ବରଗଡ଼ : ମାସେ ତଳେ ପରିବା ବଜାରରେ ପଶିବା ମୁସ୍କିଲ ଥିଲା। ୨ଶହ ଟଙ୍କା ଖରିଦ୍‌ କଲେ ବି ବ୍ୟାଗ୍‌ ଭର୍ତି ହେଉନଥିଲା। ଏବେ ୪୦/୫୦ ଟଙ୍କା ଗଣିଲେ ବ୍ୟାଗ୍‌ ପୂରି ଯାଉଛି। ପରିବା ଦର ଅଚାନକ ହ୍ରାସ ପାଇଛି। ଗ୍ରାହକ ଏଥିରେ ଖୁସ୍‌ ଥିବାବେଳେ ଚାଷୀ କାନ୍ଦୁଛି। ବଜାରରେ ବନ୍ଧା‌ କୋବି କିଲୋ ୪ଟଙ୍କା ଏବଂ ଫୁଲକୋବି କିଲୋ ୬ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ ବିଲରେ ଚାଷୀ ବେପାରୀଙ୍କୁ ୨ଟଙ୍କାରେ ବନ୍ଧା ଏବଂ ୪ଟଙ୍କାରେ ଫୁଲ କୋବି କିଲୋ ହିସାବରେ ବିକ୍ରି କରୁଛି। ଫଳରେ ଚାଷୀ ଯେତେ ଟଙ୍କା ଖଟାଇ ଚାଷ କରିଛି, ତା'ର ଅଧା ଟଙ୍କା ବି ପାଉନାହିଁ। ପରିବା ଚାଷରେ ଏଭଳି ଅସ୍ଥିରତା ପାଇଁ ଚାଷୀମାନେ ଗୁଡ଼ାଏ କାରଣକୁ ଦାୟୀ କରିଛନ୍ତି। ପ୍ରଥମ ହେଲା ଉତ୍ପାଦନରେ ସ୍ଥିରତା ନାହିଁ।  ସରକାରୀ ପରିସଂଖ୍ୟାନ ଅନୁସାରେ, ଗତଥର ୩୨,୫୩୬ ହେକ୍ଟର ଜମିରେ ପରିବା ଚାଷ ହୋଇଥିଲା। ଏଥର ଏହା ଖସି ୨୮,୬୮୨ ହେକ୍ଟରରେ ପହଂଚିଛି।

Advertisment

ରବି ଋତୁରେ ପାଖାପାଖି ୪ଲକ୍ଷ ମେଟ୍ରିକ୍‌ ଟନ୍‌ ପରିବା ଚାଷ କରିବାକୁ ସରକାରୀ ଭାବେ ଧାର୍ଯ୍ୟ କରାଯାଇଥାଏ। ଏହାଠାରୁ ବେଶୀ ପରିବା ଚାଷ ହେଉଛି। କିନ୍ତୁ ବଜାର ବ୍ୟବସ୍ଥା ବାଟବଣା ଥିବାରୁ ଚାଷୀ ଆଉ ପରିବା ଚାଷ କରିବାକୁ କୁଣ୍ଠାବୋଧ କରୁଛି।  ଚାଷୀଙ୍କୁ ଖର୍ଚ୍ଚ ତୁଳନାରେ କମ୍‌ ଟଙ୍କା ମିଳୁଥିବାରୁ ସେମାନେ ପରିବା ଚାଷରୂ ଦୂରେଇ ଯାଉଛନ୍ତି। ସୂଚନା ମୁତାବକ, ଓଡ଼ିଶାର ୧୨ ପ୍ରତିଶତ ପରିବା ବରଗଡ଼ରୁ ଉତ୍ପାଦନ ହେଉଥିଲେ ହେଁ ଏଠାରେ ସରକାରୀ ମଣ୍ଡି କିମ୍ବା ଶୀତଳ ଭଣ୍ଡାର ନାହିଁଁ। ୨୦୧୨-୧୩ ଆର୍ଥିକ ବର୍ଷରେ  ବରଗଡ଼ରେ ଶୀତଳ ଭଣ୍ତାର ସ୍ଥାପନ କରିବାକୁ ପ୍ରସ୍ତାବ ହୋଇଥିଲା। ବର୍ଷବର୍ଷ ଗଡ଼ି ଗଲାଣି, ହେଲେ ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ। ଫାଇଲ ଚାଷ ମଧ୍ୟରେ ଶୀତଳ ଭଣ୍ଡାର ଯୋଜନା ହଜିବାକୁ ଲାଗିଲାଣି।

ତେବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟି (ଆର୍ଏମସି) ନିଜସ୍ବ ପାଣ୍ଠିରେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ପୂର୍ବରୁ ରାଜ୍ୟ କୃଷି ବିପଣନ ପରିଷଦକୁ ପ୍ରସ୍ତାବ ଦେଇଛି। ଏଥିପାଇଁ ଡିପିଆର୍ ପଠାଇବାକୁ ମଧ୍ୟ ପରିଷଦକୁ ଅନୁରୋଧ କରାଯାଇଛି। କିନ୍ତୁ ସେଠାରୁ  ନିର୍ମାଣ ପାଇଁ କିଛି ଅନୁମତି ଆସିନାହିଁ। ପରିବା ଚାଷୀଙ୍କୁ ଉଚିତ୍‌ ମୂଲ୍ୟ ଯୋଗାଇବା ପାଇଁ ଆର୍‌ଏମ୍‌ସି ପକ୍ଷରୁ ଇ-ନାମ୍‌ ବ୍ୟବସ୍ଥା ରହିଛି। କିନ୍ତୁ ଦୂରଦୂରାନ୍ତରରେ ଥିବା ଚାଷୀ ଏନେଇ କିଛି ସୂଚନା ପାଉନାହାନ୍ତି। ଫଳରେ ସେମାନେ ବାରମ୍ବାର ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ପରିବା ଚାଷରୁ ଓହରି ଯାଉଛନ୍ତି।