ତୁଳା କାରଖାନାରେ ଅଗ୍ନିକାଣ୍ଡ: ୮୦ ଲକ୍ଷର କଞ୍ଚାମାଲ, ଯନ୍ତ୍ରାଂଶ ଜଳିଗଲା

କଟକ-ଜଗତପୁର, ୨: ଆଜି ସକାଳେ ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ୍-୨ ସ୍ଥିତ ରଙ୍ଗୀନ ତୁଳା ପ୍ରସ୍ତୁତି କାରଖାନାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଗ୍ନିକାଣ୍ଡରେ କାରଖାନାରେ ମହଜୁଦ ଥିବା ବିପୁଳ ପରିମାଣର ରଙ୍ଗୀନ ତୁଳା ଓ ବହୁ ଦାମୀ ଯନ୍ତ୍ରାଂଶ ସମେତ ଅନ୍ୟାନ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ପାଖାପାଖି ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଯାଇଥିବା ଆକଳନ କରାଯାଉଛି। ସେଥିମଧ୍ୟରୁ ୨୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କଞ୍ଚାମାଲ ପୋଡ଼ି ଯାଇଥିବା କାରଖାନା ମାଲିକ ମୁସାରଜ୍‌ ସରିଫ୍‌ କହିଛନ୍ତି। ତେବେ, ଅଗ୍ନିକାଣ୍ଡରେ କାରଖାନାର କୌଣସି ଶ୍ରମିକ ଆହତ ହୋଇ ନଥିବା ଜଣାପଡ଼ିଛି। ୩ ଗୋଟି ଦମକଳ ପ୍ରାୟ ସାଢ଼େ ୩ ଘଣ୍ଟାର କସରତ ପରେ ନିଆଁ ଆୟତ୍ତକୁ ଆସିପାରିଥିଲା।

ପ୍ରାପ୍ତ ସୂଚନା ମୁତାବକ, ନୂତନ ଶିଳ୍ପାଞ୍ଚଳ ଫେଜ୍‌-୨ର ପ୍ଲଟ୍‌ ନଂ. ବି-୮୦ ରେ ଥିବା ଆଗ୍ରୋ ଇଣ୍ଡଷ୍ଟ୍ରିଆଲ୍‌ ମଲ୍ଟିପ୍ଲେକ୍ସ ନାମକ ଏକ ଲାଇସେନ୍ସପ୍ରାପ୍ତ କୃଷି ଯନ୍ତ୍ରପାତି କାରଖାନା ରହିଛି। ଉକ୍ତ କାରଖାନାର ମାଲିକଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମୁସାରଜ୍‌ ସରିଫ୍‌ ପ୍ରାୟ ୨ବର୍ଷ ହେଲା ଉକ୍ତ କାରଖାନା ପରିସରରେ ରହିବା ସହ ସେଠାରେ ମେସର୍ସ ମଲ୍ଟିଲାଇଜେସନ୍‌ ପ୍ରା. ଲିଃ ନାମକ ଏକ ରଙ୍ଗୀନ ତୁଳା ପ୍ରସ୍ତୁତି କାରଖାନା ଚାଲିଛି। ଆଜି ସକାଳ ପ୍ରାୟ ୯ଟା ବେଳେ ଅଚାନକ ଉକ୍ତ କାରଖାନାରେ ନିଆଁ ଲାଗିଯାଇଥିଲା। ଅଳ୍ପ କିଛିକ୍ଷଣ ମଧ୍ୟରେ ନିଆଁ ସମଗ୍ର କାରଖାନା ପରିସରକୁ ବ୍ୟାପିବା ସହିତ ଆଜବେଷ୍ଟସ୍‌ଗୁଡ଼ିକ ଜଳି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିଥିଲା। ସର୍ଟସର୍କିଟ‌୍‌ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏହି କାରଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଥିଲା କି ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଅଗ୍ନିଶମ ବିଭାଗୀୟ  ଅଧିକାରୀ ମୀନକେତନ ବେହେରା କହିଛନ୍ତି ।

ଅପରପକ୍ଷରେ ଅଗ୍ନିକାଣ୍ଡକୁ ନେଇ ଓଡ଼ିଶା ଶିଳ୍ପ ସଂଘ ପକ୍ଷରୁ ଖୋଲାଖୋଲି ବିଦ୍ୟୁତ୍ ବିଭାଗକୁ ଦାୟୀ କରିଥିବା ବେଳେ ଅଗ୍ନିକାଣ୍ଡ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଭରଣା ବିଦ୍ୟୁତ୍ ବିଭାଗ କରିବାକୁ ପାଇଁ ସଂଘ ଦାବି କରିଛି। ଶିଳ୍ପ ସଂଘର ଏକ ପ୍ରତିନିଧିଦଳ ଅଗ୍ନିକାଣ୍ଡ ଘଟିଥିବା କାରଖାନା ପରିଦର୍ଶନ କରିଛନ୍ତି। ନୂତନ ଶିଳ୍ପାଞ୍ଚଳରେ ଅଘୋଷିତ ଭାବେ ବିଦ୍ୟୁତ୍ କାଟ କରାଯିବା ଏବଂ ହଠାତ ଲାଇନ୍ ଚାର୍ଜ କରିବା ଯୋଗୁଁ କାରଖାନାରେ ସର୍ଟସର୍କିଟ୍‌ କାରଣରୁ ଅଗ୍ନିକାଣ୍ଡ ଘଟି ବିଭିନ୍ନ ସମୟରେ ଶିଳ୍ପସଂସ୍ଥାମାନଙ୍କୁ ବିଶେଷ କ୍ଷତି ସହିବାକୁ ପଡୁଥିବା ନେଇ ଶିଳ୍ପ ସଂଘ ଅଧ୍ୟକ୍ଷ ଅବନୀ କାନୁନଗୋ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଫେଜ୍-୨ ବିଦ୍ୟୁତ୍ ବିଭାଗ କନିଷ୍ଠଯନ୍ତ୍ରୀ ଶିବପ୍ରସାଦ ଶତପଥୀଙ୍କୁ ପଚାରିବାରେ ସେ କହିଛନ୍ତି, ଉକ୍ତ ତୁଳା କାରଖାନାରେ ଏଲ୍.ଟି ଲାଇନ୍‌ର ସଂଯୋଗ ରହିଥିଲା। ଏପରିକି କାରଖାନା ମାଲିକଙ୍କ ବ୍ୟକ୍ତିଗତ ଟ୍ରାନ୍ସଫର୍ମର ମଧ୍ୟ ନାହିଁ। କାରଖାନାର କୌଣସି ଏକ ମେସିନ୍‌ ଜଳିଯିବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର