କପା ଦେଇ କାଙ୍ଗାଳ ଚାଷୀ; ସାଦା କାଗଜରେ ଡିଲ୍‌, ସାକ୍ଷୀ ଥାନା ବାବୁ!

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପୁଲିସର ବେଲଗାମ କାମକୁ ନେଇ ଏବେ ଚର୍ଚ୍ଚା। ଚାଷୀଙ୍କ ପାଇଁ ଦରଦ କମ୍‌। ମିଲର୍ସଙ୍କ ପାଇଁ ମଧ୍ୟସ୍ଥି ପୁଲିସ। ପୁଲିସର ସାହସରେ ମିଲର୍ସଙ୍କ କଳାବଜାର। ପ୍ରଥମେ ଚୋରି, ତାପରେ ସିନା ଜୋରି। ଆଉ ଏବେ ଏହି ଘଟଣାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ବଲାଙ୍ଗୀର ଏସ୍‌ପି।

୨୦୧୯-୨୦ ବର୍ଷରେ ଚାଷୀଙ୍କଠାରୁ କପା କିଣିଥିଲେ ପାଟଣାଗଡ଼ ଉପଖଣ୍ଡର କପାଣି ରାଧାରମଣ ଜିନିଂ ମିଲ୍‌ର ଦୁଇ ମିଲର୍ସ କେଶବ ଛାପଡ଼ିଆ ଓ ରମେଶ ଜୈନ। କପା ବିକି କୋଟି କୋଟି ଟଙ୍କା ଲାଭ କଲେ। ଦେଶ ବିଦେଶ ବୁଲିଲେ। ହେଲେ ଚାଷୀଙ୍କ ୩୨ଲକ୍ଷ ୯୦ ହଜାର ଟଙ୍କା ଦେଉନଥିଲେ। ପାଖାପାଖି ଦୁଇ ବର୍ଷ ଦଉଡ଼ି ଦଉଡ଼ି ନୟାନ୍ତ ହେଉଥିଲେ ଚାଷୀ। ଶେଷରେ କଥା ପହଞ୍ଚିଲା ପୁଲିସ ଓ ପ୍ରଶାସନ ପାଖରେ। ଘଟଣାର ତଦନ୍ତ ପାଇଁ ପାଟଣାଗଡ଼ ଉପଖଣ୍ଡ ପ୍ରଶାସନ ନିର୍ଦେଶ ଦେଇଛି। ହେଲେ ଅଭିଯୋଗ ପାଇ ବି ତୁନି ପଡିଥିବା ପାଟଣାଗଡ଼ ଉପଖଣ୍ଡ ପୁଲିସ ହଠାତ ଚେଇଁ ଉଠିଥିଲା। କେମିତି ଅସୁବିଧାରେ ନପଡ଼ିବେ ଠକ ମିଲର୍ସ ପଦକ୍ଷେପ ନେଲା ପୁଲିସ। ତୁରନ୍ତ ପାଟଣାଗଡ଼ ଏସ୍‌ଡିପିଓ ବେଲପଡ଼ା ଆଇଆଇସିଙ୍କୁ ନିର୍ଦେଶ ଦେଲେ। ଆଉ ବାବୁଙ୍କ ନିର୍ଦେଶ ଅନୁଯାୟୀ କାମ କଲେ ବେଲପଡ଼ା ଆଇଆଇସି। ପୁଲିସ ଚାହିଁବା କ୍ଷଣି ଦେଢ଼ ବର୍ଷରୁ ଅଧିକ ହେବ ଧରାଛୁଆଁ ଦେଉନଥିବା ମିଲର୍ସ ସେପ୍ଟେମ୍ବର ୩୦ ତାରିଖ ଥାନାରେ ହାଜର ହେଲେ। କିଛି ଚାଷୀଙ୍କୁ ଡକା ହେଲା। ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ଦଲାଲି କରୁଥିବା ଦଲାଲକୁ ବି ଡାକିଲା ପୁଲିସ। ଥାନା ଭିତରେ ଆରମ୍ଭ ହେଲା ବିଚାର। ଥାନା ବାବୁଙ୍କ କୋର୍ଟରେ ସାଧା କାଗଜରେ ଲିଖିତ ଚୁକ୍ତି ହେଲା। ଦଲାଲ ଓ ମିଲର୍ସ ଭିତରେ ଚୁକ୍ତି କରାଇଲେ ଥାନା ବାବୁ।

ପୁଲିସର ନିର୍ଦେଶରେ ଦୁଇବର୍ଷ ପରେ ଅଧାରୁ କମ୍‌ ଟଙ୍କା ପଇଠ କଲା ମିଲର୍ସ। ବାକିତକ ଟଙ୍କା ଆସନ୍ତା ଚାରିମାସରେ ପଇଠ କରିବାକୁ ମିଲର୍ସଙ୍କୁ ସହାୟତା କଲା ପୁଲିସ। ସବୁଠୁ ଆଶ୍ଚର୍ଯ୍ୟର କଥା ୩୨ ଲକ୍ଷ ୯୦ ହଜାର ଟଙ୍କାର ଡିଲ୍‌ ସାଧା କାଗଜରେ ଲେଖି ମାତ୍ର ଦୁଇଟି ଷ୍ଟାମ୍ପ ଲଗାଇ ଚାଷୀଙ୍କୁ ଭୁତାଇଦେଲା ବେଲପଡ଼ା ପୁଲିସ। କାରଣ ବରିଷ୍ଠ ଆଇନଜ୍ଞଙ୍କ ମତ ହେଲା, ପୁଲିସ ଥାନାରେ କରିଥିବା ଚୁକ୍ତି କୋର୍ଟରେ ଗ୍ରହଣୀୟ ନୁହେଁ। କାରଣ ଟଙ୍କା ପଇସାର କାରବାର ଥାନାରେ ହୋଇପାରିବ ନାହିଁ। ଏହା ଏକ ସିଭିଲ ଡିସପ୍ୟୁଟ୍‌। ଯାହା ହେବ କୋର୍ଟରେ ହେବ। କିନ୍ତୁ ପୁଲିସ କେଉଁ ଅଧିକାରରେ ଏଭଳି କରିଛି? ଜାଣିଶୁଣି ମିଲର୍ସଙ୍କୁ ବଂଚାଇବା ପାଇଁ ପୁଲିସର ଏ ପ୍ରୟାସ ବୋଲି ଆଇନଜ୍ଞଙ୍କ ମତ। ତୁରନ୍ତ ମିଲର୍ସଙ୍କ ବିରୋଧରେ ଧାରା ୪୨୦ରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବା ଜରୁରି ବୋଲି ମତ ଦେଇଛନ୍ତି ବରିଷ୍ଠ ଓକିଲ ପ୍ରମୋଦ ମିଶ୍ର। କିନ୍ତୁ ଏଇଠି ବଡ଼ ପ୍ରଶ୍ନ ଟଙ୍କା ନେଇ ଠକିଲା ପରେ ଠକ ଯଦି ଟଙ୍କା ଫେରାଇ ଦିଏ, ତାହା ପୁଣି ନିଜ ମନମର୍ଜିରେ ଏହା ଏକ ଅପରାଧ ନୁହେଁ କି? ଧାନ ହେଉ କି କପା କିଣାରେ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରୀ ନିୟମ ଥିଲେ ବି ଦଲାଲିକୁ ଆଇନଗତ ଭାବେ ସ୍ୱୀକୃତି ଦେଇ ଥାନାରେ ଦଲାଲ ସହିତ ମିଲର୍ସଙ୍କ ଚୁକ୍ତି କେମିତି କଲା ପୁଲିସ? ଏଠି ମିଲର୍ସଠାରୁ ଟଙ୍କା ନେବ ଦଲାଲ। ଆଉ ଚାଷୀଙ୍କୁ ପୁଣି ଟଙ୍କା ଦେବ ଦଲାଲ। ଯଦି ପୁଲିସ ଓ ପ୍ରଶାସନ ପାଖରେ ଚାଷୀ ଅଭିଯୋଗ କରିଥିଲେ ତାହେଲେ ସିଧାସଳଖ ମିଲର୍ସ ପାଖରୁ ଚାଷୀଙ୍କ ପାଉଣା ଏକାସାଙ୍ଗରେ କାହିଁକି ଦେବାର ବ୍ୟବସ୍ଥା କଲାନି ବେଲପଡ଼ା ପୁଲିସ? କେଉଁ ଉଦ୍ଦେଶ୍ୟ ରଖି ମିଲର୍ସଙ୍କ ସପକ୍ଷରେ ମଧ୍ୟସ୍ଥି ହୋଇଛି ବେଲପଡ଼ା ପୁଲିସ? ତାହା ପୁଣି ପାଟଣାଗଡ଼ର ବଡ଼ବାବୁଙ୍କ ନିର୍ଦେଶରେ। ଅନ୍ୟପଟେ ପାଟଣାଗଡ଼ ଉପଜିଲ୍ଲାପାଳ ଏହି ସମଗ୍ର ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର