ଅମଳ ପୂର୍ବରୁ କାଳ ସାଜିଲା ଅଦିନିଆ ବର୍ଷା; ଉଜୁଡ଼ିଗଲା କପା ଫସଲ, କ୍ଷତି ସହିଲେ ଚାଷୀ

ରାୟଗଡ଼ା: ଅମଳ ସମୟରେ କାଳ ସାଜିଲା ଅଦିନିଆ ବର୍ଷା। ଶହ ଶହ ଏକର ଜମିରେ ଉଜୁଡ଼ିଗଲା କପା ଫସଲ। ଉତ୍ପାଦିତ ଫସଲକୁ ବିକ୍ରି କରି ଦି ପଇସା ଲାଭ ଆଶାରେ ଥିବା ଚାଷୀ କ୍ଷତିର ଶିକାର ହେବା ନେଇ ଚିନ୍ତ‌ାରେ ପଡିଛନ୍ତି। ରାୟଗଡ଼ା ସଦର ବ୍ଲକ୍ ସମେତ ସମସ୍ତ ବ୍ଲକର ଚାଷୀ ଅଦିନିଆ ବର୍ଷା ଦ୍ବାରା ପ୍ରଭାବିତ ହୋଇଛନ୍ତି।

ଗତ ୩ ଦିନ ଧରି ଲାଗି ରହିଛି ଅଦିନିଆ ବର୍ଷା। ଫଳରେ ଜମିରେ ହସୁଥିବା କପା ଫସଲ ଅଦିନିଆ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି। ରାୟଗଡ଼ା ବ୍ଲକର ଇରୁକୁବାଡି, ପିତାମହଲ, ଗାଜିଗାଁ, କେରେଡା, ଜେମାଦେଇପେଣ୍ଠ ସହ ଅନ୍ୟ ପଞ୍ଚାୟତର ଶହ ଶହ ଏକର ଜମିରେ ହୋଇଥିବା କପା ଚାଷ ବର୍ଷା ଯୋଗୁ ପ୍ରଭାବିତ ହୋଇଛି । ଚଳିତ ବର୍ଷ କପା ଭଲ ଅମଳ ହୋଇଥିବାକୁ ନେଇ ଚାଷୀ ବେଶ ଖୁସିରେ ଥିଲେ। ମକର ସଂକ୍ରାନ୍ତି ପରେ କପା ତୋଳିବାକୁ ଚାଷୀ ଯୋଜନା କରିଥିବା ବେଳେ ସଂକ୍ରାନ୍ତି ପୂର୍ବରୁ ଲାଗି ରହିଛି ବର୍ଷା। ପୂର୍ବରୁ ଉନ୍ନତମାନର କପାକୁ ଗାଁକୁ ଆସି ସାହୁକାର ଓ ବ୍ୟବସାୟୀ ନେଇଯାଉଥିବା ବେଳେ ବର୍ଷା ଭିଜା କପା ବିକ୍ରି ସମୟରେ ଉଚିତ ମୂଲ୍ୟ ମିଳିବ କି ନାହିଁ ତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଚାଷୀ।

ରାୟଗଡ଼ା ଭଳି ମୁନିଗୁଡ଼ା, ରାମନାଗୁଡ଼ା, ଗୁଡାରି, ପଦ୍ମପୁର ବ୍ଲକରେ ମଧ୍ୟ କପା ଚାଷ ପ୍ରଭାବିତ ହୋଇଛି। ସାହୁକାରଙ୍କ ପାଖରୁ ଋଣ ଆଣି ଚାଷୀ ଫସଲ କରିଥିବା ବେଳେ ଏବେ କିପରି ଋଣ ଶୁଝିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି। ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏଯାବତ୍ କୌଣସି ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନରେ ଯାଇନାହାନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିନଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ ନାହିଁ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ସ୍ପଷ୍ଟ କରିବା ପରେ ଚାଷୀ ଅଧିକ ଚିନ୍ତିତ ହୋଇ ପଡିଛନ୍ତି। ୧୨ ତାରିଖରେ ରାୟଗଡ଼ା ଜିଲ୍ଲାରେ ୧୨.୮୫ ମିମି ହାରରେ ମୋଟ ୧୪୧.୪ ମିମି ବର୍ଷା ହୋଇଛି। ସେହିପରି ୧୩ ତାରିଖରେ ୧୨.୯୫ ମିମି ହାରରେ ୧୪୨.୫ ମିମି ବର୍ଷା ହୋଇଛି। ୧୪ ତାରିଖରେ ୧୭.୮୧ ମିମି ହାରରେ ରାୟଗଡ଼ା ବ୍ଲକରେ ୫.୮ ମିମି, କୋଲନରା ବ୍ଲକରେ ୨୨.୪ ମିମି, କଲ୍ୟାଣସିଂହପୁର ବ୍ଲକରେ ୮.୨ ମିମି, କାଶୀପୁରରେ ୬ ମିମି, ଗୁଣପୁରରେ ୩୫ ମିମି, ପଦ୍ମପୁରରେ ୨୬ ମିମି, ଗୁଡାରିରେ ୧୯ ମିମି, ରାମନାଗୁଡ଼ା ବ୍ଲକରେ ୨୩.୮ ମିମି, ବିଷମକଟକ ବ୍ଲକରେ ୧୪.୨ ମିମି, ମୁନିଗୁଡ଼ା ବ୍ଲକରେ ୨୩ ମିମି, ଚନ୍ଦ୍ରପୁର ବ୍ଲକରେ ୧୨.୫ ମିମି ମୋଟ ୧୯୫.୯ ମିମି ବର୍ଷା ରେକର୍ଡ କରାଯାଇଛି।

ଚଳିତ ବର୍ଷ ଜିଲ୍ଲାର ରାୟଗଡ଼ା, ଗୁଣପୁର, ମୁନିଗୁଡା, ପଦ୍ମପୁର,ଗୁଡାରି, ରାମନାଗୁଡା ଅଞ୍ଚଳରେ ୪୫.୮୪ ହଜାର ହେକ୍ଟର ଜମିରେ କପା ଚାଷ କରାଯାଇଛି। ସେଥି ମଧ୍ୟରୁ ଗୁଣପୁରରେ ୭୧୦୦, ରାମନାଗୁଡା ୯୦୦୦, ଗୁଡାରିରେ ୩୮୦୦ ଓ ପଦ୍ମପୁର ୨୭୦୦ ହେକ୍ଟର ଜମିରେ କପା ଚାଷ ହୋଇଛି। ଚଳିତ ବର୍ଷ ଜିଲ୍ଲାରୁ ୬ ଲକ୍ଷ ୯୦ ହଜାର କ୍ବିଣ୍ଟାଲ କପା ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଚାଷୀଙ୍କଠାରୁ କପା କିଣିବା ପାଇଁ ଭାରତୀୟ କପା ନିଗମ ପକ୍ଷରୁ ମଣ୍ଡି ଖୋଲାଯାଇଛି। ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ  କ୍ଵିଣ୍ଟାଲ ପ୍ରତି ୬୦୨୫ ରହିଥିବା ବେଳେ ବାହାର ବ୍ୟବସାୟୀ କିଣ୍ଟାଲ୍ ପିଛା ୭୫୦୦ରୁ ଉର୍ଧ୍ବ ଟଙ୍କାରେ କିଣି ନେଉଛନ୍ତି। ମଣ୍ଡିରେ ଦର କମ ରହିଥିବାରୁ ଚାଷୀ ବାଧ୍ୟ ହୋଇ ଆନ୍ଧ୍ର ବ୍ୟବସାୟୀଙ୍କ ନିକଟରେ ନିଜର  ଅମଳ କପାକୁ ବିକ୍ରି କରୁଛନ୍ତି।

ସମ୍ବନ୍ଧିତ ଖବର