ଆରମ୍ଭ ହୋଇପାରୁନି ‘ଅମ୍ଲାନ୍’

ଆସିଲା ୧୨ହଜାରରୁ ଅଧିକ ହିମୋଗ୍ଲୋବିନ୍‌ମିଟର, ହିମୋଗ୍ଲୋବିନମିଟର କିଣାକୁ ନେଇ ଆସିଥିଲା ଦୁର୍ନୀତିର ଗନ୍ଧ

ଭୁବନେଶ୍ବର : ରାଜ୍ୟରେ ରକ୍ତହୀନତା ଦୂର ପାଇଁ ସରକାର ‘ଅମ୍ଲାନ୍’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏ ନେଇ ଦୁଇ ଦୁଇ ଥର ଉଚ୍ଚସ୍ତରୀୟ ବୈଠକ ବସିସାରିଛି। ରୋଗୀଙ୍କୁ ଚିହ୍ନଟ ପାଇଁ ହିମୋଗ୍ଲୋବିନ୍‌ମିଟର କିଣାଯାଇଛି। ହେଲେ କାର୍ଯ୍ୟକ୍ରମ କେବେ ଆରମ୍ଭ ହେବ, ନିଷ୍ପତ୍ତି ହୋଇପାରୁନି।

YouTube

ଦେଶ ତଥା ରାଜ୍ୟରେ ୧୯୭୦ ମସିହାରୁ ରକ୍ତହୀନତା କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମ ଜରିଆରେ ମହିଳା ଓ ଶିଶୁମାନଙ୍କୁ ରକ୍ତହୀନତା ଦୂର ପାଇଁ ବଟିକା ଦିଆଯାଉଛି। ଅଥଚ କିଛିମାସ ତଳେ ପ୍ରକାଶ ପାଇଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ରାଜ୍ୟରେ ରକ୍ତହୀନତା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଜଣାପଡ଼ିଥିଲା। ୧୫-୪୯ବର୍ଷର ମହିଳା ବର୍ଗରେ ୬୪.୩ ପ୍ରତିଶତ ଓ ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ଏଥିରେ ଆକ୍ରାନ୍ତ ଥିବା କୁହାଯାଇଥିଲା। ଅନୁଗୁଳରେ ସର୍ବାଧିକ ୭୫.୮ ଓ କନ୍ଧମାଳରେ ସର୍ବନିମ୍ନ ୪୮.୮ ମହିଳା ଏଥିରେ ଅଛନ୍ତି। ତେଣୁ ରକ୍ତହୀନତାକୁ ହ୍ରାସ କରିବା ଲାଗି ରାଜ୍ୟ ସରକାର ଆକ୍ସିଲିରେଟେଡ୍ ରିଡକ୍ସନ୍ ଅଫ ଏନିମିଆ ଇନ୍ ଓଡ଼ିଶା ବା ଅମ୍ଲାନ୍ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଗତ ଫେବ୍ରୁଆରି ମାସରେ ଏହାର ପ୍ରଥମ ବୈଠକ ବସିଥିଲା। ପରବର୍ତୀ ସମୟରେ ମଧ୍ୟ ଏହାର ଦ୍ବିତୀୟ ବୈଠକ ମଧ୍ୟ ହୋଇଥିଲା। ତେଣୁ ଖୁବଶୀଘ୍ର ରାଜ୍ୟ ସରକାର ଏହି ଯୋଜନାକୁ ଆରମ୍ଭ କରିବେ ବୋଲି ଆଶା କରାଯାଉଥିଲା। ହେଲେ ବର୍ତମାନସୁଦ୍ଧା ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ତେଣୁ ପ୍ରକୃତରେ ଯୋଜନା କାର୍ଯ୍ୟକାରୀ ହେବ ନା ପୂର୍ବଭଳି ଘୋଷଣାରେ ରହିଯିବ ତାହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି।

bosch-presse.de

ପୂର୍ବରୁ ହୋଇଥିବା ବୈଠକରେ ସ୍କୁଲ ପାଠ୍ୟକ୍ରମରେ ନ୍ୟୁଟ୍ରେସନ୍ ଜନିତ ଶିକ୍ଷା ଓ ରକ୍ତହୀନତାର ବିଭିନ୍ନ ଦିଗକୁ ସାମିଲ କରିବା ନେଇ ଆଲୋଚନା ହୋଇଥିଲା। ଏହାସହ ଉଦ୍ୟାନ କୃଷି, ମହିଳା ଓ ଶିଶୁ ବିକାଶ ଓ ଏସ୍‌ସି ଓ ଏସ୍‌ଟି ବିଭାଗର ମିଳିତ ଉଦ୍ୟମରେ ନ୍ୟୁଟ୍ରି ଗାର୍ଡେନ୍ ମଧ୍ୟ ପ୍ରତିଷ୍ଠା କରାଯିବ। ରକ୍ତହୀନତାର ଶିକାର ହୋଇଥିବା ପିଲାମାନେ ଆଇରନ୍-ଫଲିକ୍ ଏସିଡ ବା ଆଇଏଫ୍‌ଏର ସେବନ ଠିକ୍ ଭାବେ କରୁଛନ୍ତି କି ନାହିଁ ସ୍ପଷ୍ଟ କରିବା ଲାଗି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏହାର ସୁପରଭାଇଜ୍ ଦାୟିତ୍ବ ଦିଆଯିବ। ରକ୍ତହୀନତାର ଶିକାର ଲୋକମାନଙ୍କୁ ଚିହ୍ନଟ କରିବା ସରକାରଙ୍କ ପ୍ରମୁଖତାରେ ରହିଛି। ଏଥିପାଇଁ ରାଜ୍ୟରେ ୧୨,୯୩୬ଟି ଡିଜିଟାଲ ହିମୋଗ୍ଲୋବିନମିଟର ଅଣାଯାଇଛି। ଏଏନ୍‌ଏମ୍‌, ମହିଳ/ପୁରୁଷ ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଏଥିରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଅମ୍ଲାନ୍ କାର୍ଯ୍ୟକ୍ରମ ପାଇଁ ଦୁଇ ଦୁଇ ‌ଥର ବୈଠକ ଅନୁଷ୍ଠିତ ହୋଇଛି। ରକ୍ତହୀନତା ରୋଗୀଙ୍କୁ ଚିହ୍ନଟ କରିବା ଲାଗି ନିକଟରେ ୧୨ହଜାରରୁ ଅଧିକ ହିମୋଗ୍ଲୋବିନମିଟର ଆସିଛି। ଏହାକୁ ଜିଲ୍ଲାମାନଙ୍କୁ ପ୍ରଦାନ କରାଯାଇଛି। ତେବେ କାର୍ଯ୍ୟକ୍ରମର କେବେ ଶୁଭାରମ୍ଭ ହେବ ତାହା ନେଇ ବିଭାଗ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇନାହିଁ। ବିଭାଗରୁ ନିର୍ଦେଶ ଆସିବା ପରେ କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର