ଭୁବନେଶ୍ବର: ୨୪ ବର୍ଷ ଧରି ଅଧିକାରୀମାନେ ଗୋଟିଏ ପ୍ରକାର କାର୍ଯ୍ୟଶୈଳୀରେ ଚାଲିଥିବାରୁ, ବର୍ତ୍ତମାନର ନୂତନ କାର୍ଯ୍ୟଶୈଳୀ ଆପଣେଇବାରେ କିଛି ଅସାମଞ୍ଜସ୍ୟ ଆସିପାରେ। କିନ୍ତୁ ସବୁ ଅଧିକାରୀମାନେ ଦକ୍ଷ ତଥା ସମ୍ପୂର୍ଣ୍ଣ ଭାବେ ବୃତ୍ତିଗତ ପ୍ରଶାସକ। ତେଣୁ ସରକାରଙ୍କ ଆଭିମୁଖ୍ୟ ଓ ଭିଜନ୍‌କୁ ହୃଦୟଙ୍ଗମ କରି ଅଧିକାରୀମାନେ ନିଜ ନିଜ ସ୍ତରରେ ଏହାର କ୍ରିୟାନ୍ୱୟନ କରିବେ ବୋଲି ମୁଁ ଆଶା କରୁଛି। ଦୀର୍ଘ ୨୪ବର୍ଷର ବିଜେଡି ସରକାରରେ ଯେଉଁ ଅଧିକାରୀମାନେ ପୂର୍ବ ସରକାରଙ୍କ ବିଶ୍ବସ୍ତ ହୋଇ କାମ କରୁଥିଲେ, ଏବେ ନୂଆ ସରକାରର ବିଶ୍ବସ୍ତ ହୋଇ ନିଜର ଦକ୍ଷତା ଦେଖାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଜିଲ୍ଲାପାଳ, ଏସ୍‌ପିଙ୍କୁ ଚେତାଇ ଦେଇଛନ୍ତି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଦୁଇ ଧରି ଚାଲିଥିବା ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଆମ ସରକାରରେ କୌଣସି ସ୍ତରରେ ବା କୌଣସି ପ୍ରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ। ଲୋକସେବା ଭବନଠାରୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସବୁ ଅଧିକାରୀମାନେ ନିଜ ନିଜ ସ୍ତରରେ ଦୁର୍ନୀତି ରୋକିବାକୁ ସମର୍ଥ। ଦୁର୍ନୀତି ନିବାରଣ ପାଇଁ ସରକାର ଉଭୟ ଟପ୍-ଡାଉନ୍ ଓ ବଟମ୍‌-ଅପ୍ ମଡେଲ କାର୍ଯ୍ୟକାରୀ କରୁଛନ୍ତି।

Advertisment

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଦୁର୍ନୀତି ନିବାରଣ ନାଁ ରେ କେବଳ ଛୋଟ ଛୋଟ ଅଧିକାରୀମାନଙ୍କୁ ଧରା ଯାଉଥିଲା। ବର୍ତ୍ତମାନ ବଡ଼ବଡ଼ ଅଧିକାରୀମାନେ ମଧ୍ୟ ଧରା ପଡ଼ିଲେଣି। ଆଗାମୀ ଦିନରେ ଆହୁରି ବଡ଼ବଡ଼ ଅଧିକାରୀ ମଧ୍ୟ ଧରା ପଡ଼ିବେ। ଏଥିରେ କୌଣସି ଅବହେଳା କରାଯିବ ନାହିଁ। ଏହି ବାର୍ତ୍ତା ସବୁସ୍ତରକୁ ଯିବା ଉଚିତ। ପ୍ରଶାସନର ଆଭିମୁଖ୍ୟକୁ ସ୍ପଷ୍ଟ କରି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ୫ଟି ମନ୍ତ୍ର  ସ୍ୱଚ୍ଛ ଶାସନ, ତୁରନ୍ତ ନିଷ୍ପତ୍ତି, କାର୍ଯ୍ୟାନ୍ୱୟନ, ଉତ୍ତରଦାୟିତ୍ୱ ଏବଂ ସାମାଜିକ ନ୍ୟାୟ ଓ ସମାବେଶୀ ଶାସନ ପାଳନ କରିବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ଅଧିକରୁ ଅଧିକ ବୈଷୟିକ ଜ୍ଞାନର ବ୍ୟବହାର କରାଯାଉ। ଅଧିକାରୀଙ୍କ ଇଚ୍ଛାଧୀନ କ୍ଷମତାକୁ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯାଉ। କାର୍ଯ୍ୟାନ୍ୱୟନ ପ୍ରକ୍ରିୟାରେ ଯେତେ ଦୂର ସମ୍ଭବ ମାନବିକ ହସ୍ତକ୍ଷେପକୁ କମ୍‌ କରି ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିପାରିଲେ ବ୍ୟବସ୍ଥା ସ୍ବଚ୍ଛ ଓ ସରଳ ହୋଇପାରିବ। କେବଳ ସେତିକି ନୁହେଁ, ପ୍ରଶାସନକୁ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ମଧ୍ୟ ସରକାରୀ ନିଷ୍ପତ୍ତି ଯେତେଦୂର ସମ୍ଭବ ଶୀଘ୍ର ନିଆଯାଉ। ଅଯଥା ନିଷ୍ପତ୍ତିକୁ ତ୍ରିଶଙ୍କୁ ଅବସ୍ଥାରେ ରଖନ୍ତୁ ନାହିଁ। ଏବେ  ନାଗରିକ ଓ ପ୍ରଶାସନ ମଧ୍ୟରେ ଦୂରତ୍ୱ ରହିଯାଇଛି। ଏଥିପାଇଁ ଆମକୁ ନାଗରିକ ଓ ସିଭିଲ ସୋସାଇଟି ସହିତ ଅଧିକ ବାର୍ତ୍ତାଳାପ କରିବାକୁ ହେବ। ସେହିପରି ଆଜିକାଲି କେହି ବି ନିଜ କାମ ପାଇଁ ଉତ୍ତରଦାୟୀ ହେବାକୁ ଚାହୁଁନାହାନ୍ତି। ଯଦି କିଛି ଅସୁବିଧା ହୁଏ, ସମସ୍ତେ ଅନ୍ୟ ଉପରକୁ ଠେଲି ଦେବାରେ ବ୍ୟସ୍ତ। ଏବେ ଏହା ଆଉ ଚାଲିବ ନାହିଁ। 

ସରିଲା ଦୁଇଦିନିଆ ଜିଲ୍ଲାପାଳ- ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ
ଅଧିକାରୀମାନେ ନୂତନ କାର୍ଯ୍ୟଶୈଳୀକୁ ଗ୍ରହଣ କରନ୍ତୁ
ଦୁର୍ନୀତି ନିବାରଣ ପାଇଁ ଉଭୟ ଟପ୍‌-ଡାଉନ୍ ଓ ବଟମ୍‌-ଅପ୍ ମଡେଲ୍ କାର୍ଯ୍ୟକାରୀ ହେଉଛି
ଜିଲ୍ଲାସ୍ତରର ସମସ୍ତ ୱେବ୍‌ ସାଇଟ୍ ଓଡ଼ିଆ ଭାଷାରେ ହେବ
‘ଲୋକଙ୍କୁ ସାଙ୍ଗରେ ନେଇ ଚାଲନ୍ତୁ, ସବୁ ସହଜ ଓ ସରଳ ହୋଇଯିବ’
ଜିଲ୍ଲାପାଳ-ଏସ୍‌ପିଙ୍କୁ ୫ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଶେଷରେ ସାମାଜିକ ନ୍ୟାୟ ଓ ସମବେଶୀ ଶାସନ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ, ସରକାରଙ୍କ ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ ଓ ସମାବେଶୀ ଶାସନ ବ୍ୟବସ୍ଥା। ସମାଜର ଶେଷ ସୋପାନରେ ଛିଡ଼ା ହୋଇଥିବା ବ୍ୟକ୍ତି ପାଖରେ ସରକାରୀ ସୁବିଧା ଓ ସରକାରୀ ବ୍ୟବସ୍ଥା ପହଞ୍ଚିବା ଆବଶ୍ୟକ। ବିକଶିତ ଓଡ଼ିଶାର ଲକ୍ଷ୍ୟ ସମ୍ପର୍କରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ପରିସ୍ଥିତିରେ ପାଣ୍ଠିର ଅଭାବ ନାହିଁ। କେନ୍ଦ୍ରରୁ ସବୁ ସହଯୋଗ ମିଳିବ। ଏହାକୁ ଏହି  ୧୦୦ ଦିନ ଭିତରେ ଆପଣମାନେ ହୃଦୟଙ୍ଗମ କରିପାରୁଥିବେ। ଏହି ସ୍ବପ୍ନକୁ ସାକାର କରିବା ପାଇଁ ଆପଣମାନେ ହେଉଛନ୍ତି ସବୁଠାରୁ ମହତ୍ବପୂର୍ଣ୍ଣ ସେତୁ। ତେଣୁ ମୁଁ ସମସ୍ତଙ୍କୁ ଆହ୍ବାନ କରୁଛି ଯେ ଯିଏ ଯେଉଁ ଦାୟିତ୍ବରେ ଅଛନ୍ତି, ସୂଚାରୁ ରୂପେ ଉପରୋକ୍ତ ପାଞ୍ଚଟି ମନ୍ତ୍ର ଆଧାରରେ ଲୋକଙ୍କୁ ସୁଶାସନ ଏବଂ ନ୍ୟାୟ ପ୍ରଦାନ କରିବେ।

ପ୍ରଶାସନରେ ଓଡ଼ିଆ ଭାଷାର ବ୍ୟବହାର ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବ୍ୟକ୍ତିଗତ ହେଉ ବା ସାମୂହିକ, ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଯାଉଥିବା ସବୁ ସୂଚନା, ଓଡ଼ିଆ ଭାଷାରେ ହେବା ଅତ୍ୟନ୍ତ ଜରୁରୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସ୍ତରରେ ଅଧିକ ଉଦ୍ୟମ ହେବା ଆବଶ୍ୟକ। ସବୁ ଜିଲ୍ଲାର  ୱେବସାଇଟ ସଂପୂର୍ଣ୍ଣ ରୂପେ ଓଡ଼ିଆରେ ହେବ। ସବୁ ସରକାରୀ ନଥିପତ୍ର, ନୋଟିସ, ବିବରଣୀ, ବିଜ୍ଞାପନ ଓଡ଼ିଆ ଭାଷାରେ ହେବା ଜରୁରୀ। ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ‘ଲୋକଙ୍କୁ ସାଙ୍ଗରେ ନେଇ ଚାଲନ୍ତୁ, ଦେଖିବେ ସବୁ ସହଜ ଓ ସରଳ ହୋଇଯିବ।’ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ, ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।