ଚାଷୀଙ୍କ ଧଳା ସୁନା ମୋହ ତୁଟୁଛି

ଗଞ୍ଜାମ ଜିଲ୍ଲାରେ କପାର ଅଭାବୀ ବିକ୍ରି, ୬ଟି ବ୍ଲକ୍‌କୁ କମିଲାଣି ଚାଷ

ବ୍ରହ୍ମପୁରୀ : ଗଞ୍ଜାମ ଜିଲ୍ଲାରେ ଧଳା ସୁନା ବା କପା ଚାଷ ପାଇଁ ଚାଷୀଙ୍କ ଆଗ୍ରହ କମିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଅଭାବୀ ବିକ୍ରି। ଯେଉଁଥିପାଇଁ, ଜିଲ୍ଲାର ୧୦ଟି ବ୍ଲକ୍‌ରେ ହେଉଥିବା ଏହି ଚାଷ ୬ଟି ମଧ୍ୟରେ ସୀମିତ ହୋଇ ସାରିଲାଣି। ଗତ କିଛି ବର୍ଷ ଧରି ଏଭଳି ପରିସ୍ଥିତି ଲାଗି ରହିଥିବାବେଳେ ପ୍ରଶାସନ କୌଣସି ପଦ‌କ୍ଷେପ ଗ୍ରହଣ କରୁନାହିଁ।

ପ୍ରାପ୍ତ ସୂଚନା ଅନୁଯାୟୀ, ବର୍ଷା ଅଧିକ ରହିଥିବା ଅଞ୍ଚଳରେ ସାଧାରଣତଃ କପା ଚାଷ ହୋଇଥାଏ। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି, ଦିଗପହଣ୍ଡି, ଶେରଗଡ, ପାତ୍ରପୁର, ‌ସୋରଡା, କୁକୁଡାଖଣ୍ଡି, ଚିକିଟି, ଜଗନ୍ନାଥପ୍ରସାଦ, ଭଞ୍ଜନଗର ଏବଂ ଧରାକୋଟ ଅଞ୍ଚଳରେ କପା ଚାଷ ହୋଇଥାଏ।

୨୦୧୪-୧୫ରେ ୭ଟି ବ୍ଲକ ଅଞ୍ଚଳରେ ୯୯୧ ହେକ୍ଟର ଜମିରେ କପା ଚାଷ ହୋଇଥିଲା। ୨୦୧୫-୧୬ରେ ୬ଟି ବ୍ଲକରେ ୯୫୫ ହେକ୍ଟର ଏବଂ ୨୦୧୬-୧୭ରେ ୭୭୮ ହେକ୍ଟର କପା ଚାଷ ହୋଇଥିଲା। କିନ୍ତୁ ୨୦୧୭-୧୮ ମସିହାରେ ୯ଟି ବ୍ଲକରେ ୭୯୧ ହେକ୍ଟର ଇଲାକା ଚାଷ କରାଯାଇଥିଲା। ୨୦୧୮-୧୯ ୧ହଜାର ହେକ୍ଟର ଜମି କପା ଚାଷ ଲାଗି କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ଚାଷୀ ମନ ନ ବଳାଇବାରୁ ୬ଟି ବ୍ଲକରେ ୭୬୬ହେକ୍ଟର ଜମିରେ କପା ଚାଷ ହୋଇଛି। ଜଗନ୍ନାଥ ପ୍ରସାଦ, ଭଞ୍ଜନଗର, କୁକୁଡା ଖଣ୍ଡି ଓ ଚିକିଟି ଅଞ୍ଚଳରେ କିଛି ବର୍ଷ ହେଲା କପା ଚାଷ ଆଉ ହେଉନାହିଁ। ଗୋଟିଏ ପାର୍ଶ୍ବରେ ବିକ୍ରୟର ସୁବିଧା ନ ଥିବା ଅନ୍ୟପକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ କାଳ ସାଜିଛି। ଚଳିତ ବର୍ଷ ଖରିଫରେ ସେ‌‌‌ପ୍ଟେମ୍ବର ମାସ ପର୍ଯ୍ୟନ୍ତ ଜିଲ୍ଲାରେ ବର୍ଷା ଠିକ୍‌ ରହିଥିଲା। କିନ୍ତୁ ଅକ୍ଟୋବର ୧୦ ତାରିଖର ତିତଲି ବାତ୍ୟା କପା ଚାଷୀର ସବୁ କିଛି ଛଡାଇ ନେଇଛି। କପା ଫସଲ ୩୩ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତି ହୋଇଛି।

ଚଳିତବର୍ଷ ମଧ୍ୟମ ଧରଣ ଲମ୍ବା କପାର ସର୍ବ ନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୫୧୫୦ ଟଙ୍କା ଏବଂ ଉନ୍ନତମାନର କପାର ମୂଲ୍ୟ କୁଇଣ୍ଟାଲ ପିଛା ୫୪୫୦ ଟଙ୍କା କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଉନ୍ନତ ମାନର କପା ଚାଷ ହେଉଥିବାବେଳେ ହେକ୍ଟର ପିଛା ୮.୬୭ କୁଇଣ୍ଟାଲ ହାରରେ ୬୫୫୪ କୁଇଣ୍ଟାଲ ଉତ୍ପାଦନ ହେବ ବୋଲି ଜିଲ୍ଲା କୃଷି ବିଭାଗ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ଜିଲ୍ଲାର ସାନଖେମୁଣ୍ଡି, ଶେରଗଡ, ‌ସୋରଡା, ଦିଗପହଣ୍ଡି, ପାତ୍ରପୁର ଓ ଧରାକ‌ୋଟ ଅଞ୍ଚଳରେ କପା ଚାଷ ହୋଇଛି। କପା ଫସଲ ୪ ପର୍ଯ୍ୟାୟରେ ତୋଳା ଯାଇଥାଏ। ବର୍ତ୍ତମାନ ଗୋଟିଏ ପର୍ଯ୍ୟାୟ କପା ତୋଳା ସରିଲାଣି। ଗତ ୪ତାରିଖରେ ଛତ୍ରପୁର ଠାରୁ ଗଞ୍ଜାମ ଜିଲା ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷା କପା ବିକ୍ରୀ ଏକ ସମୀକ୍ଷା ବୈଠକ ବସିଥିଲା। କିନ୍ତୁ ଉକ୍ତ ବୈଠକରେ କପା ବିକ୍ରୀ କିଭଳି ତାହାର ରୁପରେଖ ମଧ୍ୟ ସ୍ଥିର ହୋଇନାହିଁ। ଫାଇଲିନ ଅଧା କପା ଫସଲ ଛଡାଇ ନେଇଥିବା ବେଳେ ବାକି କପା କିଭଳି ବିକିବେ ତାହାକୁ ନେଇ ଚାଷୀ ଏବେ ଚିନ୍ତାରେ ରହିଛନ୍ତି।
ଏ ସମ୍ପର୍କରେ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ମନୋଜ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ‌ଯେ, ଗଞ୍ଜାମ ଜିଲାରେ ଉନ୍ନତ ମାନର କପା ଚାଷ ହେଉଛି। କିନ୍ତୁ କମ ପରିମାଣ କପା ଚାଷ ହେଉଥିବାରୁ ବଡ ବ୍ୟବସାୟୀ ନେବାକୁ ଆସୁ ନାହାନ୍ତି। ତେଣୁ ସମସ୍ୟା ଉପୁଜୁଛି। ଚଳିତ ନିୟନ୍ତ୍ରିତ ବଜାର କମିଟି ଜରିଆରେ କିଭଳି ବିକ୍ରି କରାଯାଇପାରିବ, ସେଥିଲାଗି ଉଦ୍ୟମ ଜାରି ରହିଛି।

ସମ୍ବନ୍ଧିତ ଖବର