କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ୍‌ କେଳେଙ୍କାରୀ: ପାଣି ପଞ୍ଚାୟତ ଢାଲ, ଠିକାଦାର ମାଲାମାଲ

୨୫ଲକ୍ଷ ଟଙ୍କାର ହାତ ଚିଠା

ଯାଜପୁରରୋଡ: କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ୍‌ରେ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିବାରେ ଲାଗିଛି। ବିନା ସୂଚନା ଫଳକରେ କୋଟି କୋଟି ଟଙ୍କାର କାମ ପରେ ଏବେ ପାଣି ପଞ୍ଚାୟତ ଦୁର୍ନୀତି ସାମ୍‌ନାକୁ ଆସିଛି। କିଭଳି. ପାଣି ପଞ୍ଚାୟତକୁ ଢାଲ କରି ଠିକାଦାର ମାଲାମାଲ୍‌ ହୋଇଛନ୍ତି, ‘ସମ୍ବାଦ’ ଅନୁସନ୍ଧାନ ଟିମ୍‌ ହାତରେ ତାହାର ସାଂଘାତିକ ତଥ୍ୟ ଲାଗିଛି। ୨୦୧୫-୧୬, ୨୦୧୬-୧୭ ଏବଂ ୨୦୧୭-୧୮ ଆର୍ଥିକବର୍ଷରେ କେନ୍ଦ୍ରାପଡ଼ା ଜଳସଂପଦ ଡିଭିଜନ୍‌ର ଡେରାବିଶ ସବ୍‌ଡିଭିଜନ୍‌ ଅନ୍ତର୍ଗତ ଚନ୍ଦନ ନଗର ସେକ୍ସନ ଅଧୀନରେ ଥିବା ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ ଅଞ୍ଚଳରେ ପାଣି ପଞ୍ଚାୟତ ନାମରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି। ଅଭିନବ ଉପାୟରେ ପାଣି ପଞ୍ଚାୟତକୁ ଢାଲ କରି ପଟ୍ଟାମୁଣ୍ଡାଇ କେନାଲରେ ବିଭିନ୍ନ କାର୍ଯ୍ୟ କରାଯାଇଛି। ସବୁ ନିୟମକାନୁନକୁ ମୋଡ଼ି ମକଚି ଦୁଇ ଦୁଇଟି ପାଣି ପଞ୍ଚାୟତ ତା’ର କାର୍ଯ୍ୟଧାରାକୁ ଅନ୍ୟଆଡ଼କୁ ନେଇ ଯାଇଛନ୍ତି। ରାସ୍ତା ସୁଦୃଢ଼ୀକରଣ, କେନାଲ ମରାମତି, କାଠପୋଲ ମରାମତି, ରାସ୍ତା ମରାମତି, ଆପ୍ରୋଚ ରୋଡ୍ ଫିଲିଂ, ଜଙ୍ଗଲ ସଫେଇ, ଘଳିଆ ମରାମତି, ବନ୍ୟା ବେଳେ ସଜାଗ ହେବା, କଲଭର୍ଟ ନିର୍ମାଣ ଆଦି କାର୍ଯ୍ୟ କରାଯାଇଛି। ଏଥିରେ ପ୍ରାୟ ୨୬ ଲକ୍ଷ ଟଙ୍କା ହାତଚିଠାରେ ଖର୍ଚ କରାଯାଇଛି। ପରିସଂଖ୍ୟାନ ଅନୁଯାୟୀ, ଲକ୍ଷ୍ମୀନାରାୟଣ ପାଣି ପଞ୍ଚାୟତ ୨୦୧୫-୧୬ ଆର୍ଥିକ ବର୍ଷରେ ୩ଲକ୍ଷ ୯୧ ହଜାର ୫୮୨ ଟଙ୍କା ଖର୍ଚ କରିଥିବା ବେଳେ ୨୦୧୬-୧୭ ବର୍ଷରେ ୧୦ଲକ୍ଷ ୫୪ହଜାର ୮୫୪ଟଙ୍କା, ୨୦୧୭-୧୮ରେ ୧୦ଲକ୍ଷ ୬ ହଜାର ୯୪୮ଟଙ୍କା ଖର୍ଚ କରିଥିଲା। ସେହିପରି ଦେକୁରି ପାଣି ପଞ୍ଚାୟତ ୨୦୧୫-୧୬ ଆର୍ଥିକ ବର୍ଷରେ ୯୫ହଜାର ୨୮୧ ଟଙ୍କା, ୨୦୧୭-୧୮ରେ ୧ ଲକ୍ଷ ୩ ହଜାର ୧୯୩ ଟଙ୍କା ଖର୍ଚ କରିଛି। ଆଶ୍ଚର୍ଯ୍ୟର କଥା ପାଣି ପଞ୍ଚାୟତର କାର୍ଯ୍ୟଧାରାରୁ ବାହାରି ରାସ୍ତା ମରାତି, ଆପ୍ରୋଚ ରୋଡ଼ ଫିଲିଂ, କାଠପୋଲ ମରାମତି, ବନ୍ୟା ବେଳେ ସଜାଗ ଦୃଷ୍ଟି ଆଦି କାର୍ଯ୍ୟ କରିଛି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଠିକାଦାର ପାଣି ପଞ୍ଚାୟତକୁ ଢ଼ାଲ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରାପଡ଼ା ଡିଭିଜନ, ସବଡ଼ିଭିଜନ, ସେକ୍ସନର କେତେକ ଠିକାଦାର ଏହିପରି ଭାବେ ହରିଲୁଟ କରି ଚାଲିଥିବା ବେଳେ ପାଣି ପଞ୍ଚାୟତକୁ ବି ଛାଡ଼ି ନାହାନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର