ପଞ୍ଚାୟତିରାଜ ସଂସ୍ଥାରେ ପୁଳାପୁଳା ଦୁର୍ନୀତି

ସତ ଉଗାରିଲା ସ୍ଥାନୀୟ ପାଣ୍ଠି ସମୀକ୍ଷା ନିର୍ଦେଶାଳୟ
ହଜାର ହଜାର କୋଟି ଖର୍ଚ୍ଚ ନ ହୋଇ ପଡ଼ିରହିଛି
ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଭତ୍ତା ଏବଂ ଟିକସ ଅର୍ଥ ବି ହଡ଼ପ

ଭୁବନେଶ୍ୱର : ଯେତିକି ଟଙ୍କା ପଞ୍ଚାୟତକୁ ଯାଉଛି, ସେଥିରୁ ପାଖାପାଖି ଅଧାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ। ବିନିଯୋଗ ପ୍ରମାଣ ପତ୍ର ହାର ସ୍ଥିତି ନ କହିବା ଭଲ। ୧୫ ପ୍ରତିଶତ ବି ଅତିକ୍ରମ କରୁନି। ବାର୍ଦ୍ଧକ୍ୟ ଭତ୍ତା ଅର୍ଥ ହଡ଼ପ ଠାରୁ ଆରମ୍ଭ କରି ବିଜୁ ପକ୍କା ଘର ଯୋଜନା, ଆବାସ ଗୃହ ସବୁଥିରେ ପୁଳା ପୁଳା କେଳେଙ୍କାରୀ। ଆଦାୟ ଅର୍ଥ ଜମା ହେଉନାହିଁ, ଆକାଉଣ୍ଟସ୍ ଖାତା ଓ ବ୍ୟାଙ୍କ ଖାତା ହିସାବ ମେଳ ଖାଉନି। ସରକାରୀ ନିର୍ଦେଶନାମାକୁ ଫାଙ୍କି ଗୋଟିଏ ଗୋଟିଏ କାର୍ଯ୍ୟକ୍ରମରେ ଏକାଧିକ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ଦୀର୍ଘ ବର୍ଷ ତଳୁ ବନ୍ଦ ହୋଇଯାଇଥିବା ଯୋଜନାରେ ବି ଟଙ୍କା ପଡ଼ିରହିବା ଭଳି ଅଦ୍ଭୂତ ଉଦାହରଣ ରହିଛି।

ପଞ୍ଚାୟତିରାଜ ସଂସ୍ଥାଗୁଡିକର ଅଡିଟ୍ କରି ସ୍ଥାନୀୟ ପାଣ୍ଠି ନିର୍ଦେଶାଳୟ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛନ୍ତି।

ପଞ୍ଚାୟତିରାଜ ବିଭାଗର ତୃଣମୂଳସ୍ତରରେ ଦୁର୍ନୀତିର ବିଶାଳ ଚିତ୍ର ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ, ପଞ୍ଚାୟତିରାଜ କ୍ଷେତ୍ରଟି କିଭଳି ଅକାମୀ ହୋଇପଡିଛି, ସେ ସଂକ୍ରାନ୍ତରେ ବି ସାଂଘାତିକ ଚିତ୍ରମାନ ଅଡିଟ୍ ଟିମ୍ ସାମ୍ନାକୁ ଆଣିଛନ୍ତି। ଅଡିଟ୍ ଟିମ୍ ଯେଉଁ ୨୮ଟି ଜିଲ୍ଲା ପରିଷଦ ଅଡିଟ୍ କରିଛନ୍ତି, ସେଥିରେ ଦେଖିଲେ ଯେ ୨୦୧୭-୧୮ ବର୍ଷରେ ୪୩୬ କୋଟି ୮୬ ଲକ୍ଷ ଟଙ୍କା ସେମାନଙ୍କ ପାଖରେ ଉପଲବ୍ଧ ଥିଲା। ସେ ମଧ୍ୟରୁ ୧୬୭ କୋଟି ୨୧ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ଅର୍ଥାତ୍ ମାର୍ଚ୍ଚ ୩୧ ତାରିଖ ବେଳକୁ ୨୬୯ କୋଟି ୬୫ ଟଙ୍କା ଲକ୍ଷ ଟଙ୍କା ଲୋକଙ୍କ କାମରେ ନ ଲାଗି ସରକାରୀ ତହବିଲ୍‌ରେ ପଡ଼ି ରହିଥିଲା।

ପଞ୍ଚାୟତ ସମିତିସ୍ତରରେ ଅପରାଗତା ଓ ଦୁର୍ନୀତିର ଚିତ୍ର ଆହୁରି ଭୀଷଣ ଅବସ୍ଥାରେ ରହିଛି। ଅଡିଟ୍ ଟିମ୍ ୩୦୯ଟି ବ୍ଲକର ସମୀକ୍ଷା କରିଛନ୍ତି। ସେଥିରୁ ଜଣାପଡିଛି ଯେ ୨୦୧୭-୧୮ ବର୍ଷରେ ଏମାନଙ୍କୁ ମୋଟ ୩୬୯୪ କୋଟି ୨୪ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। ପୂର୍ବବର୍ଷ ବିନିଯୋଗ ହୋଇନଥିବା କାରଣରୁ ୨୯୭୭ କୋଟି ୨୭ ଲକ୍ଷ ଟଙ୍କା ପଡ଼ି ରହିଥିଲା। ଅର୍ଥାତ୍ ୨୦୧୭-୧୮ ବର୍ଷରେ ପଞ୍ଚାୟତସମିତି ମାନେ ୬ ହଜାର ୭୫୧ କୋଟି ୫୧ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତେ। କିନ୍ତୁ ବର୍ଷ ଶେଷ ବେଳକୁ ଦେଖାଗଲା ଯେ ମାତ୍ର ୫୭.୩୭% ଅର୍ଥ ଖର୍ଚ୍ଚ ହୋଇଛି। ୨୦୧୮ ମାର୍ଚ୍ଚ ବେଳକୁ ଏହି ପଞ୍ଚାୟତ ସମିତିମାନେ ୧୪ ହଜାର ୫୩୬ କୋଟି ୯୨ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦେଇନାହାନ୍ତି। ୨୦୧୭-୧୮ ବର୍ଷରେ ଯେଉଁ ୩୮୨୭ କୋଟି ୭୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, ସେଥିରୁ ୧୧.୫୫% ଅର୍ଥର ୟୁସି ଦିଆଯାଇଛି।

ପଞ୍ଚାୟତସମିତି ମାନେ ପ୍ରାୟ ୧୦୦ କୋଟି ଟଙ୍କାର ମୂଲ୍ୟଯୁକ୍ତ ଟିକସ, ରାଜଭାଗ, ଶ୍ରମ ଉପକର, ବୃତ୍ତିଗତ ଟିକସ, ଆୟକର ଆଦାୟ କରିଛନ୍ତି; ଅଥଚ ସରକାରୀ ତହବିଲ୍‌ରେ ଜମା କରିନାହାନ୍ତି। ଯେତିକି ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇଛି, ତା ଠାରୁ ଆହୁରି ଅଧିକ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଛନ୍ତି। ୨୮ଟି ବ୍ଲକରେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ମଧୁବାବୁ ପେନସନ୍ ଯୋଜନା ଇତ୍ୟାଦି ବଣ୍ଟନ ଦାୟିତ୍ବରେ ଥିବା କର୍ମଚାରୀମାନେ ଭତ୍ତା ବିତରଣ ପରେ ବଳକା ଟଙ୍କା ନିଜ ପାଖରେ ରଖି ଦେଇଥିଲେ। ଏହାର ପରିମାଣ ଦେଢ କୋଟି ଟଙ୍କାରୁ ଅଧିକ। ୮୫ଟି ବ୍ଲକ କର୍ତ୍ତୃପକ୍ଷ ୫୮୨ଟି ବ୍ୟାଙ୍କ ଆକାଉଣ୍ଟ ମନଇଚ୍ଛା ଖୋଲିବା ସହିତ ୧୦୮ କୋଟି ୬୦ଲକ୍ଷ ଟଙ୍କା ପଞ୍ଚାୟତ ସମିତି ଆକାଉଣ୍ଟ ବାହାରେ ରଖିଥିଲେ। ଏହା ଅର୍ଥ ତୋଷରପାତ ପାଇଁ ବାଟ ଖୋଲିଥିବା ନେଇ ଅଡ଼ିଟ୍ ଟିମ୍ ସନ୍ଦେହ ବ୍ୟକ୍ତ କରିଛନ୍ତି। କେବଳ ସେତିକି ନୁହେଁ, ୨୩୬ଟି ପଞ୍ଚାୟତ ସମିତି ବା ବ୍ଲକ ବ୍ୟାଙ୍କ ଜମାରୁ ଯେଉଁ ୩୨ କୋଟି ୬୫ଲକ୍ଷ ଟଙ୍କାର ସୁଧ ପାଇଛନ୍ତି, ତାକୁ ଆକାଉଣ୍ଟସ୍‌ ଖାତାରେ ସ୍ଥାନ ଦେଇନାହାନ୍ତି।

ସରକାରୀ ଯୋଜନା ଅର୍ଥ ବି ହଡ଼ପ ହୋଇଛି। ଗଜପତି ଜିଲ୍ଲାର ମୋହନା ପଞ୍ଚାୟତ ସମିତିରେ ଗ୍ରାମୀଣ ଆବାସ ଯୋଜନାରେ ୧୯ଲକ୍ଷ ୭୯ ହଜାର ଟଙ୍କା ଗୋଟିଏ ବର୍ଷରେ ଆତ୍ମସାତ୍ ହୋଇଛି। ୨୮୫ଟି ପଞ୍ଚାୟତସମିତିରେ ପ୍ରି. ମାଟ୍ରିକ୍ ସ୍କଲାରସିପ୍, ମଧ୍ୟାହ୍ନ ଭୋଜନ ଯୋଜନା, ଶିକ୍ଷକ ବେତନ ତଥା ସର୍ବଶିକ୍ଷା ଅଭିଯାନ ପରି ଯୋଜନାରେ ୨୧୭ କୋଟି ୮୯ଲକ୍ଷ ଟଙ୍କା ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ବିନିଯୋଗ କରିନଥିଲେ। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା, ଅପରେସନ୍ ବ୍ଲାକ୍ ବୋର୍ଡ, ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି, ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନା କେବେଠାରୁ ବନ୍ଦ ହୋଇସାରିଲାଣି। ହେଲେ ୨୮୬ଟି ପଞ୍ଚାୟତସମିତିରେ ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ମାନେ ଏସବୁ ଯୋଜନାରେ ୨କୋଟି ୮ଲକ୍ଷ ଟଙ୍କାର ସୁଧ ସମେତ ୭୬୮ କୋଟି ୬୩ଲକ୍ଷ ଟଙ୍କାର ପାଣ୍ଠି ଅନୁଦାନ ସଂସ୍ଥାକୁ ଫେରସ୍ତ ନ କରି ନିଜ ପାଖରେ ରଖିଛନ୍ତି।

ପଞ୍ଚାୟତସ୍ତରରେ ସ୍ଥିତି ଆହୁରି ଉତ୍କଟ। ୩୯୮୨ଟି ପଞ୍ଚାୟତ ଅଡିଟ୍ କରିବା ପରେ ଜଣାପଡିଛି ଯେ ସେମାନେ ୧୭୦୭ କୋଟି ୩୦ଲକ୍ଷ ଟଙ୍କାର ଅନୁଦାନ ଅର୍ଥ ୨୦୧୮ ମାର୍ଚ୍ଚ ୩୧ସୁଦ୍ଧା ଖର୍ଚ୍ଚ କରିପାରିନାହାନ୍ତି। ୨୦୧୭-୧୮ରେ ଯେତିକି ଅର୍ଥ ପାଇଛନ୍ତି, ତାର ମାତ୍ର ୫୫.୫୩% ଅର୍ଥ ଖର୍ଚ୍ଚ ହୋଇଛି। ୨୦୧୭-୧୮ର କେବଳ ୨୪୪୦ କୋଟି ୭୩ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦାଖଲ ହେବାକୁ ବାକି ଥିଲା। ୩୮୨୬ଟି ପଞ୍ଚାୟତ ବିନା ବଜେଟ୍‌ରେ ଅର୍ଥ ଖର୍ଚ୍ଚ କରିଛନ୍ତି। ୩୨୮୧ଟି ପଞ୍ଚାୟତ ପାଖରେ ସେମାନଙ୍କ ସଂପତ୍ତିର ଖାତା ନାହିଁ। ୪୩କୋଟି ୨୫ଲକ୍ଷର ଟିକସ ଆଦାୟ କରି ସେମାନେ ଜମା କରିନାହାନ୍ତି। ଓଲଟା ଗୋଟିଏ ଆକାଉଣ୍ଟ ରୁ ଆଉ ଗୋଟିଏ ଆକାଉଣ୍ଟକୁ ଅର୍ଥ ସ୍ଥାନାନ୍ତରଣ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଛନ୍ତି। ୭୪୧ଟି ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବାବଦକୁ ପ୍ରକୃତ ବିତରଣଠାରୁ ଅଧିକ ଦର୍ଶାଇ ପାଖାପାଖି କୋଟିଏ ଟଙ୍କା ହଡ଼ପ କରିନେଇଛନ୍ତି। ୩୧ଲକ୍ଷ ଟଙ୍କାର ବଳକା ଅର୍ଥ ଫେରସ୍ତ କରିନାହାନ୍ତି। ୩୫୦ଟି ପଞ୍ଚାୟତରେ ଦେଖାଗଲା ଯେ ପଞ୍ଚାୟତନିର୍ବାହୀ ଅଧିକାରୀ, ସଂପାଦକ ବା ସରପଞ୍ଚମାନେ ସେମାନଙ୍କ ଅବସର ବା କାର୍ଯ୍ୟ ଅବଧି ସରିବା ପରେ ବି ସରକାରୀ ଟଙ୍କା ଫେରାଇନାହାନ୍ତି।

ସମ୍ବନ୍ଧିତ ଖବର