ପାଇଖାନା ନିର୍ମାଣରେ ଦୁର୍ନୀତି: ୨୧ ଜଣଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ପାଇଖାନା ଦୁର୍ନୀତିକୁ ନେଇ ଆଜି ଲୋକାୟୁକ୍ତ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୨୧ ଜଣଙ୍କ ବିରୋଧରେ ତଦନ୍ତ କରି ଆସନ୍ତା ୩ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗୋପ ବ୍ଲକ୍‌ର ଅଣ୍ଢରା ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନା ଅଧୀନସ୍ଥ ପାଇଖାନା ଦୁର୍ନୀତିକୁ ନେଇ ଅଭିଯୋଗ ହୋଇଥିଲା। ସମୁଦାୟ ୭୫୦ ପାଇଖାନା ନିର୍ମାଣ ହୋଇଥିବା ଦର୍ଶାଯାଇ ଏହାର ବିଲ୍ କରାଯାଇଥିଲା। ମାତ୍ର, ଏଥିରେ ଦୁର୍ନୀତି ହୋଇଥିବା ନେଇ ଗୋପ ବ୍ଲକ୍‌ ଦୁର୍ନୀତି ନିବାରଣ ମଞ୍ଚର ଆବାହକ ଗଙ୍ଗାଧର ପାଇକରାୟ ସ୍ଥାନୀୟ ବିଡିଓ ଓ ପୁରୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଏହାଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ସେ ଲୋକାୟୁକ୍ତ ଓ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଇନ୍ସପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ପଞ୍ଚାୟତର ଘରେ ଘରେ ବୁଲି ତଦନ୍ତ କରିଥିଲେ ଏବଂ ଏ ସଂକ୍ରାନ୍ତୀୟ ପ୍ରାଥମିକ ରିପୋର୍ଟ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଥିଲେ। ଏହି ରିପୋର୍ଟରୁ ଜଣାପଡ଼ିଥିଲା ‌ ଯେ ୧୧୯ଟି ପାଇଖାନା ନିର୍ମାଣ ନକରି ବିଲ୍‌ କରାଯାଇଛି। ୩୪ଟି ପାଇଖାନା ନିର୍ମାଣ ଅଧା ରହିଥିବାବେଳେ ସମ୍ପୂର୍ଣ୍ଣ ବିଲ୍‌ କରାଯାଇଛି। ବିଲ୍‌ ବାବଦ ଅର୍ଥକୁ ଦାୟିତ୍ବରେ ଥିବା ଅଧିକାରୀଙ୍କ ସମ୍ପୃକ୍ତ ବ୍ୟକ୍ତିବିଶେଷ ଆତ୍ମସାତ୍‌ କରିଛନ୍ତି। ସମୁଦାୟ ୧୬ଲକ୍ଷ ୩୨ ହଜାର ଟଙ୍କାର ଦୁର୍ନୀତି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।

ଅଭିଯୁକ୍ତ ତାଲିକାରେ ୫ ଜଣ ସରକାରୀ କର୍ମଚାରୀ
୧୦ ଜଣ ହିତାଧିକାରୀ,ଏନ୍‌ଜିଓର ୨ ଜଣ, ଏସ୍‌ଏସ୍‌ଜିର ୪ଜଣ ବି ସାମିଲ୍‌

FactChecker

ଏହି ରିପୋର୍ଟ ଆଧାରରେ ଲୋକାୟୁକ୍ତ ସମସ୍ତ ୨୧ଜଣ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ, ଗୋପ ବ୍ଲକ୍‌ ସତ୍ୟ ନାରାୟଣ ତ୍ରିପାଠୀ, ଗ୍ରାମ୍ୟ ପାନୀୟ ଜଳ ବିଭାଗ,ଭୁବନେଶ୍ବର କନିଷ୍ଠ ଯନ୍ତ୍ରୀ ଗୀତାଞ୍ଜଳି ସାହୁ(ନିଲମ୍ବିତ), ଅଣ୍ଢରା ଇଚ୍ଛାପୁର ପଞ୍ଚାୟତର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ କାଳୁଚରଣ ନାୟକ, କୋଣାର୍କସ୍ଥିତ ଅର୍କକ୍ଷେତ୍ର ବହୁମୁଖୀ ସମବାୟ ସମିତି ( ଏନ୍‌ଜିଓ)ର ସମ୍ପାଦିକା ମୀନର୍ଭା ରାଉତ, ସଭାନେତ୍ରୀ ମଞ୍ଜୁଲତା ବେହେରା. ମା’ ବନଦୁର୍ଗା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସୁଚିତ୍ରା ଦେଇ, ସମ୍ପାଦିକା ରିଲି ଭୋଇ, ମା’ ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ, ଦିହୁଡାର ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ସ୍ବାଇଁ, ସମ୍ପାଦିକା ନିରୁପମା ସ୍ବାଇଁ, ଆର୍‌ଡବ୍ଲ୍ୟୁଏସ୍‌ଏସ୍ , ନିମାପଡ଼ାର ପୂର୍ବତନ ଡାଟା ଏଣ୍ଟ୍ରି ଅପରେଟର୍‌ ଚିନ୍ମୟ ବେହେରା, ରଶ୍ମିରଞ୍ଜନ ପ୍ରଧାନ, ହିତାଧିକାରୀ ଧ୍ରୁବଚରଣ ସ୍ବାଇଁ, ପ୍ରଶାନ୍ତ ଜେନା, କୃଷ୍ଣଚନ୍ଦ୍ର ପ୍ରଧାନ, ଆଶିଷ କୁମାର ଜେନା, ଧ୍ରୁବଚରଣ ସାହୁ, ଆର୍ତ୍ତତ୍ରାଣ ପରିଡ଼ା, ରବିନାରାୟଣ ପରିଡ଼ା, ନିରୁପମା ମହାରଣା, ଊର୍ମିଳା ଓଝା, କାଳୁ ବେହେରାଙ୍କୁ ମାମଲା ସମ୍ପର୍କରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର, ସେମାନଙ୍କ ମଧ୍ୟରୁ କେତେଜଣ ଆଦୌ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇନଥିଲେ। ଅନ୍ୟ କେତେଜଣ ସେମାନଙ୍କ ନାମରେ ଆସିଥିବା ଅଭିଯୋଗ ନେଇ କୌଣସି ପକ୍ଷ ରଖି ନ ଥିବାବେଳେ କନିଷ୍ଠ ଯନ୍ତ୍ରୀ ଶ୍ରୀ ତ୍ରିପାଠୀ, ଅଣ୍ଢରା ଇଚ୍ଛାପୁର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକ ପକ୍ଷ ରଖି ସେମାନେ କୌଣସି ପ୍ରକାର ଦୁର୍ନୀତି କରିନାହାନ୍ତି ବୋଲି ସଫେଇ ଦେଇଥିଲେ।

ମାତ୍ର, ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ ସମସ୍ତ ୨୧ ଜଣ ଜାଲି ଦଲିଲ କରିବା, ଠକାମି, ସରକାରୀ ଅର୍ଥ ତୋଷାରପାତ ଓ ଦୁର୍ନୀତି କରିଥିବା ନେଇ ପ୍ରମାଣ ମିଳିଥିବା ଲୋକାୟୁକ୍ତ ସ୍ପଷ୍ଟ କରିଛନ୍ତି। ଏଥିସହିତ, ଏହାଉପରେ ଉଚ୍ଚସ୍ତରୀୟ ତଦନ୍ତ କରି ୩ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଭୁବନେଶ୍ବର ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍‌ପି ଅକ୍ଷୟ କୁମାର ମିଶ୍ର କହିଛନ୍ତି, ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ମିଳିବା ପରେ ୨୧ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରିବୁ।

ସମ୍ବନ୍ଧିତ ଖବର