ବାରିପଦା: କରୋନା ମହାମାରୀ ସମୟରେ ଲକ୍‌ଡାଉନ୍ ଯୋଗୁଁ ସହରାଞ୍ଚଳରେ ବସବାସ କରୁଥିବା ଗରିବ ଓ ଶ୍ରମିକ ଶ୍ରେଣୀୟ ଲୋକମାନେ ଜୀବନଜୀବିକା ହରାଇଥିଲେ। ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ଲକ୍ଷ୍ୟରେ ୨୦୨୦ ମସିହାରେ ସରକାର ଆରମ୍ଭ କରିଥିଲେ ସହରାଞ୍ଚଳ କର୍ମନିଯୁକ୍ତି କାର୍ଯ୍ୟକ୍ରମ। ତେବେ ସେ ସମୟରେ ସହରାଞ୍ଚରେ ପରିଷଦ ନଥିବାରୁ ସରକାରୀ ଅଧିକାରୀମାନେ ଏହି କାର୍ଯ୍ୟକ୍ରମର ତଦାରଖ କରୁଥିଲେ। ବିରୋଧ କିମ୍ବା ପ୍ରତିବାଦ କରିବାକୁ କେହି ନଥିବାରୁ ମନଇଚ୍ଛା କାମ ହୋଇଛି। କେଉଁଠି କାମ ନ ହୋଇ ବିଲ୍ ଉଠିଛି ତ ଆଉ କେଉଁଠି ନିମ୍ନମାନର କାମ ଯୋଗୁଁ ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ ହୋଇଛି।

Advertisment

ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ପୌରପରିଷଦ ଓ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି। ବାରିପଦା ଓ ରାଇରଙ୍ଗପୁର ପୌରପରିଷଦ ଏବଂ କରଞ୍ଜିଆ ଓ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗରିବ ଓ ଶ୍ରମିକ ଶ୍ରେଣୀୟ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ ୩୨୪ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥି ନିମନ୍ତେ ୧୨ କୋଟି ୨୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନରେ ଏହି କାର୍ଯ୍ୟକ୍ରମ ଚାଲିଥିଲା। କାର୍ଯ୍ୟକ୍ରମରେ ରାସ୍ତା ଓ ଡ୍ରେନ୍‌ ମରାମତି, ବର୍ଷା ଜଳ ଅମଳ ପ୍ରକଳ୍ପ, ପୋଖରୀ ପାର୍କ ନିର୍ମାଣ, ଖେଳପଡ଼ିଆ ଉନ୍ନତୀକରଣ, ବୃକ୍ଷରୋପଣ, କମ୍ୟୁନିଟି କେନ୍ଦ୍ର ନିର୍ମାଣ ଆଦି ହେବାର ଥିଲା। ଅନୁଦାନର ୭୦ ପ୍ରତିଶତ ଶ୍ରମ ବାବଦରେ ଏବଂ ବାକି ୩୦ ପ୍ରତିଶତ ସାମଗ୍ରୀ କ୍ରୟ ବାବଦରେ ଖର୍ଚ୍ଚ କରାଯିବ ବୋଲି ନିୟମ ରହିଥିଲା। ତେବେ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ; ୩୨୪ ପ୍ରକଳ୍ପରୁ ୨୧୯ଟିର କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା। ଟେଣ୍ଡର ବଦଳରେ ବଛାବଛା ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ କାମ ଦିଆଯାଇଥିଲା।

ତେବେ କାଁଭାଁ କାମକୁ ବାଦ୍ ଦେଲେ ଠିକାଦାରମାନେ ସବୁ କାମ କରିଥିଲେ। ସରକାରୀ ବାବୁମାନେ କେବଳ ଦେଖଣାହାରି ସାଜିଥିଲେ। କାମ ନ ଦେଖି ବିଲ୍ କରିବାକୁ ପଛାଇ ନଥିଲେ। ଯାହାଫଳରେ ବିଭିନ୍ନ ସ୍ଥାନରେ ନିମ୍ନମାନର କାମ ହୋଇଛି। ଆଉ କେତେକ ସ୍ଥାନରେ କାମ ନ ହୋଇ ବିଲ୍ ଉଠିଛି। କେତେ ଟଙ୍କାର କାମ ହୋଇଛି, କେତେ ଶ୍ରମ ଦିବସ ସୃଷ୍ଟି ହୋଇଛି ଏବଂ ମଜୁରି ବାବଦକୁ କେତେ ‌‌ପୈଠ କରାଯାଇଛି; ସେନେଇ ତଥ୍ୟ ମିଳିନି। ଉଲ୍ଲେଖ ଥା‌ଉକି ୩୨୪ଟି ପ୍ରକଳ୍ପ ମଧ୍ୟରୁ ୧୧୭ଟି ପ୍ରକଳ୍ପ କାମ ଶେଷ ହୋଇଥିବା ବେଳେ ବାକି ୧୦୨ଟିର କାମ ଚାଲିଛି। ‌ସେହିପରି ୧୦୫ଟି ପ୍ରକଳ୍ପର କାମ ଜମାରୁ ଆରମ୍ଭ ହୋଇ ପାରି ନାହିଁ। ତେବେ ଏନେଇ ଭିଜିଲାନ୍ସ ବିଭାଗ ସହ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ନୂଆ ପରିଷଦ ଗଠନ ହେବା ପରେ ସହରାଞ୍ଚଳ କର୍ମନିଯୁକ୍ତି କାର୍ଯ୍ୟକ୍ରମ ନେଇ ତନାଘନା ଆରମ୍ଭ ହୋଇଛି। ସରକାରୀ ବାବୁମାନେ ଏନେଇ ଆଉ ସେତେଟା ପ୍ରାଧାନ୍ୟ ଦେଉ ନଥିବା କିଛି ଜନପ୍ରତିନିଧି କହିଛନ୍ତି। ‌ଏହି କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ହେଉଛନ୍ତି ପିଡି ଡିଆର୍‌ଡିଏ। ହେଲେ ଏହି ପଦ ୨ ମାସ ହେଲା ଖାଲି ପଡ଼ିଛି। ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଏହାର ଦାୟିତ୍ବରେ ଥିବା ବେଳେ ସେ ସମୟ ଦେଇ ପାରୁ ନାହାନ୍ତି କି କାର୍ଯ୍ୟକ୍ରମରେ ମୁଣ୍ଡ ପୂରାଇବାକୁ ଚାହୁଁ ନାହାନ୍ତି। ସ୍ଥାୟୀ ଅଧିକାରୀ ନଥିବାରୁ ଜିଲ୍ଲାରେ ସହରାଞ୍ଚଳ କର୍ମନିଯୁକ୍ତି କାର୍ଯ୍ୟକ୍ରମ ତଦାରଖ ହୋଇ ପାରୁ ନାହିଁ। ଫଳରେ ସବୁ କାମ ଧିମାରେ ଚାଲିଛି ବୋଲି କୁହାଯାଉଛି। ତେଣୁ ରାଜ୍ୟ ସରକାର ଏନେଇ ଦୃଷ୍ଟି ଦେବାକୁ ଦାବି ହୋଇଛି।