ମୃତ୍ତିକା ଓ ଜଳ ସଂରକ୍ଷଣ ବିଭାଗରେ ଦୁର୍ନୀତି ଜଳଜଳ : ୩୬୦୦ କାଜୁ ଗଛ ଉଭାନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକରେ ପିଛିଲାବେଡାର ବେଲପଶି ଓ ପୁରୁଣାଡିହିରେ ୧୮ ହେକ୍ଟର ଜମିରେ ଲାଗିଥଲା ୩୬ ଶହରୁ ଅଧିକ କାଜୁ ଗଛ। କିନ୍ତୁ ତିନି ବର୍ଷ ତଳେ ଲାଗିଥିବା ଏହି ୩୬ଶହ ଗଛରୁ ଏବେ ୩୬ଟି କାଜୁ ଗଛ ବି ନାହିଁ। କେନ୍ଦୁଝର ମୃତ୍ତିକା ଓ ଜଳ ସଂରକ୍ଷଣ ବିଭାଗ ପକ୍ଷରୁ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ଚାଲିଥିବା ଏହି ବୃକ୍ଷରୋପଣ ଯୋଜନା ସମ୍ପୂର୍ଣ୍ଣ ବିଫଳ ହାଇଯାଇଛି।

କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଳକ ଅନ୍ତର୍ଗତ ପିଛିଲାବେଡା ଗାଁ। ୨୦୧୬-୧୭ ମସିହାରେ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ବେଲପଶିଠାରେ ୮ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିଲା। ପ୍ରତି ହେକ୍ଟର ପିଛା ନିୟମ ଅନୁସାରେ, ୨୦୦ ଗଛ ଲାଗିବା କଥା। ଏହି ଅନୁସାରେ ଏଠାରେ ୮ ହେକ୍ଟର ଜମିରେ ୧୬ଶହ କାଜୁ ଗଛ ଲାଗିଥିଲା। ମାତ୍ର ବିଭାଗୀୟ ଦାୟିତ୍ବ ହୀନତା ପାଇଁ ଏଠାରେ ଏବେ ଗୋଟିଏ ବି କାଜୁ ଗଛ ନାହିଁ। କିନ୍ତୁ ଏହି କାଜୁ ଗଛ ଲଗାଇବା ପାଇଁ ୧୨ଲକ୍ଷ ୫ ହଜାର ୫୨୪ ଟଙ୍କାର ଅର୍ଥ ଖର୍ଚ୍ଚ କରାଯାଇଛି।

Farming India

ମିଳିଥିବା ସୂଚନା ଅନୁସାରେ, ଏହି କାଜୁ ଗଛ ଲଗାଇବା ପାଇଁ ପ୍ରଥମ ବର୍ଷ ୧୫ଲକ୍ଷ ୬ ହଜାର ୪୦୦ ଟଙ୍କା ଖର୍ଚ୍ଚ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ବାସ୍ତବରେ ଖର୍ଚ୍ଚ ‌ହୋଇଥିଲା ୮, ୩୩,୪୭୪ ଟଙ୍କା। ଦ୍ବିତୀୟ ବର୍ଷରେ ୬ ଲକ୍ଷ ୮୦ ହଜାର ଖର୍ଚ୍ଚ ପାଇଁ ସ୍ଥିର ହୋଇଥିବା ବେଳେ ଖର୍ଚ୍ଚ ହୋଇଥିଲା କିନ୍ତୁ ୨,୭୮,୪୨୦ ଟଙ୍କା। ତୃତୀୟ ବର୍ଷରେ ୩ଲକ୍ଷ ୭୦ ହଜାର ୪୦୦ ଟଙ୍କା ଖର୍ଚ୍ଚ ପାଇଁ ଏଷ୍ଟିମେଟ ହୋଇଥିଲେ ବି ଖର୍ଚ୍ଚ ହୋଇଥିଲା ୯୩, ୬୩୦ ଟଙ୍କା। ତେବେ ମୋଟାମୋଟି ଭାବେ ପିଛିଲାବେଡାର ଏହି ବେଲପଶିଠାରେ ମୋଟ ୧୨ଲକ୍ଷ ୫ ହଜାର ୫୨୪ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଗୋଟିଏ ଗଛ ନାହିଁ। ସେହିପରି ପିଛିଲାବେଡାର ପୁରୁଣାଡିହିରେ ବି ସ୍ଥିତି ସମାନ। ଏଠାରେ ୧୦ ହେକ୍ଟର ଜମିରେ କାଜୁ ଗଛ ଲାଗିଥିଲା। ନିୟମ ଅନୁସାରେ ଏହି ୧୦ ହେକ୍ଟର ଜମିରେ ୨୦୦୦ କାଜୁ ଗଛ ଥିବା କଥା। ମାତ୍ର ଏଠାରେ ଗୋଟିଏ ବି ଗଛ ନାହିଁ। ଏହି ପୁରୁଣାଡିହିରେ କାଜୁ ଗଛ ଲଗାଇବା ପାଇଁ ମୋଟ ଖର୍ଚ୍ଚ ହୋଇଛି ୯ଲକ୍ଷ ୮୯ହଜାର ୭୮୦ ଟଙ୍କା। ହିସାବ ଅନୁସାରେ, ଏଠାରେ କାଜୁ ଗଛ ଲଗାଇବା ପାଇଁ ପ୍ରଥମ ବର୍ଷ ୧୮, ୪୪,୨୦୦ ଟଙ୍କା ଖର୍ଚ୍ଚ ପାଇଁ ସ୍ଥିର ହୋଇଥିବା ବେଳେ ଖର୍ଚ୍ଚ ହୋଇଥିଲା ୮,୦୫,୬୦୬ ଟଙ୍କା । ‌ସେହିପରି ଦ୍ବିତୀୟ ବର୍ଷ ୮, ୭୦,୦୦୦ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଖର୍ଚ୍ଚ ହୋଇଥିଲା ୧,୧୫,୬୬୯ ଟଙ୍କା। ତୃତୀୟ ବର୍ଷରେ ମୋଟ ୫,୬୭,୫୦୦ ଟଙ୍କା ଖର୍ଚ୍ଚ ପାଇଁ ସ୍ଥିର ହୋଇଥିବା ବେଳେ ଖର୍ଚ୍ଚ ହୋଇଥିଲା ୬୮,୫୦୫ ଟଙ୍କା। ମୋଟାମୋଟି ଭାବେ ଏହି ପିଛିଲାବେଡାର ପୁରୁଣାଡିହିରେ ମୋଟ ୯,୮୯,୭୮୦ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଗୋଟିଏ ବି ଗଛ ନାହିଁ। ମୋଟାମୋଟି ଭାବେ ପିଛିଲାବେଡାର ବିଲପଶି ଏବଂ ପୁରୁଣାଡିହିଠାରେ ୧୮ ହେକ୍ଟର ଜମିରେ ୩୬ଶହ କାଜୁ ଗଛ ଲାଗିଥିବା ବେଳେ ଏବେ ୩୬ଟି କାଜୁ ଗଛ ବି ନାହିଁ। ଏହି ଦୁଇଟି ସ୍ଥାନରେ କେବଳ ଖାଲି ପଡ଼ିଆ ବ୍ୟତୀତ କେବେ ଏଠାରେ ଗଛଟିଏ ଲାଗିଥିଲା, ତାହା ସନ୍ଦେହ ସୃଷ୍ଟି କରୁଛି।

ଏ ସଂପର୍କରେ ସେହି କାଜୁଗଛ ଜଗିବାକୁ ଦାୟିତ୍ବରେ ଥିବା ଲକ୍ଷ୍ମଣ ମହାନ୍ତଙ୍କୁ ଭେଟିଥିଲୁ। ସେ କହିଥିଲେ, ଏଠାରେ ଗୋଟିଏ ବି ଗଛ ନାହିଁ। ଏଠାରେ କିଛି ଦିନ ପାଇଁ ଆମକୁ ଜଗୁଆଳି ରଖାଯାଇଥିଲା। ମାତ୍ର ଏଠାରେ ବିଭାଗୀୟ ଅଧିକାରୀ ଆମକୁ ଜଗିବାକୁ ଟଙ୍କା ଦେଲେ ନାହିଁ। ଦୁଇ ବର୍ଷ ଜଗିବା ସତ୍ତ୍ବେ ମାତ୍ର ୨୦ ହଜାର ଟଙ୍କା ଦେଇଥିଲେ। ତେଣୁ ଜଗିବା ଛାଡି ଦେଲୁ। ଏବେ ବି ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଆମର ବକେୟା ପ୍ରଦାନ କରାଯାଇନାହିଁ। ଅନ୍ୟ ଜଣେ ଜଗୁଆଳି ଅନାମ ଚରଣ ମହାନ୍ତଙ୍କ ମତାମତ ମଧ୍ୟ ସମାନ। ତାଙ୍କୁ ବର୍ଷାଧିକ କାଳ ଜଗାଇବା କାର୍ଯ୍ୟରେ ଲଗାଯାଇଥିଲେ ବି ତାଙ୍କ ମଜୁରି ଦିଆଯାଇନାହିଁ। ତେବେ ବିଭାଗୀୟ ଅଧିକାରୀଙ୍କ ଅର୍ଥ ବାଟ ମାରଣା ଉଦ୍ଦେଶ୍ୟ ପାଇଁ ଏଠାରେ କାଜୁ ଗଛ ବଞ୍ଚିଲା ନାହିଁ ବୋଲି ସେ ସ୍ପଷ୍ଟ କହିଛନ୍ତି। ଏ ସଂପର୍କରେ ଆମେ ମୃତ୍ତିକା ସଂରକ୍ଷଣ ବିଭାଗର ମତାମତ ମିଳିପାରିନାହିଁ।

ସମ୍ବନ୍ଧିତ ଖବର