଲକ୍ଷ ଟଙ୍କାର ହେରାଫେରି ହୋଇଥିଲେ ବି ଏଠି ପ୍ରଶାସନ ମୁହଁରେ ତୁଣ୍ଡି ମାରିଛି। ଆଉ ପ୍ରକଳ୍ପକୁ ଯିଏ ଦେଖିଲେ ପ୍ରଶ୍ନ କରି କହୁଛନ୍ତି ଇଏ କଣ ବର୍ଷା ଜଳ ଅମଳ ପ୍ରକଳ୍ପ?

ପ୍ରକୃତରେ ଦେଖିଲେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ନାଁରେ ଓଡ଼ିଶା ସରକାର ବଦନାମ ମୁଣ୍ଡାଇବାରେ ଲାଗିଲେଣି। ସାରା ରାଜ୍ୟରେ ମୁକ୍ତା ଯୋଜନାରେ ଏମିତି ପ୍ରକଳ୍ପ କାମ ହେଉଛି। ହେଲେ ବଲାଙ୍ଗୀର ଭଳି ଅନ୍ୟ ସବୁଠି ଯଦି ହେଉଥାଏ, ତେବେ ଏହା ଏକ ବିଶାଳ ଦୁର୍ନୀତିର ରୂପ ନେବ। କେବଳ ସେତିକି ନୁହେଁ, ଏକ ମହତ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଯୋଜନା ପୌରପାଳିକାର ଠିକାଦାର ପୋଷା ଯୋଜନା ନୁହଁ ତ?

ବଲାଙ୍ଗୀରରେ ଏହି ପ୍ରକଳ୍ପ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କୁ ପଚାରିବାରୁ ପ୍ରୋଗ୍ରାମ ଅଫିସର ସବୁ ଉତ୍ତର ରଖିବେ ବୋଲି କହିଥିଲେ। ଏ ନେଇ ମୁକ୍ତା ଯୋଜନାର ପ୍ରୋଗ୍ରାମ ଅଫିସର ତପନ ମିଶ୍ରଙ୍କୁ ପଚରାଯିବାରୁ କାର୍ଯ୍ୟାଦେଶ ଅନୁସାରେ କାମ ହୋଇନି, ତାହା ନିୟମ ବିରୁଦ୍ଧ ବୋଲି ସେ କହିଥିଲେ। ହେଲେ ଦୁର୍ନୀତି ପ୍ରସଙ୍ଗରେ ସେ ନିରବ ରହିଥିଲେ।

ସମ୍ବନ୍ଧିତ ଖବର