ଭୁବନେଶ୍ବର: ଗତ ୧୦ବର୍ଷରେ ରାଜ୍ୟ ଜଳସଂପଦ ବିଭାଗରେ କାର୍ଯ୍ୟରତ ୧୩୦ଜଣ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ହାରାହାରି ବର୍ଷକୁ ପ୍ରାୟ ୧୩ଜଣ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି। ଏଥିରେ ଅଧିକାଂଶ ହେଉଛନ୍ତି ସହକାରୀ ଯନ୍ତ୍ରୀ। କିଛି କନିଷ୍ଠ ଯନ୍ତ୍ରୀ ବି ଅଛନ୍ତି। ମାତ୍ର କେତେ ଜଣଙ୍କ ବିରୋଧରେ ଦଣ୍ଡବିଧାନ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏତେ ସଂଖ୍ୟକ ଯନ୍ତ୍ରୀ ଭିଜିଲାନ୍ସରେ ଧରାପଡ଼ିବା ପରେ ଜଳସଂପଦ ବିଭାଗ ଦୁର୍ନୀତିର ଗନ୍ତାଘର ପାଲଟିଛି ତାହା ପ୍ରମାଣିତ କରୁଛି। ଜଳସଂପଦ ବିଭାଗର ବିଭିନ୍ନ ପ୍ରକଳ୍ପରେ ଏହି ଯନ୍ତ୍ରୀମାନେ କାର୍ଯ୍ୟ କରୁଥିଲେ, ବିଶେଷକରି ଗ୍ରାମାଞ୍ଚଳରେ। ତେବେ ଯନ୍ତ୍ରୀମାନେ ଦୁର୍ନୀତି ଅଭିଯୋଗରେ ଧରା ପଡ଼ିବା ପରେ ସେସବୁ ପ୍ରକଳ୍ପର ସ୍ଥାୟୀତ୍ବ ଓ ପ୍ରକଳ୍ପର ଭାଗ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଲାଣି।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ୨୦୧୨ ମସିହାରୁ ୨୦୧୬ ମସିହା ମଧ୍ୟରେ ବିଭାଗର ୭୦ଜଣ ଯନ୍ତ୍ରୀ ଓ ୨୦୨୭ରୁ ୨୦୨୨ ମସିହା ମଧ୍ୟରେ ୬୦ଜଣ ଯନ୍ତ୍ରୀ ଭିଜିଲାନ୍ସ ମାମଲାର ସମ୍ମୁଖୀନ ହୋଇଛନ୍ତି। ଯଦିଓ ୨୦୧୨-୧୬ ତୁଳନାରେ ୨୦୧୭-୨୨ରେ ଭିଜିଲାନ୍ସରେ ଫସିଥିବା ଯନ୍ତ୍ରୀଙ୍କ ସଂଖ୍ୟା ସାମାନ୍ୟ କମ୍ ରହିଛି, ତଥାପି ଦୁର୍ନୀତିରେ ଲଗାମ ଲାଗିନାହିଁ। ୨୦୧୭ ମସିହାରୁ ୨୦୨୨ ମସିହା ଭିତରେ ଭୁବନେଶ୍ବର ଭିଜିଲାନ୍ସ ସର୍ବାଧିକ ୧୬, ବାଲେଶ୍ବର ଭିଜିଲାନ୍ସ ୧୪ ଓ କଟକ ଭିଜିଲାନ୍ସ ୧୩ଟି ମାମଲା ରୁଜୁ କରିଛି। ସେହିପରି ୨୦୧୨ରୁ ୨୦୧୬ ମସିହା ମଧ୍ୟରେ ବାଲେଶ୍ବର ଭିଜିଲାନ୍ସ ଏକୁଟିଆ ୨୨ଟି ମାମଲା ରୁଜୁ କରିଛି। ଏ ସମୟରେ ଭୁବନେଶ୍ବର ଭିଜିଲାନ୍ସ ମାତ୍ର ୯ଟି ମାମଲା ରୁଜୁ କରିବାରେ ସକ୍ଷମ ହୋଇଥିଲା। ତେବେ ଚଢ଼ାଉ ସମୟରେ ଏହି ଯନ୍ତ୍ରୀମାନଙ୍କଠାରୁ ଠାବ କରାଯାଇଥିବା ସଂପତ୍ତି ସଂପର୍କରେ ଦୁର୍ନୀତି ନିବାରଣ ବିଭାଗଠାରୁ ସୂଚନା ମିଳିବା ପରେ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ସାହୁ କହିଛନ୍ତି।