ପାଟଣା: ମନରେଗା ଯୋଜନାରେ ଗୁହାଳ ନିର୍ମାଣ ପାଇଁ ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି। ହେଲେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ବଡ଼ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର ମଙ୍ଗୁଳୁ ବାରିକ ୪ ବର୍ଷ ତଳୁ ଏହି ଯୋଜନାରେ କାର୍ଯ୍ୟାଦେଶ ପାଇ ଗୁହାଳ ନିର୍ମାଣ କରିଥିଲେ ମଧ୍ୟ ଏଯାଏ ତାଙ୍କୁ ଅନୁଦାନ ରାଶି ମିଳିନଥିବା ଅଭିଯୋଗ ହୋଇଛି। ମଙ୍ଗୁଳୁଙ୍କୁ ମନରେଗା ଯୋଜନାରେ ପତ୍ର ସଂଖ୍ୟା ୪୧୨/୨୦୧୯ରେ ଗୁହାଳ ନିର୍ମାଣ ପାଇଁ ପାଟଣା ବିଡିଓଙ୍କ ପକ୍ଷରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଗୁହାଳ ନିର୍ମାଣ ୧ ଲକ୍ଷ ୧୩ ହଜାର ଟଙ୍କା ଅନୁଦାନ ଦିଆଯିବ ବୋଲି କାର୍ଯ୍ୟାଦେଶରେ ଉଲ୍ଲେଖ ରହିଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଅଧିକାରୀଙ୍କ ତଦାରଖକ୍ରମେ ମଙ୍ଗୁଳୁ ଧାରକରଜ କରି ୩ ମାସ ମଧ୍ୟରେ ଗୁହାଳ କାମ ସାରିଦେଲେ।
ଇତିମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କୁ ତାଙ୍କ ପ୍ରାପ୍ୟ ମିଳିନାହିଁ। ଅନୁଦାନ ରାଶି ପାଇବା ପାଇଁ ମଙ୍ଗୁଳୁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି। ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି। ହେଲେ କୌଣସି ସୁଫଳ ମିଳୁନି। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ସେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। କେବଳ ମଙ୍ଗୁଳୁ ନୁହନ୍ତି ତାଙ୍କ ଭଳି ଅନେକ ହିତାଧିକାରୀ ଏହି ଯୋଜନାରେ କାର୍ଯ୍ୟାଦେଶ ପାଇ ଗୁହାଳ ନିର୍ମାଣ କରିଥିଲେ ମଧ୍ୟ ସେମାନଙ୍କୁ ପ୍ରାପ୍ୟ ମିଳିନଥିବା ଅଭିଯୋଗ ହୋଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।