ବଲାଙ୍ଗୀର : ପଶ୍ଚିମ ଓଡ଼ିଶାରେ ବେଆଇନ୍ କଫ୍ ସିରପ୍ କାରବାରର କିଙ୍ଗପିନ୍ କୁହାଯାଉଥିବା ସାନ ନେଗୀ ଧରାପଡ଼ିଛି। ନିଶା ଜହରର ଏହି ମାଫିଆ ବାରବାର ପୁଲିସକୁ ଚକ୍ମା ଦେଇଚାଲିଥିଲା। ହେଲେ ଏଥର ତାର ଦୁଇ ଜଣ ମୁଖ୍ୟ ସହଯୋଗୀଙ୍କ ସହିତ ସାନନେଗୀକୁ ବଲାଙ୍ଗୀର ପୁଲିସ ଭୁବନେଶ୍ୱରରୁ ଧରିଥିବା ସୂଚନା ମିଳିଛି। ଏ ସଂପର୍କରେ ଆନୁଷ୍ଠାନିକ ଘୋଷଣା କରିନଥିଲେ ମଧ୍ୟ ସମସ୍ତଙ୍କୁ ଅଜ୍ଞାତ ସ୍ଥାନରେ ରଖି ଜେରା ଚଳାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ସେମାନେ ମେଲାଇଥିବା ନିଶା ସାମ୍ରାଜ୍ୟ ସଂପର୍କରେ ଅଧିକ ଖୋଳତାଡ଼ କରୁଛି ପୁଲିସ।
ସୂଚନାଯୋଗ୍ୟ ଯେ, ୨୦୧୯ ମେ ମାସରେ ଜେଲ୍ ଯାଇଥିଲା ସାନ ନେଗୀ। ସେ ସମୟରେ ମଧ୍ୟ ଭୁବନେଶ୍ୱରରୁ ପୁଲିସ ସାନ ଓ ତାର ସହଯୋଗୀ ପ୍ରଶାନ୍ତ କ୍ଷେତୀକୁ ଗିରଫ କରିଥିଲା। ପରେ ସେମାନେ ଜାମିନରେ ଆସି ପୁଣି ନିଶା କାରବାରର ସାମ୍ରାଜ୍ୟ ବଢ଼ାଇଥିଲେ। ସମଗ୍ର ପଶ୍ଚିମ ଓଡ଼ିଶାରୁ ରାୟପୁର ପର୍ଯ୍ୟନ୍ତ ଲମ୍ବିଥିଲା ସେମାନଙ୍କ ନେଟ୍ୱାର୍କ। ସବୁ କାରବାରକୁ ନିୟନ୍ତ୍ରଣ କରୁଥିଲା ସାନ ଓ ତା ଗ୍ୟାଙ୍ଗ୍। ଗତ ବର୍ଷ ନଭେମ୍ବର ମାସ ୨୮ତାରିଖ ଦିନ ଏକ ମ୍ୟାକ୍ସ ପିକ୍ଅପ୍ ଗାଡ଼ିରେ ହଜାର ହଜାର ବୋତଲ କଫ୍ ସିରପ୍ ବଲାଙ୍ଗୀର ଆସୁଥିବା ପୁଲିସ ଖବର ପାଇଥିଲା। ଉକ୍ତ ଗାଡ଼ିକୁ ପୁଲିସର ସ୍ୱତନ୍ତ୍ର ଟିମ୍ ଅଟକାଇଥିଲା। ସେହି ଘଟଣାରେ ସାନର ସହଯୋଗୀ ପ୍ରଶାନ୍ତ କ୍ଷେତୀ, ମ୍ୟାକ୍ସ ପିକ୍ଅପ୍ର ଡ୍ରାଇଭର ସମେତ ତିନି ଜଣଙ୍କୁ ଗିରଫ କରି ଜେଲ୍ ପଠାଯାଇଥିଲା। କିନ୍ତୁ, ସାନ ଫେରାର୍ ହୋଇଯାଇଥିଲା।
ଏହା ପରେ ପୁଲିସ ସାନ ଓ ତାର ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ସାନ ଧରା ପଡ଼ିନଥିଲେ ବି ସ ଯେଉଁ ସବୁ ସ୍ଥାନକୁ କଫ୍ ସିରପ୍ ପହଞ୍ଚାଉଥିଲା ସେହି ସବୁ ସ୍ଥାନର ବିଭିନ୍ନ ଗୋଡ଼ାଉନରୁ ହଜାର ହଜାର ବୋତଲ କଫ୍ ସିରପ୍ ଜବତ କରିବାରେ ପୁଲିସ ସଫଳ ହୋଇଥିଲା। ଗତ ଦୁଇ ଦିନ ତଳେ କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗୀର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଯାଇ କିଙ୍ଗପିନ୍ ସାନ ସହ ତାର ଦୁଇ ଜଣ ସହଯୋଗୀ ଫାରୁକ ଖାନ୍ ଓ ଅଜିତ ନନ୍ଦଙ୍କୁ ଧରିବାରେ ସଫଳ ହୋଇଛନ୍ତି। ସେମାନଙ୍କୁ ଏକ ଗୁପ୍ତ ସ୍ଥାନରେ ଜେରା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।