ଭୁବନେଶ୍ବର : ୨୦୦୬ ମସିହାରୁ ରାଜ୍ୟ ସରକାର ଜଳସମ୍ପଦ ବିଭାଗକୁ ପ୍ରାଥମିକତା ଦେଇ ଆସୁଛନ୍ତି। ଅତିକମ୍ରେ ପ୍ରତି ଜିଲ୍ଲାର ୩୫ ପ୍ରତିଶତ ଜମିକୁ ଜଳସେଚନ କରିବାକୁ ଟାର୍ଗେଟ୍ ଦିଆଯାଇଛି। ଗତ ୫ ଆର୍ଥିକ ବର୍ଷରେ ୪୨ହଜାର ୩୮୨ କୋଟି ଟଙ୍କା ବଜେଟ୍ରେ ବରାଦ ହୋଇଛି। ହେଲେ ଏହି ଅର୍ଥ ବିନିଯୋଗ ପରେ କେତେ ସୁଫଳ ମିଳିଛି, ତାକୁ ନେଇ ସାଧାରଣରେ ବିତର୍କ ମୁଣ୍ଡ ଟେକିଥିବା ବେଳେ ଆଉ ଗୋଟିଏ ପ୍ରସଙ୍ଗ ଏଥିରେ ଯୋଡ଼ି ହୋଇଯାଇଛି। ତାହା ହେଲା- ଗତ ୯ମାସରେ ଅନେକ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ବାନ୍ଧିଲାଣି। କୋଟିଏ କି ଦୁଇକୋଟି ନୁହେଁ, ପାଖାପାଖି ୧୫ କୋଟି ଟଙ୍କାରୁ ଊର୍ଧ୍ବ ଆୟ ବର୍ହିଭୂତ ସଂପତ୍ତି ଠୁଳ ହେଲାଣି। ଅର୍ଥାତ୍ କେଉଁଠି ନା କେଉଁଠି ଗନ୍ଧ ବାହାରୁଛି ଯେ ବାଡ଼ ଏଠାରେ ଫସଲ ଖାଇବା ସ୍ଥିତିକୁ ଆସିଯାଇଛି। ସରକାର ଟଙ୍କା ଦେଉଛନ୍ତି, ଚାଷୀ ଉପକୃତ ହେଉନାହାନ୍ତି ବୋଲି ଯେଉଁ ଅଭିଯୋଗ ହେଉଛି, ତା ପଛରେ ଗହନ କଥା ହେଉଛି, ବାଟବରଣା ହେଉଛି ଅର୍ଥ। ଗତ ମାସ ଶେଷ ସପ୍ତାହରେ ଦୁଇ ଦିନରେ ଦୁଇ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲାଣି।
ଗତ ମାସରେ ଭିଜିଲାନ୍ସ ଟିମ୍ ଭଦ୍ରକ ସାଳନ୍ଦୀ କେନାଲ୍ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ କୁମାର ସେଠୀଙ୍କ ସରକାରୀ ବାସଭବନରେ ଅଚାନକ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ତାଙ୍କଠାରୁ ୫ଲକ୍ଷ ନଗଦ ଟଙ୍କା ମିଳିଥିଲା। ସେ ଏତେ ଟଙ୍କା କେଉଁଠୁ ଆଣିଲେ? ଏ ଟଙ୍କା କାହାର? ଭିଜିଲାନ୍ସ ଟିମ୍ ଟଙ୍କାର ହିସାବ ମାଗିଥିବା ବେଳେ ଶ୍ରୀମନ୍ତ କୌଣସି ତଥ୍ୟ କି କାଗଜ ଦେଖାଇପାରି ନଥିଲେ। ତାଙ୍କୁ ଗିରଫ ପରେ ଭିଜିଲାନ୍ସ ଟିମ୍ ଭୁବନେଶ୍ବର ସ୍ଥିତ ୟୁନିଟ୍-୮ରେ ଥିବା ଘର, ବାଲେଶ୍ବର ଅଙ୍ଗାରଗାଡ଼ିଆ ଘର ଏବଂ ଚାନ୍ଦିପୁରସ୍ଥିତ ପୈତୃକ ଘରେ ଚଢ଼ଉ କରି ଅନେକ କାଗଜପତ୍ର ସହ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି।
ଏହାର ୨୪ ଘଣ୍ଟା ପୂରିନଥିଲା, ତା' ପରଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଘୁଆ ଜଳସେଚନ ପ୍ରକଳ୍ପର ସହ ସହକାରୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଚଢ଼ାଉ ବେଳେ ଭିଜିଲାନ୍ସ ଟିମ୍ ତାଙ୍କ ସଂପତ୍ତି ଦେଖି ଟେରା ହୋଇଗଲା। ଚଢ଼ଉ ସମୟରେ ତାଙ୍କ ପାଖରୁ ନଗଦ ଏକ ଲକ୍ଷ ୩୮ ହଜାର ଟଙ୍କା ଜବତ ହୋଇଛି। ବ୍ରହ୍ମପୁରରେ ଏକ ତିନିମହଲା କୋଠା, ଦୁଇ ମହଲା କୋଠା, ଦୁଇଟି ପ୍ଲଟ, ୪୦ଲକ୍ଷର ବ୍ୟାଙ୍କ, ପୋଷ୍ଟାଲ ଏବଂ ଇନ୍ସ୍ୟୁରାନ୍ସ ଡିପୋଜିଟ୍, ଦାମୀ କାର(ଜଣେ ଠିକାଦାରଙ୍କ ନାମରେ ରହିଛି), ୩ଟି ବାଇକ୍ ଏବଂ ସୁନାଗହଣା ଠାବ ହୋଇଛି। ଚଢ଼ଉ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ମିଳିଥିବା ସମ୍ପତ୍ତି ୩କୋଟିରୁ ଅଧିକ ହେବ ବୋଲି ଭିଜିଲାନ୍ସ ପ୍ରାରମ୍ଭିକ ଆକଳନ କରିଛି। ତେବେ ବିଷ୍ଣଚରଣ କାହା ଆଶୀର୍ବାଦରେ କୋଟି କୋଟି ଟଙ୍କା ସମ୍ପତ୍ତିରେ ମାଲିକ ହେଲେ? ଯେଉଁ ଠିକାଦାରଙ୍କ ଗାଡ଼ି ଚଢୁଛନ୍ତି, ସେ କିଏ? କେତେ କୋଟି ଟଙ୍କାର ଅନୁଗ୍ରହ ପରିଣାମରେ ତାଙ୍କୁ ଗା଼ଡି ଚଢ଼ିବାକୁ ଦିଆଯାଇଛି? ଏମିତି ଅନେକ ପ୍ରଶ୍ନ ଉପରେ ଭିଜିଲାନ୍ସ ତଥ୍ୟ ସାମ୍ନାକୁ ଆଣିନଥିଲେ ହେଁ ଜଳସଂପଦ ବିଭାଗ ଯେ ଠିକ୍ ଠାକ୍ ଚାଲିନାହିଁ, ଭାତ ହାଣ୍ଡିରୁ ଗୋଟିଏ ଦୁଇଟି ଚିପିବା ଭଳି ଏସବୁ ଘଟଣାରୁ ଜଣାପଡ଼ୁଛି।
ତେବେ ଯେଉଁ ପ୍ରଶ୍ନଟି ବୁଦ୍ଧିଜୀବୀ ମହଲକୁ ବେଶୀ ଆନ୍ଦୋଳିତ କରୁଛି, ତାହା ହେଲା- ଭିଜିଲାନ୍ସ ଯେଉଁ ବ୍ୟକ୍ତିଙ୍କ ଘରେ ଚଢ଼ଉ କରୁଛି, ତାଙ୍କରି ପାଖରେ ହିଁ ଅଟକିଯାଉଛି। କେଉଁ ସୂତ୍ରରୁ ବା କାହାକୁ ଅନୁକମ୍ପା ପ୍ରଦର୍ଶନ କରି ସଂପୃକ୍ତ ଅଧିକାରୀ ଏତେ ବିପୁଳ ଟଙ୍କାର ମାଲିକ ହୋଇପାରୁଛନ୍ତି, ସେ ସଂକ୍ରାନ୍ତରେ ସେମାନେ ଖୋଳତା଼ଡ଼ କରୁନାହାନ୍ତି। ଏପରିକି ଭିଜିଲାନ୍ସ ଚଢଉ ପୂର୍ବରୁ ସଂପୃକ୍ତ ଅଧିକାରୀଙ୍କ ଉପରେ ଥିବା ଅଧିକାରୀମାନେ ଏସବୁ କିଭଳି ଜାଣିପାରୁନଥିଲେ, ଯଦି ଜାଣିଥିଲେ ଏ ସଂପର୍କରେ କାହାକୁ ରିପୋର୍ଟ କରିଥିଲେ, ରିପୋର୍ଟ ଉପରେ କି କାର୍ଯ୍ୟାନୁଷ୍ଠାନ ହୋଇଛି, ସେସବୁ ଗୁମର ଖୋଲିପାରୁନାହିଁ। ଆହୁରି କୌତୂହଳ କଥା ହେଉଛି, ସଂପୃକ୍ତ ଅଧିକାରୀଙ୍କ ଦାୟିତ୍ବରେ ଥିବା ପ୍ରକଳ୍ପ ସଂପର୍କରେ ମଧ୍ୟ ଭିଜିଲାନ୍ସ ଅଧିକାରୀ ତନାଘନା କରୁନାହାନ୍ତି। ରାଜନୈତିକ ମହଲର କହିବା କଥା ହେଉଛି, ଜଳସଂପଦ ବିଭାଗ ପାଇଁ ସରକାର ଯେତେ ପ୍ରକଳ୍ପ ହାତକୁ ନେଇଛନ୍ତି, ସେସବୁର ସିଏଜି ସ୍ବତନ୍ତ୍ର ଅଡ଼ିଟ୍ କରିବା କଥା।
ସ୍ମରଣଥାଉକି, ଗତ ମାର୍ଚ୍ଚ ୧୭ ତାରିଖରେ କଟକ ଡ୍ରେନେଜ୍ ଡିଭିଜନ୍ର ସହକାରୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ତାଙ୍କଠାରୁ ୪ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅବସ୍ଥାବର ସମ୍ପତ୍ତି ଠାବ କରଯାଇଥିଲା। ଗତ ଏପ୍ରିଲ୍ ୭ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗର ସହ ସହକାରୀ ଯନ୍ତ୍ରୀ ମଧ୍ୟ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ। ତାଙ୍କଠାରୁ ୫କୋଟିରୁ ଊର୍ଧ୍ବ ଟଙ୍କାର ସ୍ଥାବର ଅସ୍ଥାବାର ସମ୍ପତ୍ତି ଠାବ କରାଯାଇଥିଲା। କେବଳ ଏତିକି ବ୍ୟକ୍ତି ଯେ ଦୁର୍ନୀତିଗ୍ରସ୍ତ ତା' ନୁହେଁ। ଏମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ।