ଭୁବନେଶ୍ବର: ଏହି ୩ ମାସ ଭିତରେ ଗତ ସରକାରଙ୍କ ସମୟରେ ‌ହୋଇଥିବା ଅନେକ ଅନିୟମିତତା ବିଷୟରେ ଅବଗତ ହୋଇଛି। ଯଦି ସେପରି କିଛି ଅନିୟମିତତା ଦୃଷ୍ଟିକୁ ଆସୁଛି, ସେସବୁକୁ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। ଜିଲ୍ଲାପାଳଙ୍କ ନିକଟରେ ସେହି ଅଧିକାର ରହିଛି। କୌଣସି ପ୍ରକାର ଓ କୌଣସି ସ୍ତରରେ ଦୁର୍ନୀତିକୁ ସରକାର ବରଦାସ୍ତ କରନ୍ତୁ ନାହିଁ। ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରନ୍ତୁ ନାହିଁ। ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲ୍ଳାପାଳ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଏମିତି ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରଙ୍କ ଯୋଜନାକୁ ଶେଷ ହିତାଧିକାରୀ ପର୍ଯ୍ୟନ୍ତ ପହଞ୍ଚାଇବାରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ରାଜଧାନୀ କିମ୍ବା କିଛି ସହରାଞ୍ଚଳକୁ ଛାଡ଼ିଲେ, ବାକି ସବୁଠାରେ ସରକାର କହିଲେ ଲୋକେ ଜିଲ୍ଲାପାଳଙ୍କୁ ବୁଝନ୍ତି। କାରଣ ଦୈନନ୍ଦିନ ଜୀବନରେ ବିଭିନ୍ନ ସମସ୍ୟା ସମାଧାନ ଜିଲ୍ଲା ସ୍ତରରେ ହୋଇଥାଏ। ତେଣୁ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଗୁରୁ ଦାୟିତ୍ୱ ଜିଲ୍ଲାପାଳଙ୍କ କାନ୍ଧରେ। ଏହି ଦାୟିତ୍ବକୁ ଠିକ୍ ଭାବେ ତୁଲାଇବାକୁ ହେବ। ଏହା ସହ ବୁକ୍‌ ସର୍କୁଲାର ୪୭ ଅନୁଯାୟୀ ସରକାରୀ ଅଧିକାରୀମାନେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଯଥୋଚିତ ସମ୍ମାନ ଦେବାକୁ ପଡ଼ିବ।ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପ୍ରଶାସନିକ ସ୍ତରରେ ପୂର୍ବରୁ ହେଉଥିବା ଅନେକ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ସଚେତନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସବୁ ଯୋଜନା ଯେପରି ଠିକ୍‌ ସମୟରେ କାର୍ଯ୍ୟକାରୀ ହେବ, ଏଥିପାଇଁ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଆର୍ଥିକ ତଥା ଫିଜିକାଲ ପ୍ରୋଗ୍ରେସ୍ ଉପରେ ଦୃଷ୍ଟି ରଖନ୍ତୁ। ଏହାସହ ପ୍ରତ୍ୟେକ ଯୋଜନାର ବ୍ଲକୱାରି ତ୍ରୈମାସିକ ସମୀକ୍ଷା କରିବା ମଧ୍ୟ ଆବଶ୍ୟକ। ଯୋଜନାର ସଫଳ ରୂପାୟନ ହେଲେ, ତା’ର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚି ପାରିବ। ସଫଳ ରୂପାୟନର ଦାୟିତ୍ୱ ଜିଲ୍ଲାପାଳଙ୍କ ହାତରେ। ସରକାରଙ୍କ ଯେତେ ଯୋଜନା ରହିଛି, ତାହାର ସଫଳ ରୂପାୟନ ହେଲେ ଓଡ଼ିଶାରୁ ଦାରିଦ୍ର୍ୟ ଘୁଞ୍ଚିଯିବ। ଆମ ସରକାର ହେଉଛି ଲୋକଙ୍କ ସରକାର। ଲୋକମାନଙ୍କ ସୁଖଦୁଃଖରେ ଭାଗୀଦାର ଓ ରାଜ୍ୟର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଜିଲ୍ଲାପାଳଙ୍କ କଠିନ ପରିଶ୍ରମ ଓ ନିଷ୍ଠା ଦ୍ୱାରା ହିଁ ସବୁ ପଦକ୍ଷେପର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବ। ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳମାନଙ୍କ କ୍ଷେତ୍ର ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିବା ସହ ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ଓ ଚୋରା ମଦ କାରବାର ରୋକିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ। 

ସରକାର କହିଲେ ଲୋ‌େକ ଜିଲ୍ଲାପାଳଙ୍କୁ ବୁଝନ୍ତି
ପୂର୍ବ ସରକାରର ଅନିୟମିତତା ଉପରେ ପଦକ୍ଷେପ ନିଅ
ଜନପ୍ରତିନିଧିଙ୍କୁ ସମ୍ମାନ ଦେବା ପାଇଁ ପରାମର୍ଶ
ସରକାରୀ ଅଧିକାରୀଙ୍କ ବଦଳି ଉପରେ ଗୁରୁତ୍ବାରୋପ

ପୂର୍ବ ସରକାରର କାର୍ଯ୍ୟଧାରାକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ସରକାରରେ ଶିକ୍ଷାର ବିକାଶ ନାଁରେ କେବଳ ସ୍କୁଲ କାନ୍ଥରେ ରଙ୍ଗ ମରାଯାଉଥିଲା। ଶିକ୍ଷାର ଭିତ୍ତିଭୂମି ବିକାଶ କରିବା ବଦଳରେ ସ୍କୁଲ କାନ୍ଥକୁ ରଙ୍ଗିନ କରାଯାଉଥିଲା। ସ୍କୁଲ କାନ୍ଥରେ ରଙ୍ଗ ମାରିଲେ ଶିକ୍ଷାର ବିକାଶ ହୁଏ ନାହିଁ। ସରକାରୀ ଅଧିକାରୀଙ୍କ ନିୟମିତ ବଦଳି ଉପରେ ଗୁରୁତ୍ବ ଦେଇ ଶ୍ରୀ ମାଝୀ କହିଲେ, କିଛି ଅଧିକାରୀ ବର୍ଷ ବର୍ଷ ଧରି ଗୋଟିଏ ଜାଗାରେ ରହିଛନ୍ତି। ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ୩ରୁ ୪ ବର୍ଷ ରହିବା କଥା। ୪ ବର୍ଷ ପରେ ଅଧିକାରୀଙ୍କ ବଦଳି ନେଇ ସରକାରୀ ନିୟମ ରହିଛି। କିନ୍ତୁ ପୂର୍ବ ସରକାରରେ ଜଣେ ଜଣେ ଅଧିକାରୀ ବହୁ ବର୍ଷ ଧରି ଗୋଟିଏ ସ୍ଥାନରେ ରହିଥିବା ଦେଖାଯାଇଛି। ଆଉ ସେକାଳ ପଖାଳ ନାହିଁ। ସରକାରୀ ଅଧିକାରୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି ହେଲେ ସ୍ୱଚ୍ଛତା ଆସିବ, ଅଭିଜ୍ଞତା ଆଧାରରେ ବିକାଶ ତ୍ୱରାନ୍ୱିତ ହେବ। 

ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ନିଜ ପ୍ରତିଶ୍ରୁତି ମୁତାବକ କ୍ବିଣ୍ଟାଲ୍‌ ପିଛା ୩୧ଶହ ଟଙ୍କା ଧାନ ସଂଗ୍ରହ ପାଇଁ ଦେବେ। କିନ୍ତୁ ଏହାର ଏକ ଭିନ୍ନ ଦିଗ ଅଛି। କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ପି ଦରଠାରୁ ଏହା ପ୍ରାୟ ୮ଶହ ଟଙ୍କା ଅଧିକ ହୋଇଥିବାରୁ ଅଧିକ ଚାଷୀ ଧାନ ବିକ୍ରି କରି ପାରନ୍ତି। ମାତ୍ର ପଡ଼ୋଶୀ ରାଜ୍ୟରୁ ବି ଧାନ ଚୋରା ଚାଲାଣ ହୋଇପାରେ। ଏହା ଉପରେ ନଜର ରଖିବାକୁ ହେବ। ବିଶେଷକରି ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନେ ଅନ୍ୟ ରାଜ୍ୟର ଧାନ ଚୋରା ଚାଲାଣ ରୋକିବାକୁ ଅଧିକ ସତର୍କ ରହିବା ଆବଶ୍ୟକ। ସୋହେଲାରୁ ନୂଆ ଏମ୍‌ଏସ୍‌ପିରେ ଧାନ ସଂଗ୍ରହ ଯୋଜନାର ଶୁଭାରମ୍ଭ ହେବ ବୋଲି ଶ୍ରୀ ମାଝୀ ସୂଚନା ଦେଇଥିଲେ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଲେ, ତୁରନ୍ତ ନିଷ୍ପତ୍ତି ନେଇ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିପାରିଲେ ଉତ୍ତମ ପ୍ରଶାସନ ଉପଲବ୍ଧ ହୋଇପାରିବ। ଏ ଦିଗରେ ଜିଲ୍ଲାପାଳମାନଙ୍କ ସହଯୋଗ ଜରୁରି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କ୍ଷେତ୍ରରେ ଜିଲ୍ଲାପାଳମାନଙ୍କ ସହଯୋଗର ପ୍ରଶଂସା କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ, ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫-୧୦ ବର୍ଷ ମଧ୍ୟରେ ପ୍ରଚେଷ୍ଟା ବଳରେ ବ୍ୟାପକ ପରିବର୍ତ୍ତନ ହୋଇପାରିବ। ବର୍ତ୍ତମାନ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ସରକାର ଭାବରେ ଜିଲ୍ଲାସ୍ତରରେ ଲୋକଙ୍କୁ ଉନ୍ନତ ସେବା ଯୋଗାଇଦେବା ଉପରେ ଜିଲ୍ଲାପାଳମାନେ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଥିଲେ। ଉନ୍ନୟନ କମିସନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିିବା ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଧନ୍ୟବାଦ ଦେଇଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ବିଭାଗର ମନ୍ତ୍ରୀଗଣ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି।