ନିଶାଯୁକ୍ତ ୧୪୪୦୦ ବୋତଲ କଫସିରଫ ଜବତ, ଦୁଇ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ପୁଲିସକୁ ସଫଳତା। ଆନ୍ତଃରାଜ୍ୟ ନିଶା ବେପାରର ପର୍ଦ୍ଦାଫାସ। ବିପୁଳ ପରିମାଣର କଫସିରଫ ଜବତ। ଆଜି ସକାଳୁ ସକାଳୁ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କନ୍ଦାଗାଡ ଜଂଗଲ ଭିତରେ ଏକ ଟ୍ରକରେ କଫସିରଫ ଚାଲାଣ ହେଉଥିବା ଖବର ପାଇଥିଲା ପୁଲିସ ।

ତୁରେକେଲା ଥାନା ଅଧିକାରୀ କମଳ ଲୋଚନ ବେହେରା ଏବଂ କଣ୍ଟାବାଞ୍ଜି  ଥାନାଧିକାରୀ ସତ୍ୟଜିତ ଖଣ୍ଡେଲକେଲ ପୂରା ଟିମ୍ ସହିତ ଚଢଉ କରିଥିଲେ । ଦୁଇଜଣଙ୍କୁ ପୋଲିସ କାବୁ କରିଥିବା ବେଳେ, ଟ୍ରକକୁ ଜବତ କରିଥିଲା । ଟ୍ରକ ଭିତରୁ ୯୦ ପେଟି ଏସକରଫ କଫସିରଫ ଜବତ କରିଛି ପୁଲିସ । ମୋଟ ୧୪୪୦୦ଟି  ବୋତଲ ଥିବା ବେଳେ ଏହାର ଆନୁମାନିକ ବଜାର ମୂଳ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଟ୍ରକଟି କର୍ଣ୍ଣାଟକ ରାଜ୍ୟର ହୋଇଥିବା ବେଳେ ଗିରଫ ଡ୍ରାଇଭର ମଧ୍ୟ କର୍ଣ୍ଣାଟକ ରାଜ୍ୟର । ଗିରଫ ଆଉ ଜଣେ  ବ୍ୟକ୍ତି ତୁରେକେଲା ଥାନା ଅର୍ନ୍ତଗତ ଖୁଜେନବାହାଲି ଗାଁର ବୋଲି ଜଣାପଡ଼ିଛି ।

ଜଂଗଲ ଭିତରେ କଫସିରଫର ନିଶା ବଢାଇବା ପାଇଁ ସେଥିରେ ନିଶା ଟାବଲେଟ ମିଶା ଯାଉଥିବା ସମୟରେ ପୁଲିସ ଚଢଉ କରିଥିଲା । କିଛି ଟାବଲେଟ ଏବଂ ନଗଦ ୧୩ ହଜାର ଟଙ୍କା ଜବତ କରିଛି ପୁଲିସ । ଜଂଗଲ ଭିତରେ କଫସିରଫରେ ନିଶା ଟାବଲେଟ ମିଶାଇ ବିଭିନ୍ନ ବେପାରୀଙ୍କ ଜରିଆରେ ଚଢା ଦରରେ ନିଶା କାରବାର କରାଯିବାର ଯୋଜନା ଥିଲା। ଏହି ଘଟଣାରେ ଆଉ ଅନ୍ୟ କେଉଁମାନେ ସଂପୃକ୍ତ ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର