କୋରେଇ: କୋରେଇ ବ୍ଲକ୍ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥଠାରୁ ଅମୃତିଆ (ଭାୟା– ଆଲିଆ, ବେଗନା, ମହୁଲିଆ) ପର୍ଯ୍ୟନ୍ତ ହେଉଥିବା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବାର ଅଭିଯୋଗ ହୋଇଛି। ରାସ୍ତା କାମ ସମୟରେ ବିଭାଗୀୟ ଯନ୍ତ୍ରୀ ରହୁନଥିବା ବେଳେ ଠିକାଦାରଙ୍କ ଦ୍ବାରା ନିଯୁକ୍ତ ଜନୈକ ଯନ୍ତ୍ରୀ କାମର ତଦାରଖ କରୁଥିବା ଗ୍ରାମବାସୀ କହିଛନ୍ତି। ଚାଷୀଙ୍କ ଅଗୋଚରରେ ସେମାନଙ୍କ ବିଲରୁ ମାଟିତାଡ଼ି ରାସ୍ତା କାମରେ ବ୍ୟବହାର କରାଯାଉଛି। ଏନେଇ ସ୍ଥାନୀୟ ଚାଷୀ ପ୍ରତିବାଦ କରିବାରୁ ଠିକାଦାରଙ୍କ ଦ୍ବାରା ନିଯୁକ୍ତ ଜଣେ ଅଣଓଡ଼ିଆ ଯନ୍ତ୍ରୀ ଗ୍ରାମବାସୀଙ୍କୁ ନାଲିଆଖି ଦେଖାଉଥିବାର ଲୋକେ କହିଛନ୍ତି। ବର୍ଷାଦିନରେ ପାଣି ଜମି ଚାଷୀଙ୍କ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ବିଜୁଳି ଖୁଣ୍ଟ ଥିବାରୁ ଦୁର୍ଘଟଣା ହେବାର ମଧ୍ୟ ଆଶଙ୍କା ରହିଛି। ରାସ୍ତାରେ ଆବଶ୍ୟକ ମେଟାଲ ବ୍ୟବହାର କରାନଯାଇ କେବଳ ମାଟି ଓ ଡଷ୍ଟ ଗୁଣ୍ତ ବ୍ୟବହାର କରାଯାଇଛି। ଏନେଇ ଗ୍ରାମର ଚାଷୀ ବିଜୟ କୁମାର ବୋଇତାଇ, ଅରୁଣ ସାହୁ, ଦୀପକ କୁମାର ସାହୁ, ଚନ୍ଦ୍ରମଣି ବେହେରା, ଲକ୍ଷ୍ମୀଧର ସାହୁ, ଚିନ୍ମୟ ମଲିକଙ୍କ ସମେତ ବହୁ ଚାଷୀ କେନ୍ଦ୍ରାପଡ଼ା-ଯାଜପୁର ଡିଭିଜନର ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ବିଭାଗୀୟ ପ୍ୟାକେଜ୍ ନମ୍ବର–ଓଆର୍ ୧୩– ୪୦୫ରେ ନିର୍ମାଣ ହେଉଥିବା ଏହି କାମ ପାଇଁ ୨ କୋଟି ୪୨ ଲକ୍ଷ ୧୭ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରାସ୍ତାର ମୋଟ ଲମ୍ବ ରହିଛି ୪.୬୭ କିଲୋମିଟର। ୨୦୨୨ ମସିହାରେ କାମ ଆରମ୍ଭ ହୋଇ ଚଳିତ ବର୍ଷ ଜୁନ୍ ୬ ତାରିଖ ସୁଦ୍ଧା କାମ ଶେଷ କରିବାକୁ ଫଳକରେ ସୂଚନା ରହିଛି। କାମ ସରିବାର ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ୨୦ ଲକ୍ଷର ଅଟକଳ ରଖାଯାଇଛି। ଏମ୍. ଏସ୍. ଇନ୍ଫ୍ରା ଇଂଜିନିୟରିଂ ଆଣ୍ତ କନଷ୍ଟ୍ରକ୍ସନ କମ୍ପାନିକୁ ଏହି କାମ ଦିଆଯାଇଛି। ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ ରହିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ଆର୍ଥିକ ସହାୟତାରେ ଏହି କାମ ହେଉଛି। ନିର୍ମାଣ କାମରେ କିନ୍ତୁ ବ୍ୟାପକ ଅନିୟମିତତା ହେଉଥିବାର ସ୍ଥାନୀୟ ଚାଷୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ରସାନନ୍ଦ ବାରିକଙ୍କୁ ପଚାରିବାରୁ ଅଭିଯୋଗକୁ ଖଣ୍ତନ କରିବା ସହ ସେ ଏହାର ତଦାରଖ କରିବେ ବୋଲି ପ୍ରକାଶ କରିଛନ୍ତି।
Follow Us