ଯାଜପୁର: ବହୁଚର୍ଚ୍ଚିତ କୁସୁମା ଦୁର୍ନୀତି ପେଡ଼ି ଖୋଲିବାରେ ଲାଗିଛି। ଗୋଟିଏ ପ୍ରକଳ୍ପରେ ବେଆଇନ୍ ଭାବେ ଏକାଧିକ ବିଭାଗ ବିଭିନ୍ନ ଯୋଜନାରୁ ୩୧କୋଟି ୯୨ଲକ୍ଷ ୩୪ହଜାର ଟଙ୍କା ବ୍ୟୟ କରିଥବାର ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ଏହାବାଦ୍ ଆଉ କେଉଁ ବିଭାଗ କେଉଁ କେଉଁ ଯୋଜନାରୁ ଅର୍ଥ ବ୍ୟୟ କରିଛି! ତାହାର ଅନୁସନ୍ଧାନ ଜାରି ରହିଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ କୁସୁମା ଆଲିସାନ୍ କଟେଜ୍‌ର ଅନୁସନ୍ଧାନ କରୁଥିବା ବେଳେ ପ୍ରକଳ୍ପର ତଦନ୍ତ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।

Advertisment

ଆର୍‌ଟିଆଇ ତଥ୍ୟ ଅନୁଯାୟୀ, କୁସୁମାରେ ୩୧ କୋଟି ୯୨ ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଏବେସୁଦ୍ଧା ଜଣାପଡ଼ିଛି। ଏହାବାଦ୍ ଅନ୍ୟ ଅନୁଦାନ ଏହି ପୋଖରୀ ପାଇଁ ଖର୍ଚ୍ଚ ହୋଇଛି। ହେଲେ ଏ ସମ୍ପର୍କରେ ସମସ୍ତ‌େ ଅନ୍ଧାରରେ ଅଛନ୍ତି। ଯାଜପୁର ପୌରପାଳିକା ୨୦୨୦ ମସିହାରେ ଦେଇଥିବା ତଥ୍ୟ ଅନୁଯାୟୀ, କୁସୁମା ପୋଖରୀ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ୮୫ ଲକ୍ଷ ୩୭ ହଜାର ଟଙ୍କା, ଇଡ୍‌କୋ ୪ କୋଟି ୯୯ ଲକ୍ଷ ୬୧ ହଜାର ଟଙ୍କା, ୧୪ ତମ ଅର୍ଥ କମିସନ ଅନୁଦାନରୁ ୧କୋଟି ୧ ଲକ୍ଷ ୭୨ ହଜାର ଟଙ୍କା, ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ୫୦ ଲକ୍ଷ ଟଙ୍କା, ଗୃହ ନଗର ଉନ୍ନୟନ ବିଭାଗର ଏକ ଯୋଜନାରେ ୩୧ ଲକ୍ଷ ୭୧ ହଜାର ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗ ସର୍ବସାଧାରଣ ଶୌଚଳାୟ ଅନୁଦାନ ୨୧ ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ମୋଟ ୧୨ କୋଟି ୯୦ ଲକ୍ଷ ୨୬ ହଜାର ଟଙ୍କାର ଅନୁଦାନ ଯାଜପୁର ପୌରପାଳିକା ଜରିଆରେ ଖର୍ଚ୍ଚ ହୋଇଛି।

ଏହାବାଦ୍ ୨୦୧୯-୨୦ ମସିହାରେ ପର୍ଯ୍ୟଟନ ବିଭାଗ କୁସୁମାରେ ୱାଟର ଫାଉଣ୍ଟେନ୍ ପାଇଁ ୬ କୋଟି ୬୯ ଲକ୍ଷ ୧୭ ହଜାର ଟଙ୍କା ଇଡ୍‌କୋ ଜରିଆରେ ଖର୍ଚ୍ଚ କରିଥିଲା। ଯାହାକି ୬ମାସ ହେଲା ଖରାପ ହୋଇପଡ଼ିଛି। ସେହିପରି ଇଡ୍‌କୋ ମଧ୍ୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପାଇଁ ୪ କୋଟି ୩୨ ଲକ୍ଷ ୯୧ ହଜାର ଟଙ୍କା ଖର୍ଚ୍ଚ କରିଛି ବୋଲି ତଥ୍ୟରେ ଦର୍ଶାଇଛି। ଏହାପରେ କୁସୁମାରେ ସ୍ପୋର୍ଟ୍ସ କଟେଜ ନିର୍ମାଣ ପାଇଁ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି (ସିଏସଆର) ରୁ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ କୁସୁମା ପୋଖରୀ ଓ ଏହାର ପାରିପାର୍ଶ୍ୱିକ ଉନ୍ନତି ପାଇଁ ସମୁଦାୟ ୩୧ କୋଟି ୯୨ ଲକ୍ଷ ୩୪ ହଜାର ଟଙ୍କା ବ୍ୟୟ ହୋଇଛି। ଉଚ୍ଚସ୍ତରୀୟ ତଦନ୍ତ କରାଗଲେ କୁସୁମାରେ ବହୁ କୋଟି ଟଙ୍କାର ଦୁର୍ନୀତି ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି।