ରାଜ୍ୟ ଔଷଧ ନିଗମ‌ରେ ମାସ୍କ, ପିପିଇ କିଣା ଦୁର୍ନୀତି : ଲୋକାୟୁକ୍ତରେ ହାଜର ହେଲେ ହେମନ୍ତ ଶର୍ମା, ଯାମିନୀ ଷଡ଼ଙ୍ଗୀ

ଭୁବନେଶ୍ୱର : ରାଜ୍ୟ ଔଷଧ ନିଗମ ଦ୍ବାରା କୋଭିଡ୍‌ ପରିଚାଳନା ସମୟରେ କିଣା ଯାଇଥିବା ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ଅଭିଯୋଗର ଆଜି ଲୋକାୟୁକ୍ତଙ୍କ ନିକଟରେ ଶୁଣାଣି ହୋଇଛି। ତତ୍କାଳୀନ କ୍ରୟ କମିଟିର ମୁଖ୍ୟ ହେମନ୍ତ ଶର୍ମା ଓ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ପାଖରେ ହାଜର ହେବା ସହିତ ଲିଖିତ ଉତ୍ତର ରଖିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି ତାହା ବିଭ୍ରାନ୍ତିକର ଓ ସତ୍ୟ ଉପରେ ଆଧାରିତ ନୁହେଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତାମାସ ୪ ତାରିଖରେ ହେବ ବୋଲି ସୂଚନା ମିଳିଛି।

ରାଜ୍ୟ ଔଷଧ ନିଗମ ଦ୍ୱାରା କରୋନା ପାଇଁ କିଣାଯାଇଥିବା ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଦଳ ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାୟର ହୋଇଥିଲା। ଗତମାସ ୧୧ତାରିଖରେ ଲୋକାୟୁକ୍ତ ଦୁଇ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ରଖିବା ଲାଗି ନୋଟିସ୍ ଜାରି କରିଥିଲେ। ମାତ୍ର ସେମାନେ ଲୋକାୟୁକ୍ତରେ ହାଜର ହୋଇ ନ ଥିଲେ କି ଉତ୍ତର ମଧ୍ୟ ରଖି ନ ଥିଲେ। ଲୋକାୟୁକ୍ତ ଏଥିରେ ବିରକ୍ତି ପ୍ରକାଶ କରିବା ସହିତ ‌ଚଳିତମାସ ୧୪ ତାରିଖ ସୁଦ୍ଧା ହାଜର ନ ହେଲେ ଏହାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ଲୋକାୟୁକ୍ତଙ୍କ ଚେତାବନୀ ପରେ ଶ୍ରୀ ଶର୍ମା ଓ ଶ୍ରୀମତୀ ଷଡ଼ଙ୍ଗୀ ଲୋକାୟୁକ୍ତରେ ହାଜର ହେବା ସହିତ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି।

ତେବେ ଏହି ଘଟଣାରେ ଦୁହେଁ ଗଣମାଧ୍ୟମକୁ ମାପିଚୁପି ମନ୍ତବ୍ୟ ଦେଇଛନ୍ତି। ଶ୍ରୀ ଶର୍ମା କହିଛନ୍ତି ଯେ, ଲୋକାୟୁକ୍ତଙ୍କ ପାଖରେ ଯାହା ଆଲୋଚନା ହୋଇଛି ତାହା ଗଣମାଧ୍ୟମରେ ପ୍ରକାଶ କରିହେବ ନାହିଁ। ମାମଲା ଚାଲିଥିବା ବେଳେ ବାହାରେ ଉତ୍ତର ରଖିବା ଲୋକାୟୁକ୍ତଙ୍କ ପ୍ରତି ଅସମ୍ମାନ ହେବ। ଶ୍ରୀମତୀ ଷଡ଼ଙ୍ଗୀ ମଧ୍ୟ କୋର୍ଟର ପ୍ରୋସିଡିଙ୍ଗ ଅନୁଯାୟୀ ଯାହା କହିବା କଥା କହିଛୁ ବୋଲି ମନ୍ତବ୍ୟ ଦେଇଥିଲେ। ତେବେ ଏହି ଘଟଣାରେ କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି ଯେ, ମାର୍ଚ୍ଚରେ ମାସ୍କର ଯୋଗାଣ ଓ ଆବଶ୍ୟକତା ଭିତରେ ବହୁତ ଫରକ ଥିଲା, ଏପରିକି ମାସ୍କ ମଧ୍ୟ ବଜାରରେ ମିଳୁ ନ ଥିଲା। ସେଥିପାଇଁ ଔଷଧ ନିଗମ ୧୬ ଟଙ୍କାରେ ମାସ୍କ କିଣିବାକୁ ବାଧ୍ୟ ହୋଇଥିଲେ। ଏପରିକି ପଶ୍ଚିମବଙ୍ଗ ଓ ଗୁଜରାଟ ୨୦ ଟଙ୍କା ଓ ୨୧ ଟଙ୍କାରେ ମାସ୍କ କିଣିଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମାତ୍ର ଓଡ଼ିଶା ସରକାର ଯେତେବେ‌ଳେ ଟ୍ରିପଲ ଲେୟାର ମାସ୍କକୁ ୧୬ ଟଙ୍କାରେ କିଣିଥିଲେ ସେହି ସମୟରେ ଦିଲ୍ଲୀ, ପୁଡ଼ୁଚେରି, ଆଣ୍ଡାମାନ ନିକୋବର, ଗୁଜରାଟ ପ୍ରଭୃତି ରାଜ୍ୟ ଯଥାକ୍ରମେ ୮.୪୭ ପଇସା , ୭.୮୮ ପଇସା , ୭.୫୦ ପଇସା , ୨.୪୦ ପଇସା ଓ ୧.୩୦ ପଇସାରେ କିଣିଥିଲେ। ଏକଥା ଅଭିଯୋଗକାରୀ ତାଙ୍କର ପିଟିସନରେ ଦର୍ଶାଇଥିଲେ ମଧ୍ୟ ଦୁଇ ଅଧିକାରୀ ଏହାର କୌଣସି ଜବାବ ଦେଇ ନାହାନ୍ତି l ଏହାସହ ପିପିଇ କିଟ୍‌, ଆରଟି-ପିସିଆର ମେସିନ ଓ କିଟ୍‌, ନେବୁଲାଇଜର ଓ ସାନିଟାଇଜର ଇତ୍ୟାଦି କିଣାରେ ଅନିୟମିତତା ସମ୍ପର୍କରେ ଯେଉଁ ଅଭିଯୋଗ ହୋଇଛି ତାହାର ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ମାସ୍କ ଓ ପିପିଇ କିଣାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଗତ ଜୁନ୍ ୫ତାରିଖରେ କ୍ରୟ କମିଟିର ମୁଖ୍ୟ ପଦବିରୁ ହେମନ୍ତ ଶର୍ମାଙ୍କୁ ବିଦା କରି ଦେଇଥିଲେ।

ସମ୍ବନ୍ଧିତ ଖବର