ଦୁର୍ନୀତି ନିବାରଣ ସପ୍ତାହ, ଭିଜିଲାନ୍ସ ମାମଲାରେ ଦଣ୍ଡାଦେଶ ହାର ୪ ପ୍ରତିଶତ ବଢ଼ିଛି

ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଆଜି ଦୁର୍ନୀତି ନିବାରଣ ସପ୍ତାହ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଦୁର୍ନୀତି ନିବାରଣ ଓ ସ୍ବଚ୍ଛତା ଉପରେ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି। ଦୁର୍ନୀତିର ମୂଳୋତ୍ପାଟନ ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଗତ ୧୦ ମାସ ଭିତରେ ରାଜ୍ୟରେ ଭିଜିଲାନ୍ସ ମାମଲାରେ ଦଣ୍ଡାଦେଶ ହାର ଗତ ଦୁଇ ବର୍ଷ ତୁଳନାରେ ୪ ପ୍ରତିଶତ ବଢ଼ିଛି। ଭିଜିଲାନ୍ସ ୟୁନିଟ୍‌ର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଭିଜିଲାନ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଭୁବନେଶ୍ବରରେ ଏକ ଭିଜିଲାନ୍ସ ଏକାଡେମି ଖୋଲିବାକୁ ଯାଉଛି। ସରକାରୀ କର୍ମଚାରୀମାନେ ସଚ୍ଚୋଟତାର ସହ କାମ କରିବା ଉଚିତ୍। ଦୁର୍ନୀତିମୁକ୍ତ ଓଡ଼ିଶା ପାଇଁ ରାଜ୍ୟବାସୀ ଆଗେଇ ଆସିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, ଦୁର୍ନୀତିମୁକ୍ତ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ। ଇ-ଗଭର୍ଣ୍ଣାନସ୍ ଓ ରେକର୍ଡର ଡିଜିଟାଇଜେସନ୍ ଆଦି କାର୍ଯ୍ୟ କରାଯାଉଛି। ଦୁର୍ନୀତି ନିବାରଣ‌ କ୍ଷେତ୍ରରେ ରାଜ୍ୟ ଭିଜିଲାନ୍ସ ଦେଶରେ ଏକ ପ୍ରମୁଖ ୟୁନିଟ୍ ଭାବେ ଉଭା ହୋଇଛି ବୋଲି ଶ୍ରୀ ପାଢ଼ୀ କହିଥିଲେ। ରାଜ୍ୟ ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ କହିଲେ, ଅକ୍ଟୋବର ୨୯ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ରାଜ୍ୟ ଭିଜିଲାନ୍ସକୁ ଅଧିକ ସୁଦୃଢ଼ କରିବା ପାଇଁ ୨ଟି ନୂତନ ଫରେଷ୍ଟ ୟୁନିଟ୍ ଖୋଲାଯିବ। ରାଜ୍ୟ ଭିଜିଲାନ୍ସ ଦ୍ବାରା ୧୯୭ ଜଣଙ୍କୁ ଗିରଫ କରାଯିବା ସହ ଏହି ସମୟ ମଧ୍ୟରେ ୯୫ଟି ମାମଲାରେ ଦଣ୍ଡାଦେଶ ହୋଇଥିବା ଶ୍ରୀ ପାଣିଗ୍ରାହୀ କହିଥିଲେ।

ଏହି ଅବସରରେ ରାଜ୍ୟ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ୍‌ ଭାବେ ଭୁବନେଶ୍ବର ଡିଭିଜନ୍‌ର ଭିଜିଲାନ୍ସ ଏସ୍‌ପି ସୁଧା ସିଂ, ରାଜ୍ୟର ‌ଶ୍ରେଷ୍ଠ ୟୁନିଟ୍ ଓ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ କୋରାପୁଟ ଡିଭିଜନ୍‌ ଭବାନୀପାଟଣା ୟୁନିଟ୍‌ର ଡିଏସ୍‌ପି ସତ୍ୟବାନ ମହାନନ୍ଦ, ଶ୍ରେଷ୍ଠ ମହିଳା ତଦନ୍ତକାରୀ ଅଧିକାରୀ ଭାବେ ବାଲେଶ୍ବର ଡିଭିଜନ୍‌ର କେଉଁଝର ୟୁନିଟ୍‌ ଇନ୍ସପେକ୍ଟର ହେମାମାଳିନୀ ନାୟକ ଓ ବାରିପଦା ସ୍ପେସାଲ ଜଜ୍ କୋର୍ଟର କୃଷ୍ଣଚନ୍ଦ୍ର ଶତପଥୀ ଶ୍ରେଷ୍ଠ ପିପି ଭାବେ ପୁରସ୍କୃତ ହୋଇଥିଲେ। ପରେ ପରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ରାଜ୍ୟସ୍ତରୀୟ କାର୍ଟୁନ୍ ତଥା କ୍ୟାପସନ୍ ପ୍ରତିଯୋଗୀ, ରାଜ୍ୟସ୍ତରୀୟ ବକ୍ତୃତା(ଓଡ଼ିଆ ଓ ଇଂରାଜୀ) ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଭିଜିଲାନ୍ସ ଡିଆଇଜି ସଂଜୟ କୁମାର କୌଶଲ ଧନ୍ୟବାଦ ଦେଇଥିଲେ। ଭୁବନେଶ୍ବର ଡିଭିଜନ୍‌ର ଏସ୍‌ପି ସୁଧା ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର