ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ବୃକ୍ଷରୋପଣରେ ଦୁର୍ନୀତି : ଭିଜିଲାନ୍ସର ତନାଘନା ଆରମ୍ଭ

କେନ୍ଦୁଝର : ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପକ୍ଷରୁ ଝୁମ୍ପୁରା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ଭିଜିଲାନ୍ସ। ଏ ସଂପର୍କରେ ବାରମ୍ବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ଭିଜିଲାନ୍ସ ଡିଏସ୍‌ପିଙ୍କ ସମେତ ଉଦ୍ୟାନ ବିଭାଗ ଓ ବନ ବିଭାଗ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଗଛ ଲଗା ହୋଇଥିବା ସ୍ଥାନଗୁଡ଼ିକୁ ବୁଲି ଦେଖିଛନ୍ତି।

Farming India

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କାଜୁଗଛ ଲଗାଯାଇଥିଲା। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏସବୁ ସ୍ଥାନରେ ଗୋଟିଏ ବି କାଜୁଗଛ ବଞ୍ଚିନାହିଁ। ଫଳରେ କୋଟି କୋଟି ଟଙ୍କା ପାଣିରେ ପଡ଼ିଛି। ଏନେଇ ‘ସମ୍ବାଦ’ରେ କ୍ରମାଗତ ଭାବେ‌ ଖବର ପ୍ରକାଶ ପାଇବା ପରେ ରାଜ୍ୟସ୍ତରରେ ହଟଚମଟ ସୃଷ୍ଟି ହୋଇଥିଲ। ଆଜି ଭିଜିଲାନ୍ସ ଡିଏସ୍‌ପି ଦେବଦତ୍ତ ସେଠ୍‌ଙ୍କ ନେତୃତ୍ବରେ ଏକ ଟିମ୍‌ ଝୁମ୍ପୁରା ବ୍ଲକ୍‌କୁ ଯାଇ କାଜୁଗଛ ଲଗାଯାଇଥିବା ସ୍ଥାନଗୁଡ଼ିକ ପରିଦର୍ଶନ କରିଥିଲେ। ଗ୍ରାମବାସୀଙ୍କଠାରୁ ଏ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଟିମ୍‌ରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ଉଦ୍ୟାନ କୃଷି ଓ ବନ ବିଭାଗ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ।

ଏହି ଟିମ୍‌ ଦୁଇ ଭାଗରେ ବିଭକ୍ତ ହୋଇ ରସବନ୍ତଳା, ବଡ଼ଡୁମୁରିଆ, ଛେଳିଆନାଳ, ରାଧିକାଦେଈପୁର, କାଉଁରୀକଳା, ପିଛିଲାବେଡ଼ା ଗାଁକୁ ଯାଇଥିବା ଜଣାପଡ଼ିଛି। ଏ ସଂପର୍କରେ ଭିଜିଲାନ୍ସ ଡିଏସ୍‌ପି ଦେବଦତ୍ତ ସେଠ୍‌ଙ୍କୁ ପଚାରରିବାରୁ, ଆଜି ଝୁମ୍ପୁରା ବ୍ଲକ୍‌ରେ କାଜୁଗଛ ଲାଗିଥିବା ଗାଁକୁ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲୁ। ନିର୍ଦ୍ଦିଷ୍ଟ ଅଭିଯେଗା ଆଧାରରେ ତଦନ୍ତ ଚାଲିଥିବା ସେ କହିଥିଲେ। ଉଲ୍ଲେଖଯୋଗ୍ୟ‌, ଝୁମ୍ପୁରା ବ୍ଲକ୍‌ର ରସବନ୍ତଳା ଗାଁରେ ୨୦୧୬-୧୭ ମସିହାରେ ଜୀବନ ଜୀବିକା ସୃଷ୍ଟି ଲକ୍ଷ୍ୟରେ ୭ ହେକ୍ଟର ଜମିରେ କାଜୁଗଛ ଲଗାଯାଇଥିଲା। ଏଥିପାଇଁ ୨୦ ଲକ୍ଷ ୨୮ ହଜାର ୪୧୩ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଉକ୍ତ ପଡ଼ିଆରେ ଗୋଟିଏ ବି କାଜୁଗଛ ନାହିଁ। ‌ପଡ଼ିଆ ସା‌ରା କେବଳ ଘାସ ଭର୍ତ୍ତି ହୋଇଛି। ସେହିପରି ରସବନ୍ତଳା ଗ୍ରାମର ଢିପାସାହି ନିକଟରେ ୮ ହେକ୍ଟର ଜମିରେ ଗଛ ଲଗାଇବା ପାଇଁ ୨୧ଲକ୍ଷ ୬୯ ହଜାର ୩୬୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଠାରେ ବି ଗୋଟିଏ ଗଛ ନାହିଁ। ରସବନ୍ତଳା ଗ୍ରାମର ରାମଚନ୍ଦ୍ରପୁରରେ ମଧ୍ୟ ୮ ହେକ୍ଟର ଜମିରେ କାଜୁଗଛ ଲଗାଇବା ପାଇଁ ୨୨ ଲକ୍ଷ ୭୪ ହଜାର ୫୭୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଠାରେ ହାତଗଣତି କିଛି ଗଛ ବଞ୍ଚିଛି। କେବଳ ସେତିକି ନୁହେଁ, ଅନ୍ୟ ଗ୍ରାମଗୁଡ଼ିକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର