ତୃତୀୟ ମହଲାକୁ ଅକ୍ଷେପ : ପ୍ରମିଳା ଓ ଉଷାଙ୍କ ରିପୋର୍ଟ ପରେ ବୈଜୟନ୍ତଙ୍କୁ ବିଶ୍ୱାସକୁ ନେବେ କି ନବୀନ!

 

ଭୁବନେଶ୍ୱର( ସରୋଜ କୁମାର ଦାଶ) : ଦିନକୁ ଦିନ ସରଗରମ ହେବାରେ ଲାଗିଛି ବିଜେଡି ରାଜନୀତି। ବିଶେଷ କରି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ବର୍ତ୍ତମାନ ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି। ଗତ ୪ ବର୍ଷ ହେବ ଦଳୀୟ କର୍ମୀମାନଙ୍କ ସହିତ ସମ୍ପର୍କ ରଖି ନାହାନ୍ତି ବୋଲି ଦଳୀୟ କର୍ମୀଙ୍କ ଅଭିଯୋଗ ପରେ ସଭାପତି ଦଳର ଦୁଇ ତୁଙ୍ଗ ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀଙ୍କୁ ଏହାର ତଦନ୍ତ କରିବାକୁ ଦେଇଛନ୍ତି। ଇତିମଧ୍ୟରେ ପ୍ରମିଳା ମଲ୍ଲିକ ଦଳୀୟ କର୍ମୀଙ୍କୁ ଭେଟି ଓ ସାଂସଦ ବୈଜୟନ୍ତଙ୍କ ସହ ଫୋନରେ କଥା ହୋଇ ସଭାପତି ନବୀନଙ୍କୁ ନିଜର ରିପୋର୍ଟ ଦେଇ ସାରିଛନ୍ତି। ଯାହା ସୂଚନା ମିଳୁଛି ଏଥିରେ ବୈଜୟନ୍ତଙ୍କ ବିରୋଧରେ ଅଧିକ ମତ ରହିଛି। ଅନ୍ୟପକ୍ଷରେ ଉଷା ଦେବୀ ମଧ୍ୟ ତାଙ୍କର ତଦନ୍ତ ଶେଷ କରିଛନ୍ତି। ସେ ବି ଦଳୀୟ କର୍ମୀଙ୍କୁ ଜଣ ଜଣ କରି ଭେଟି କବାଟକିଳା ଆଲୋଚନା କରିଛନ୍ତି। ବିଜେଡି ସଭାପତି ଭୁବନେଶ୍ୱରରେ ନ ଥିବାରୁ ସେ ତାଙ୍କ ରିପୋର୍ଟ ପ୍ରଦାନ କରିପାରି ନାହାନ୍ତି। ରାଜନୈତିକ ମହଲରେ ଏବେ ସମସ୍ତଙ୍କ ଦୃଷ୍ଟି ନବୀନ ନିବାସ ଉପରେ। ରିପୋର୍ଟ ପାଇବା ପରେ କି ପ୍ରକାର ନିଷ୍ପତ୍ତି ନେବେ ବିଜେଡି ସୁପ୍ରିମୋ।

ଅନ୍ୟପକ୍ଷରେ ରାଜ୍ୟର ୨୦ ଜଣ ବିଜେଡି ଲୋକସଭା ସାଂସଦଙ୍କ ମଧ୍ୟରୁ କେହି ଯଦି ନିୟମିତ ନିର୍ବାଚନମଣ୍ଡଳିରେ ସମ୍ପର୍କ ରଖିଥାନ୍ତି, ତେବେ ସେମାନଙ୍କ ମଧ୍ୟରେ ସାଂସଦ ଶ୍ରୀ ପଣ୍ଡା ନିଶ୍ଚିତ ଭାବେ ପଛରେ ରହିବେ ନାହିଁ। ତଥାପି ତାଙ୍କ ନାମରେ ଅଭିଯୋଗ ଆସିଛି ଯେ ଶ୍ରୀ ପଣ୍ଡା ଗତ ୪ ବର୍ଷ ହେବ ଦଳୀୟ କର୍ମୀମାନଙ୍କ ସହିତ ସମ୍ପର୍କ ରଖି ନାହାନ୍ତି। ଯଦିଓ ଏ ନେଇ ବିଧାୟକମାନେ ବେଶ୍‌ ସତର୍କ ହୋଇ ମନ୍ତବ୍ୟ ଦେଉଛନ୍ତି, କିନ୍ତୁ ବୈଜୟନ୍ତଙ୍କୁ ଘେରିବା ପାଇଁ ବ୍ଲକ୍‌ସ୍ତରୀୟ ନେତାଙ୍କୁ ଆଗକୁ ପଠାଯାଇଛି। ଯେତେଦିନ ପର୍ଯ୍ୟନ୍ତ ସାଂସଦ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲାର ସୁନଜରରେ ଥିଲେ, ସେ ପର୍ଯ୍ୟନ୍ତ ତାଙ୍କ ନାମରେ କେହି କିଛି ଅଭିଯୋଗ କରୁ ନ ଥିଲେ। ମାତ୍ର ଥରେ ତୃତୀୟ ମହଲାକୁ ଆକ୍ଷେପ କରି ମନ୍ତବ୍ୟ ଦେବା ଓ ଟ୍ଵିଟ୍‌ କରିବା ପରେ ବର୍ତ୍ତମାନ ବୈଜୟନ୍ତଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ ହେବା ଭଳି ମନେହେଉଛି ।

ଯଦିଓ ବିଜେଡି ରାଜନୀତିରେ ତଦନ୍ତ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନର କୌଣସି ଇତିହାସ ନାହିଁ, ତଥାପି ବୈଜୟନ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଦୁଇଜଣ ବରିଷ୍ଠ ନାରୀନେତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ୪ ବର୍ଷ ହେଲା ସାଂସଦ ଶ୍ରୀ ପଣ୍ଡା ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିଲେ ବୋଲି ବ୍ଲକ୍‌ସ୍ତରୀୟ ନେତାମାନେ ଅଭିଯୋଗ କରୁଛନ୍ତି। ମାତ୍ର ଗତ ୪ ବର୍ଷ ହେଲା ଦଳୀୟ ନେତା ଓ କର୍ମୀମାନେ ଏ ନେଇ ଚୁପ୍‌ ଥିଲେ। ତୃତୀୟ ମହଲା ସହିତ ସାଂସଦ ଶ୍ରୀ ପଣ୍ଡାଙ୍କର ସମ୍ପର୍କ ଖରାପ ହେବା ପରେ ବ୍ଲକ୍‌ସ୍ତରୀୟ ନେତାମାନେ ତାଙ୍କୁ ଯେ ଅବହେଳା କରାଯାଇଛି, ସେ ନେଇ ବେଶ୍‌ ସଚେତନ ହୋଇ ଉଠିଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ ସାଂସଦ ଶ୍ରୀ ପଣ୍ଡାଙ୍କର ସମ୍ପର୍କ ପ୍ରଥମେ ଜିଲ୍ଲାରୁ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିବା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସହ ଖରାପ ହୋଇଥିଲା। ପରେ ଏବେକାର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ସହ ତାଙ୍କର ବିବାଦ ଆରମ୍ଭ ହୋଇଛି । ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳିର ପ୍ରତିଷ୍ଠିତ ବିଜେଡି ନେତାମାନେ ସାଂସଦ ଶ୍ରୀ ପଣ୍ଡାଙ୍କ ବିରୋଧରେ ମୁଣ୍ଡ ଉଠାଉଥିଲେ। ମାତ୍ର ଏବେ ଏଥିରେ ବ୍ଳକସ୍ତରୀୟ ନେତାମାନେ ସାମିଲ ହୋଇଛନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସାଂସଦଙ୍କ ବିରୋଧରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅଭିଯୋଗ କରିବା ପରେ ଆରମ୍ଭ ହୋଇଛି ସାଂସଦ ବିରୋଧୀ କାର୍ଯ୍ୟକ୍ରମ। ମହାକାଳପଡ଼ା , କେନ୍ଦ୍ରାପଡ଼ା, ସାଲେପୁର ବ୍ଲକସ୍ତରୀୟ ନେତାମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସାଂସଦ ଶ୍ରୀ ପଣ୍ଡାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଯାହାକୁ ବିଚାରକୁ ନେଇ ଦଳର ସଭାପତି ତଦନ୍ତ ନିଷ୍ପତ୍ତି ନେଇଛନ୍ତି।

ଅପରପକ୍ଷେ , ସାଂସଦ ଶ୍ରୀ ପଣ୍ଡାଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ନିକଟରେ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହୋଇଥିବା ବରିଷ୍ଠ ବିଜେଡି ନେତା ଡା. ଦାମୋଦର ରାଉତ। କହିଛନ୍ତି ସାଂସଦ ଶ୍ରୀ ପଣ୍ଡାଙ୍କର ଦଳର ମୁଖ୍ୟଙ୍କ ପ୍ରତି ଆନୁଗତ୍ୟ ରହିଛି। ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି। କେବଳ ତାଙ୍କର କେତେକ ଲେଖାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି ଯାହା। ତେବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ କରି ବର୍ତ୍ତମାନ ସାଂସଦ ଶ୍ରୀ ପଣ୍ଡା ଯେତେ ପ୍ରମାଣ ଦେଲେ ମଧ୍ୟ ସେ ଯେ ଆଉ ଦଳର ମୁଖ୍ୟଙ୍କ ବିଶ୍ୱାସ ପୁଣି ଥରେ ଜିତିପାରିବେ ସେ ନେଇ ସନ୍ଦେହ ଥିବା ରାଜନୈିିତିକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର