୧୦୦ କୋଟିର ବହି ବନ୍ଦୋବସ୍ତରେ ଦୁର୍ନୀତି, ବିନା ବିଜ୍ଞାପନରେ ବହି ଯୋଗାଣ

ହାତଗଣତି ପ୍ରକାଶକଙ୍କ ହାତରେ ଟେକିଦେଲେ

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି କରିବା ପାଇଁ ରାଜ୍ୟର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପାଠାଗାର ସ୍ଥାପନ କରି ବହି ଯୋଗାଇ ଦିଆଯାଉଛି। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ୨୦୧୮-୧୯ରେ ୫ ବର୍ଷିୟା ଯୋଜନା ସହ ଏଥିପାଇଁ ୧୦୦ କୋଟି ଟଙ୍କାର ବନ୍ଦୋବସ୍ତ ହୋଇଛି। ଏହି ଆଧାରରେ ରାଜ୍ୟର ୮୩୬୫ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ବହି ଯୋଗାଇ ଦିଆଯାଉଛି। ତେବେ ବିନା ବିଜ୍ଞାପନ ଓ ଟେଣ୍ଡରରେ କିଛି ହାତଗଣତି ପ୍ରକାଶକ ବହି ଯୋଗାଇଛନ୍ତି। ରାଜ୍ୟରେ ପାଖାପାଖି ୨୫୦ ପ୍ରକାଶନ ସଂସ୍ଥା ଥିଲେ ହେଁ ମାତ୍ର ହାତ ଗଣତି ପ୍ରକାଶକଙ୍କର ବହୁ ସଂଖ୍ୟାରେ ବହିକୁ ଚୟନ କରାଯାଇ ସ୍କୁଲ୍‌କୁ କିଣିବା ପାଇଁ ନିର୍ଦେଶ ଦିଆଯାଇଛି। ୨୦୧୮-୧୯ରେ ଏଭଳି ଅସାଧୁ ଉଦ୍ୟମ ଓ ଅଧିକାରୀଙ୍କ ମନମାନି ପାଇଁ ଓଡ଼ିଶାର ବହୁ ପ୍ରକାଶକମାନେ ସ୍ବର ଉତ୍ତୋଳନ କରିଥିଲେ ମଧ୍ୟ ପୁଣି ଦ୍ବିତୀୟ ବର୍ଷ ପୁଣି ଏହାକୁ ଦୋହରାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଫଳରେ, ୧୦୦ କୋଟି ଟଙ୍କାର ବହି ଯୋଗାଣ ବ୍ୟବସ୍ଥାରେ ଦୁର୍ନୀତି ହୋଇଥିବା ବହୁ ପ୍ରକାଶକ ଅଭିଯୋଗ କରିଛନ୍ତି।

୨୦୧୮-୧୯ ବର୍ଷରେ ୮ହଜାରରୁ ଊର୍ଧ୍ବ ବିଦ୍ୟାଳୟକୁ ୧୮କୋଟି ୨୩ଲକ୍ଷ ୬୦ ହଜାର ଟଙ୍କାର ଅନୁଦାନ ଦିଆଯାଇଥିଲା। ସେହିବର୍ଷ ୨୩୩ ଖଣ୍ଡ ବହି ଚୟନ କରାଯାଇ ବିଭିନ୍ନ ସ୍କୁଲ୍‌କୁ ପଠାଯାଇଥିଲା। ସାହିତ୍ୟ ଏକାଡେମି ପୁସ୍ତକ ଚୟନ କରିବାର ଦାୟିତ୍ବ ନେଇଥିବାବ‌େଳେ ମନଇଚ୍ଛା ଜଣେ ଜଣେ ପ୍ରକାଶକଙ୍କର ୫୦ରୁ ଅଧିକ ବହି ଚୟନ କରିଥିଲା। ବିଜ୍ଞାପନ କରା ନ ଯାଇ ଚଞ୍ଚକତା ପୂର୍ବକ ଏକ କମିଟି ମାଧ୍ୟମରେ ବହିଗୁଡ଼ିକ ଚୟନ କରି ମାଧ୍ୟମିକ ଶିକ୍ଷା ନ‌ିର୍ଦେଶାଳୟକୁ ପଠାଯାଇଥିବା ‌ବେଳେ ସେଇ ଆଧାରରେ ବହି କିଣା ଯାଇଥିଲା। ଏନେଇ ପ୍ରକାଶକମାନେ ସ୍ବର ଉଠାଇବା ସହ ଏହାକୁ ବିରୋଧ କରିଥିଲେ। କଥା ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏହା ସତ୍ତ୍ବେ ୨୦୧୯-୨୦ ବର୍ଷରେ ସେଇ ଭୁଲ୍‌କୁ ପୁଣି ଦୋହରା ଯାଇଛି। ଏଥର ସେଇ ସୀମିତ ସଂଖ୍ୟକ ପ୍ରକାଶକଙ୍କର ୧୯୦ଟି ପୁସ୍ତକ ଚୟନ କରାଯାଇ ସ୍କୁଲ୍‌ମାନଙ୍କୁ ସେଇ ବହିଗୁଡ଼ିକର ତାଲିକା ପଠାଯାଇଛି। ବାରମ୍ବାର ଏପରି କରାଯାଉଥିବାରୁ ବହି ଚୟନରେ ସ୍ବଚ୍ଛତାକୁ ନେଇ ସନ୍ଦେହ ଘନୀଭୂତ ହେଉଛି ବୋଲି ପ୍ରକାଶକମାନେ କହିଛନ୍ତି।

ଅନ୍ୟପକ୍ଷରେ, ସରକାର ବହି କ୍ରୟରେ ସ୍ବଚ୍ଛତା ଅବଲମ୍ବନ କରିଥିବା ହାଇକୋର୍ଟରେ ଜଣାଇଥିଲେ ମଧ୍ୟ ସମସ୍ତ ପ୍ରକାର ‘ଯେଉଁ ଚାଉରକୁ ସେହି ଚାଉର’ ଭଳି ହୋଇଯାଇଛି। ପ୍ରଥମେ ୨୦୧୮ ମସିହା ଜାନୁଆରି ୧୬ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍କୁଲ୍‌କୁ ଯୋଗାଇବାକୁ ଥିବା ବହିର ତାଲିକା ପ୍ରସ୍ତୁତ ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କମିଟି ଓଡ଼ିଶା ସାହିତ୍ୟ ଏକାଡେମି ସଚିବଙ୍କୁ ଏହି ତାଲିକାକୁ ତର୍ଜମା କରିବାକୁ କୁହାଯାଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମି ପ୍ରଥମେ ୨୩୩ଟି ବହିର ତାଲିକା ଦେଇଥିଲେ। ପୁଣିଥରେ ସାହିତ୍ୟ ଏକାଡେମି ସଚିବ ୧୯୦ଟି ଓଡ଼ିଆ ବହିର ତାଲିକା ଦେଇଥିଲେ। ଏତେସବୁ ପ୍ରକ୍ରିୟା ଭିତରେ ବହି ମନୋନୟନ ଓ ଯୋଗାଣରେ ବଡ଼ଧରଣର ଦୁର୍ନୀତି ହୋଇଥିବା ପ୍ରକାଶକମାନେ ଅଭିଯୋଗ କରିଛନ୍ତି। ଉତ୍କଳ ପ୍ରକାଶକ ସଂଘର ସମ୍ପାଦକ ପ୍ରଦୀପ୍ତ କୁମାର ବେଉରା କହିଛନ୍ତି, ରାଜ୍ୟରେ ଶତାଧିକ ପ୍ରକାଶକ ଅଛନ୍ତି। ବିଧି ମୁତାବକ ବିଜ୍ଞାପନ ଜରିଆରେ ସମସ୍ତ ପ୍ରକାଶକଙ୍କଠାରୁ ବହିର ତାଲିକା ଆହ୍ବାନ କରାଯିବା ଆବଶ୍ୟକ ଥିଲେ ହେଁ ସମସ୍ତ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦିଆଯାଇଛି। ଏନେଇ ବହୁ ପ୍ରକାଶକ ସ୍ବର ଉତ୍ତୋଳନ କରିବା ପରେ ମଧ୍ୟ କାହା କଥାକୁ କର୍ଣ୍ଣପାତ କରାଯାଉ ନାହିଁ। ଅନ୍ତତଃ ଆସନ୍ତା ୩ ବର୍ଷ ପାଇଁ ସମସ୍ତ ପ୍ରକାଶକଙ୍କୁ ବିଜ୍ଞାପନ ଜରିଆରେ ଆବେଦନ ପାଇଁ ଆହ୍ବାନ କରାଯାଉ। ଯଦି ପୁସ୍ତକ ଚୟନରେ ଅଡ଼ୁଆ ହେଉଛି ତେବେ ବହି ଚୟନ କରାଯିବା ପରିବର୍ତେ ମୁକ୍ତ ବଜାରର ବ୍ୟବସ୍ଥା କରିଦିଆଯାଉ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ନିଜ ସ୍ତରରେ କମିଟି କରି ବହି କିଣିବାର ସୁଯୋଗ ନେଇପାରିବେ। ଏଥିସହ ଗତ ୨ ବର୍ଷରେ ଚୟନ ହୋଇଥିବା ବହି ବାବଦରେ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର