ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ଜଳଜଳ: ବଡ଼ମୁଣ୍ଡ ଯାଏ ପହଞ୍ଚି ପାରିବ କି ତଦନ୍ତ?

ଜେଲ୍ ଗଲେ ଓଏସ୍‌ଏସ୍‌ସିର କୁବେର କର୍ମଚାରୀ ବିରଞ୍ଚି, ୩ କୋଟି ୫୧ ଲକ୍ଷର ଆୟବହିର୍ଭୂତ ସମ୍ପତ୍ତି

ରିମାଣ୍ଡରେ ଆସିବେ ବିରଞ୍ଚି, ସୋମବାର ଆସିବ ବ୍ୟାଙ୍କ ଜମାର ହିସାବ
ବିରଞ୍ଚିଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ: କମିସନ୍‌ର ଅଧ୍ୟକ୍ଷ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ବିପୁଳ ଅର୍ଥ ଓ ଅମାପ ସମ୍ପତ୍ତିର ସନ୍ଧାନ ମିଳିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଅନେକ ଚାକିରି ଆଶାୟୀ ଓ ଶିକ୍ଷିତ ଯୁବପିଢ଼ିଙ୍କ ମଧ୍ୟରେ ବି ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଟଙ୍କାବିଡ଼ା ପାଖରେ ଏକାଧିକ ନିଯୁକ୍ତି ପରୀକ୍ଷାର ଆବେଦନକାରୀଙ୍କ ଆଡମିଟ୍ କାର୍ଡ ମିଳିବା ପରେ ଏହା ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ଏକାଧିକ ନିଯୁକ୍ତି ପରୀକ୍ଷାରେ ବଡ଼ଧରଣର ଦୁର୍ନୀତିରେ ଆଡ଼କୁ ଇଙ୍ଗିତ କରୁଛି। ଆଡମିଟ୍ କାର୍ଡଗୁଡ଼ିକ କାହାର ଏବଂ କେଉଁ କେଉଁ ପରୀକ୍ଷାର ତାହା ଭିଜିଲାନ୍ସ ଗୋପନ ରଖିଥିବା ବେଳେ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତିକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ବିରଞ୍ଚିଙ୍କ ଭଳି ଓଏସ୍‌ଏସ୍‌ସିର ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ‌ଏକାକୀ ଚାକିରି ଆଶାୟୀଙ୍କଠାରୁ ଲାଞ୍ଚ ନେଇ ସେମାନଙ୍କୁ ନିଯୁକ୍ତି ଦେବା ସମ୍ଭବ ହୋଇ ନଥିବାରୁ ଏହି ଦୁର୍ନୀତି ପଛରେ କମିସନର ଏକାଧିକ ବଡ଼ମୁଣ୍ଡ ସାମିଲ ଥିବା ସନ୍ଦେହ କରାଯାଉଛି। ତେଣୁ ଦୁର୍ନୀତିର ଚେର ଖୋଜିବାକୁ ହେଲେ ଭିଜିଲାନ୍ସ ତଦନ୍ତ କେବଳ ବିରଞ୍ଚିଙ୍କ ପାଖରେ ଅଟକି ନ ଯାଇ ସେହିସବୁ ବଡ଼ମୁଣ୍ଡମାନଙ୍କ ନିକଟରେ ପହଞ୍ଚି ପାରିବ କି ନାହିଁ, ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ସେପଟେ ଗତକାଲିଠାରୁ ଅଟକ ଥିବା ବିରଞ୍ଚିଙ୍କୁ ଆଜି ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଧିକ ତଦନ୍ତ ଲାଗି ବିରଞ୍ଚିଙ୍କୁ ଭିଜିଲାନ୍ସ ରିମାଣ୍ଡରେ ଆଣିବ ଏବଂ ଏ ନେଇ ସୋମବାର ଆବେଦନ କରାଯିବ ବୋଲି ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିରଞ୍ଚିଙ୍କ ଏହି ରାକେଟ୍‌ ବା ନେଟୱର୍କର ଚେର କୁଆଡ଼େ ବେଶ୍ ଗଭୀର ଯାଏ ଲମ୍ବିଛି। ଦେଢ଼ ମାସ ତଳୁ ଚାକିରି ଆବେଦନକାରୀଙ୍କଠାରୁ ବିରଞ୍ଚି ଟଙ୍କା ନେଉଥିବା ଅଭିଯୋଗ ଭିଜିଲାନ୍ସ ପାଖରେ ପହଞ୍ଚିଥିଲା। ବିରଞ୍ଚିକୁ ଲାଞ୍ଚ ନେଲାବେଳେ ଧରିବା ଲାଗି ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ଜାଲ ବିଛାଇଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା। କାରଣ ଲାଞ୍ଚ କାରବାର ଲାଗି ବିରଞ୍ଚି ନିଜର ଏକ ସ୍ବତନ୍ତ୍ର ନେଟଓ୍ଵର୍କ ତିଆରି କରିଥିଲେ। ସେହି ନେଟଓ୍ଵର୍କରେ ଏକାଧିକ ଲୋକ କାମ କରୁଥିଲେ। ଅତି କମ୍‌ରେ ୫ ଜଣଙ୍କୁ ଅତିକ୍ରମ କଲା ପରେ ଯାଇ ଲାଞ୍ଚ ଟଙ୍କା ବିରଞ୍ଚିଙ୍କ ପାଖରେ ପହଞ୍ଚୁଥିଲା ବୋଲି କୁହାଯାଉଛି। ଭିଜିଲାନ୍ସ ଚଢ଼ଉ ବେଳେ ବିରଞ୍ଚିଙ୍କ ସଢ଼ୁଙ୍କଠାରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଥିବାରୁ ସେ ଏହି ନେଟଓ୍ଵର୍କରେ ରହିଥିବା ମଧ୍ୟ ଭିଜିଲାନ୍ସ ସନ୍ଦେହ କରୁଛି। ଏ କଥା ମଧ୍ୟ ଜଣାପଡ଼ିଛି ଯେ ଦୁଇରୁ ତିନିଦିନ ଭିତରେ ବିରଞ୍ଚିଙ୍କ ପାଖରେ ଲକ୍ଷଲକ୍ଷ ଟଙ୍କା ପହଞ୍ଚିଥିଲା। ସମ୍ଭବତଃ ଆଗକୁ ଥିବା ଏକ ଓଏସ୍‌ଏସ୍‌ସି ପରିଚାଳିତ କୌଣସି ପରୀକ୍ଷାରେ ସଫଳତା ପାଇଁ ସେ ଚାକିରି ଆଶାୟୀମାନଙ୍କଠାରୁ ନିଜ ନେଟୱର୍କ ଜରିଆରେ ବିପୁଳ ଟଙ୍କା ସଂଗ୍ରହ କରିଥିଲେ। ଏଥିରୁ ୨୫ ଲକ୍ଷ ଟଙ୍କା ସେ ଓ ତାଙ୍କ ସଢ଼ୁଙ୍କ ଠାରୁ ମିଳିଥିବା ବେଳେ ଆହୁରି ବିପୁଳ ପରିମାଣର ଟଙ୍କା ସେ ତାଙ୍କ ବିଭିନ୍ନ ସମ୍ପର୍କୀୟ ଓ ଚିହ୍ନା ପରିଚିତ ଲୋକଙ୍କ ପାଖକୁ ପଠାଇ ଦେଇଥିବା ସନ୍ଦେହ କରି ଖୋଳତାଡ଼ ଜାରି ରଖିଛି ତଦନ୍ତକାରୀ ଟିମ୍।

ବିରଞ୍ଚିଙ୍କ କୁବେର ଭଳି ସମ୍ପତ୍ତି ପଦାକୁ ଆସିବା ପରେ ପୂରା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ସନ୍ଦେହ ଘେରକୁ ଟାଣି ହୋଇ ଆସିଛି। କାରଣ ପ୍ରଶ୍ନ ଉଠୁଛି; ଓଏସ୍‌ଏସ୍‌ସିର ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ହୋଇ ଆବେଦନକାରୀଙ୍କ ମନରେ ଚାକିରି ପାଇଁ ଏତେ ବିଶ୍ବାସ ଜନ୍ମାଇ ପାରୁଥିଲେ କେମିତି? କାହା ଭରସାରେ ଚାକିରି ଆଶାୟୀମାନେ ତାଙ୍କ ହାତକୁ ଲକ୍ଷଲକ୍ଷ ଟଙ୍କା ଟେକି ଦେଉଥିଲେ? ତେଣୁ ଏହି ରାକେଟ୍‌ରେ ନିଶ୍ଚିତ ରୂପେ କିଛି ବଡ଼ବଡ଼ିଆ ରହିଥିବା ସନ୍ଦେହ କରାଯାଉଛି। ବିରଞ୍ଚିଙ୍କ ରାକେଟ୍‌ରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଆବେଦନକାରୀଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଦେଇ ସେ ଏମିତି କେତେ ଟଙ୍କା ଆଦାୟ କରିଛନ୍ତି, ସେମାନଙ୍କ ଭିତରୁ କାହାକୁ ନିଯୁକ୍ତି ମିଳିଛି କି, କେଉଁ କେଉଁ ପରୀକ୍ଷା ପାଇଁ କେତେ ଜଣ ଆବେଦନକାରୀଙ୍କ ସହ ଯୋଗାଯୋଗରେ ରହିଥିଲେ, ଭିଜିଲାନ୍ସ ଏସବୁର ଖୋଳତାଡ଼ କଲେ ପରଦା ପଛରେ ଥିବା ଖଳନାୟକମାନଙ୍କ ନାଁ ପଦାକୁ ଆସିପାରନ୍ତା ବୋଲି କୁହାଯାଉଛି। ଭିଜିଲାନ୍ସ ମଧ୍ୟ ଏସବୁ ଦିଗରେ ତଦନ୍ତ ଜାରି ରଖିଥିବା କହିଛି। ଯେହେତୁ ଆଡମିଟ୍ କାର୍ଡ ମିଳିଛି; ଏହି ଅର୍ଥ ଆବେଦନକାରୀଙ୍କଠାରୁ ଆସିଥିବା ସନ୍ଦେହ କରାଯାଇ ଖୋଳତାଡ଼ ଜାରି ରହିଛି।

ଅନ୍ୟପକ୍ଷରେ ବିରଞ୍ଚିଙ୍କର ଏତେ ବିପୁଳ ପରିମାଣର ସମ୍ପତ୍ତି ଦେଖି ଷ୍ଟାଫ୍ ସିଲେକ୍ସନ୍ କମିସନ୍ ଅଧ୍ୟକ୍ଷ ନିର୍ମଳ ମିଶ୍ର ଆଜି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ପରୀକ୍ଷାର୍ଥୀଙ୍କ ପାଖକୁ ଆଡମିଟ୍ କାର୍ଡ ଅନ୍‌ଲାଇନ୍‌ରେ ଯାଉଥିଲେ ମଧ୍ୟ ତାଙ୍କ ପାଖକୁ କେମିତି ଆସିଲା, ତାହାକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି; ପରୀକ୍ଷା ଅନ୍‌ଲାଇନ୍‌ରେ ହେଉଥିବା ବେଳେ ସ୍ବଚ୍ଛତା ରହୁଛି। ଜୁନିଅର ଡାଟା ଏଣ୍ଟ୍ରି ଅପରେଟର ପାଇଁ ହୋଇଥିବା ପରୀକ୍ଷାର ରେଜଲ୍ଟ ପ୍ରଥମ କରୋନା ଲହର ସମୟରେ ବାହାରିଥିଲା। ତେବେ କୋର୍ଟରେ ମାମଲା ଯୋଗୁଁ ତାହା ଅଟକି ରହିଥିଲା। ବିରଞ୍ଚି ଜଣେ ପ୍ରାଇଭେଟ୍ ସେକ୍ରେଟାରି ହୋଇଥିବାରୁ ତାଙ୍କର ମଧ୍ୟ ଏଥିରେ କୌଣସି ସଂପର୍କ ନାହିଁ। ତେବେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରାଯିବ। ଏପରିକି କମିସନ୍‌ଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଥିବାରୁ ଆଭ୍ୟନ୍ତରୀଣ ତଦନ୍ତ କରାଯିବ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

୩ କୋଟି ୫୧ ଲକ୍ଷର ଆୟବହିର୍ଭୂତ ସମ୍ପତ୍ତି
ଶୁକ୍ରବାର ଭିଜିଲାନ୍ସ ଚଢ଼ଉବେଳେ ବିରଞ୍ଚିଙ୍କର ଠାବ ହୋଇଥିବା ମୋଟ୍ ସମ୍ପତ୍ତିର ମୂଲ୍ୟ ୩ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଆଜି ଦିନତମାମ୍ ଆୟବ୍ୟୟର ହିସାବ ପରେ ୩ କୋଟି ୫୧ ଲକ୍ଷ ୫୧ ହଜାର ୯୨୧ ଟଙ୍କାର ସମ୍ପତ୍ତି ଆୟ ବହିର୍ଭୂତ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତେବେ ବ୍ୟାଙ୍କ ଡିପୋଜିଟ୍‌ର ଦୁଇଟି ସ୍ଲିପ୍‌ରୁ ଗୋଟିଏରେ ୫ ଲକ୍ଷ ଟଙ୍କା ଜମା ଓ ଗୋଟିଏ ୪ ଲକ୍ଷ ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ସୋମବାର ବ୍ୟାଙ୍କର ସମ୍ପୂର୍ଣ୍ଣ କାରବାର ତଥ୍ୟ ଭିଜିଲାନ୍ସକୁ ମିଳିଲା ପରେ ସମ୍ପତ୍ତି ପରିମାଣ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର