କୋଭିଡ୍ ସମୟରେ ସାମଗ୍ରୀ କିଣାରେ ଦୁର୍ନୀତି, ଭିଜିଲାନସ୍ର ଦ୍ୱାରସ୍ଥ ହେଲା ଯୁବମୋର୍ଚ୍ଚା
ଡିଆର୍ଡିଏର ପିଡିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ
ସମ୍ବଲପୁର : କୋଭିଡ୍ ମହାମାରୀର ପ୍ରସ୍ତୁତି ଓ ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଛି। ଏଥିରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ପ୍ରମୁଖ ଭୂମିକା ରହିଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତାଙ୍କର ଜଣେ ସଂପର୍କୀୟଙ୍କ ଜରିଆରେ ବିଭିନ୍ନ ସାମଗ୍ରୀ ଯୋଗାଇଥିବା ନେଇ ଅଭିଯୋଗ ଆଣିଛି ବିଜେପି ଯୁବମୋର୍ଚ୍ଚା। ଏ ସଂକ୍ରାନ୍ତରେ ଆଜି ବିଧିବଦ୍ଧ ଭାବେ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରାଯାଇଛି। ତେବେ, ଏସବୁ ଅଭିଯୋଗ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀ।
ସମ୍ବଲପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭିଜିଲାନସ୍କୁ ଦିଆଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି, ହୀରାଖଣ୍ଡ ସମବାୟ ସମିତି ମାଧ୍ୟମରେ କୋଭିଡ୍ ଆକ୍ରାନ୍ତଙ୍କୁ କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ ହସ୍ପିଟାଲରେ ଦେବା ପାଇଁ ବହୁ ସାମଗ୍ରୀ କିଣା ହୋଇଥିଲା। ହୀରାଖଣ୍ଡ ସମବାୟ ସମିତି ଏକ ମୃତ ସଂସ୍ଥା। ଏହାର ନାମରେ ଅନ୍ୟମାନେ ସାମଗ୍ରୀ ଯୋଗାଇଥିଲେ। ଏହାର ବୈଧତା ଓ ଜିଏସ୍ଟି ଯାଞ୍ଚ ହେଉ। ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଦେଖାଇ ଜିନିଷ ଅଧିକ ବିଲ୍ ହୋଇଛି। କିନ୍ତୁ, କମ୍ ସାମଗ୍ରୀ କିଣା ହୋଇଛି। ଜିନିଷଗୁଡିକର ମାନ ଅତ୍ୟନ୍ତ ନିମ୍ନମାନର ଥିଲା। ବହୁ ଶଯ୍ୟା ବିଭିନ୍ନ ହଷ୍ଟେଲରୁ ମାଗି ଆଣିଥିଲେ। କିନ୍ତୁ ଏପଟେ ଶଯ୍ୟା ପାଇଁ ବି ବିଲ୍ ହୋଇଥିଲା। ତା’ ପୁଣି ଚଢା ଦରରେ। ୫ ଲକ୍ଷ ନିରାଶ୍ରୟ ଲୋକଙ୍କୁ ଦୁଇ ଓଳି ଖାଦ୍ୟ ଦିଆଯାଇଥିଲା ଓ ପ୍ରତିଦିନ ୫୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆହେଉଥିଲା ବୋଲି ବିଧାନସଭାରେ ଏକ ପ୍ରଶ୍ନର ସରକାରଙ୍କ ପକ୍ଷରୁ ଉତ୍ତର ଦିଆଯାଇଛି। ନିରାଶ୍ରୟ ଲୋକଙ୍କର ୧୦ ଲକ୍ଷ ମିଲ୍ ରାନ୍ଧିବା ପାଇଁ ଗ୍ୟାସ କେଉଁଠୁ ଅଣାଯାଇଥିଲା, ତାହା ଯାଞ୍ଚ କରାଗଲେ ସତ୍ୟ ସାମ୍ନାକୁ ଆସିବ ବୋଲି ଯୁବମୋର୍ଚ୍ଚା ପକ୍ଷରୁ କହାଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ଓ ଖାଦ୍ୟ ବିଲ୍ ଯାଞ୍ଚ କରିଲେ ଲୁଟ୍ କେତେ ହୋଇଛି ଜାଣି ପାରିବେ ବୋଲି ଏହି ଅଭିଯୋଗପତ୍ରରେ ଦର୍ଶାଯାଇଛି।
କୋଭିଡ୍ ପାଇଁ ଯେତେ ନିର୍ମାଣ ହୋଇଛି, ତାହା ବିନା ଟେଣ୍ଡରରେ ଓ ଚଢା ଦରରେ ହୋଇଛି। କୋଭିଡ୍ ମୃତ୍ୟୁ ସଂଖ୍ୟା କେତେ ଦେଖାଉଛନ୍ତି ଓ ଶବଦାହ ଖର୍ଚ୍ଚ କେତେ ଦେଖାଉଛନ୍ତି ତାହାର ବି ଯାଞ୍ଚ କରାଯାଉ। ସୁକାନ୍ତ ତ୍ରିପାଠୀ କୋଭିଡ୍ ନୋଡାଲ ଅଧିକାରୀ ଥିବାରୁ ନିୟମ ବାହାରେ ଯାଇ ଏକାଧିକ ଦୁର୍ନୀତିକୁ ପ୍ରୋତ୍ସାହିତ କରିଥିବାର ଅଭିଯୋଗ ହେଉଥିବାରୁ ସରକାରଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆସୁଛି। ତେଣୁ, ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଯୁବମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ୨୦୧୯ ଡିସେମ୍ବର ମାସରୁ ଏପର୍ଯ୍ୟନ୍ତ କ୍ରୟ କ’ଣ ହୋଇଛି, ନିର୍ମାଣ କ’ଣ ହୋଇଛି, କେବେ ଟେଣ୍ଡର ବାହାରିଥିଲା, କେଉଁ ସମ୍ବାଦପତ୍ରରେ ତାହାର ବିଜ୍ଞାପନ ବାହାରିଥିଲା, କିଏ କିଏ ଆବେଦନ କରିଥିଲେ ଓ ଯିଏ କାମ ପାଇଲେ, ସେ ସାମଗ୍ରୀର ବଜାର ଦର କ’ଣ ଥିଲା, ସେସବୁ ତଦନ୍ତ ପରିସରଭୁକ୍ତ କରିବାକୁ ଯୁବମୋର୍ଚ୍ଚା ପକ୍ଷରୁ ଅନୁରୋଧ କରାଯାଇଛି।
ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଶ୍ୱିନୀ ମାଝୀ, ଜିଲ୍ଲା ଉପସଭାପତି ସୁଦୀପ ପରିଡ଼ା, ଆଇନ ପ୍ରକୋଷ୍ଠ ସଂଯୋଜକ ଦିନେଶ ସାହୁ, ଖେଲୋ ଇଣ୍ଡିଆ ସଂଯୋଜକ କମଲଜିତ ସିଂ ଭିଜିଲାନସ୍ ଏସ୍ପିଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ଦେଇଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଲେ, ଏସବୁ ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ଚାହାନ୍ତି ନାହିଁ। ସେମାନେ ଭିଜିଲାନସ୍ ବିଭାଗରେ ଅଭିଯୋଗ କରିଛନ୍ତି, ଭିଜିଲାନସ୍ ତାହାର ତଦନ୍ତ କରିବ, ସେ ଏବେ ପ୍ରତିକ୍ରିୟା ଦେବେ ନାହିଁ ବୋଲି କହିଛନ୍ତି।