ଭୁବନେଶ୍ବର: ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର ପାଲଟିଥିବା ପୂର୍ବତନ ଆଇଏଏସ୍‌ ଅଧିକାରୀ ଭି କେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଅବସର ଗ୍ରହଣ କରିଛନ୍ତି। ବିଜେଡିର ପରାଜୟର ୬ ଦିନ ପରେ ଏକ ଭିଡିଓ ବାର୍ତ୍ତା ଜାରି କରି ସେ ଏହି ସୂଚନା ଦେଇଛନ୍ତି। ଏହାସହ ବିଜେଡିର ପରାଜୟ ପାଇଁ ସେ ବିଜୁ ପରିବାରକୁ କ୍ଷମା ମାଗିଛନ୍ତି। ବିଜେଡି ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଦଳ ଭିତରେ ଅସନ୍ତୋଷ ତେଜୁଥିଲା ବେଳେ ଗତକାଲି ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସାର୍ଟିଫିକେଟ୍‌ ଦେଇଥିଲେ। ତଥାପି ଅସନ୍ତୋଷକୁ ଏହା ଥମାଇ ପାରି ନଥିଲା। ଓଲଟି ନବୀନ ଲୋକଙ୍କ ରୋଷର ଶିକାର ହୋଇଥିଲେ। ଫଳରେ ଆଜି ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇ ଏହି ଚର୍ଚ୍ଚାକୁ ବିରାମ ଦେବାକୁ ଯୋଜନା କରିଛନ୍ତି। ଏହା ସହ ତାଙ୍କର ମାତ୍ର ସାଢ଼େ ୬ ମାସର ଘଟଣାବହୁଳ ରାଜନୈତିକ ଜୀବନର ଅବସାନ ଘଟିଛି। ତେବେ ସେ ନବୀନଙ୍କ ପାଖରେ ଛାଇ ହୋଇ ପୂର୍ବ ପରି ରହିବେ ନା ଆଉ କିଛି ଯୋଜନା ରହିଛି, ତାହା ସ୍ପଷ୍ଟ କରିନାହାନ୍ତି।

Advertisment

ଭିଡିଓ ବର୍ତ୍ତାରେ ପାଣ୍ଡିଆନ କହିଛନ୍ତି, ମୁଁ ଏକ ଛୋଟ ଗାଁର ସାଧାରଣ ପରିବାରରୁ ଆସିଛି। ଆଇଏଏସ୍‌ ଅଫିସର ହୋଇ ଲୋକଙ୍କ ସେବା କରିବାକୁ ଛୋଟ ବେଳୁ ସ୍ବପ୍ନ ଦେଖୁଥିଲି। ମୋ ପରିବାର କେନ୍ଦ୍ରାପଡ଼ାର ହୋଇଥିବାରୁ ମୁଁ ଓଡ଼ିଶା ଆସିବାକୁ ସୁଯୋଗ ପାଇଥିଲି। ଏ ମାଟିରେ ପାଦ ଦେବାଠାରୁ ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଛି। ଧର୍ମଗଡ଼ରୁ ଆରମ୍ଭ କରି ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଯାଏ ମୁଁ ଲୋକଙ୍କ ପାଇଁ ବହୁ କାମ କରିବାକୁ ଚେଷ୍ଟା କରିଛି। ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲି। ନବୀନ ପଟ୍ଟନାୟକଙ୍କ ପାଇଁ କାମ କରିବା ମୋ ପାଇଁ ସମ୍ମାନର ବିଷୟ ଥିଲା। ଜୀବନରେ ତାଙ୍କ ଠାରୁ ବହୁତ ଶିଖିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ, ନୀତି ଓ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର ଭଲ ପାଇବା ମୋତେ ପ୍ରଭାବିତ କରିଥିଲା। ଓଡ଼ିଶା ପାଇଁ ତାଙ୍କର ଥିବା ଦୂରଦୃଷ୍ଟି ଲାଗୁ କରିବା ହିଁ ସେ ମୋ ଠାରୁ ଆଶା ରଖିଥିଲେ। ସେ ସଫଳତାର ବହୁ କୀର୍ତ୍ତିମାନ ଅତିକ୍ରମ କରିଛନ୍ତି। ସ୍ବାସ୍ଥ୍ୟ, ଶିକ୍ଷା, ଦାରିଦ୍ର୍ୟ ଦୂରୀକରଣ, କ୍ରୀଡ଼ାର ବିକାଶ, ମହିଳା ସଶକ୍ତୀକରଣ ଏବଂ ମନ୍ଦିର ଓ ଐତିହ୍ୟ କୀର୍ତ୍ତିରାଜିର ବିକାଶ ହୋଇଛି।
ଶ୍ରୀ ପାଣ୍ଡିଆନ ଆହୁରି କହିଛନ୍ତି, ସ୍କୁଲ୍‌ ଓ କଲେଜ ପିଲାଙ୍କ ପାଇଁ କାମ କରି ମୋତେ ଆତ୍ମସନ୍ତୋଷ ମିଳିଛି। ସରକାରୀ ସ୍କୁଲ୍‌ରେ ପଢ଼ୁଥିଲା ବେଳେ ମୋ ପାଖରେ ପିଲା ଦିନର ଅନୁଭବ ଥିଲା। ଯେତେବେଳେ ନବୀନ ପଟ୍ଟନାୟକ ୫-ଟି ମାଧ୍ୟମରେ ସ୍କୁଲ୍‌ ରୂପାନ୍ତରଣ କରିବାକୁ ଚାହିଲେ, ସେତେବେଳେ ସେହି ଅନୁଭବ ସହାୟକ ହୋଇଥିଲା। କୋଭିଡ୍‌ ସମୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ଲକ୍ଷ୍ୟରେ ଆମେ ସବୁ ଜିଲ୍ଲା ଗସ୍ତ କରିଥିଲୁ। ଆମେ ଦୁଇଟି ବାତ୍ୟା ଫନି ଓ ଫାଇଲିନ୍‌ର ସମ୍ମୁଖୀନ ହୋଇଥିଲୁ। ସେହି ସମୟରେ ପ୍ରତିଟି ଜୀବନ ବଞ୍ଚାଇବା ପାଇଁ ବହୁ କଠିନ ପରିଶ୍ରମ କରିଥିଲୁ।

ସେ ଆହୁରି କହିଛନ୍ତି, ମୁଁ ଆଇଏଏସ୍‌ ଚାକିରିରୁ‌ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିଲି। ମୁଁ ମୋ ମାର୍ଗଦର୍ଶକ ନବୀନ ପଟ୍ଟନାୟକଙ୍କୁ ସାହାଯ୍ୟ କରିବାକୁ ଚାହୁଥିଲି। ତାଙ୍କୁ ସହଯୋଗ କରିବା ହିଁ ମୋର ଏକମାତ୍ର ଉଦ୍ଦେଶ୍ୟ ରହିଥିଲା। ରାଜନୀତିକୁ ମୁଁ କମ୍ ସମୟ ହେଲା ଆସିଥିବାରୁ ବିରୋଧୀ ମୋ ବିଷୟରେ ଯେଉଁ ଧାରଣା ସୃଷ୍ଟି କଲେ ତାହାକୁ ଠିକ୍ ସମୟରେ ସଫଳତାର ସହ କାଉଣ୍ଟର୍ କରିବାକୁ ସମ୍ଭବତଃ ମୁଁ ବିଫଳ ହେଲି। ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବା ବ୍ୟତୀତ ଅନ୍ୟ କୌଣସି ଲକ୍ଷ୍ୟ ନେଇ ମୁଁ ବିଜେଡିକୁ ଆସି ନଥିଲି। ଏଥିପାଇଁ କୌଣସି ଦଳୀୟ ପଦପଦବିରେ ନଥିଲି କି ପ୍ରାର୍ଥୀ ହୋଇ ନଥିଲି। ଦୀର୍ଘ ୧୨ ବର୍ଷ ହେବ ମୁଁ ଭୋର୍‌ ୪ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲି। ଓଡ଼ିଶା ଓ ନବୀନ ପଟ୍ଟନାୟକଙ୍କୁ ଫୋକସ୍‌ରେ ରଖି ମୁଁ କାମ କରି ଚାଲିଥିଲି।
ପାଣ୍ଡିଆନ ଆହୁରି ସଫେଇ ଦେଇଛନ୍ତି ‌ଯେ ଆଜି ପର୍ଯ୍ୟନ୍ତ ମୋର ନିଜସ୍ବ ସମ୍ପତ୍ତି କିଛି ନାହିଁ। ମୁଁ ପାରିବାରିକ ଉତ୍ତରାଧିକାରୀ ସୂତ୍ରରେ ଯାହା ସମ୍ପତ୍ତି ପାଇଛି। ଏହାଛଡ଼ା ମୋ ପାଖରେ କିମ୍ବା ମୋ ପରିବାର ପାଖରେ ବିଶ୍ବର କୌଣସି ସ୍ଥାନରେ ସମ୍ପତ୍ତି ନାହିଁ। ଆଇଏଏସ୍‌ ଚାକିରିରେ ଯୋଗ ଦେଲା ବେଳେ ମୋ ସମ୍ପତ୍ତି ଯାହା ଥିଲା, ୨୪ ବର୍ଷ ପରେ ମଧ୍ୟ ତାହା ସମାନ ଅଛି। ମୋ ଜୀବନରେ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଓଡ଼ିଶାର ଲୋକବାସୀଙ୍କ ଭଲ ପାଇବା। ନବୀନ ବାବୁଙ୍କୁ ସହଯୋଗ କରିବା ପାଇଁ ହିଁ ମୋର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସେଥିପାଇଁ ମୁଁ ରାଜନୀତିରେ ଯୋଗ ଦେଇଥିଲି। କିନ୍ତୁ ମୁଁ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଉଛି। ଶେଷରେ ସେ କ୍ଷମା ମାଗି କହିଛନ୍ତି, ରାଜନୀତି ଯାତ୍ରାରେ ଯଦି ମୁଁ କାହାକୁ କଷ୍ଟ ଦେଇଛି, ତା’ହେଲେ ମୁଁ ଦୁଃଖିତ। ମୋ ବିରୋଧରେ ହେଉଥିବା ପ୍ରଚାର ଯୋଗୁ ଯଦି ବିଜେଡି କ୍ଷତି ସହିଛି, ସେଥିପାଇଁ ମୁଁ ଦୁଃଖିତ। ମୁଁ ହାତ ଯୋଡ଼ି ପୂରା ବିଜୁ ପରିବାରକୁ କ୍ଷମା ମାଗୁଛି। ମୋ ସହ ଜଡ଼ିତ ହୋଇ କାମ କରିଥିବା ଲକ୍ଷାଧିକ ବିଜୁ ପରିବାର କର୍ମୀମାନଙ୍କୁ କୃତଜ୍ଞତା ଜଣାଉଛି। ସବୁବେଳେ ଓଡ଼ିଶା ମୋ ହୃଦୟରେ ରହିବ।

ବିନା ଦସ୍ତଖତରେ ସବୁ କ୍ଷମତା ଉପଭୋଗ କଲେ, କ୍ୟାରିୟର୍‌ ଶେଷ ହେଲା ନା ମଧ୍ୟାନ୍ତର

ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ଚାକିରିରେ ସେ ଥିଲା ବେଳେ ପଦବି ପାଇଥିଲେ ୫-ଟି ସଚିବ। କିନ୍ତୁ ବିଭାଗଟି ଥିଲା ଅଦୃଶ୍ୟ। ସେହି ବିଭାଗର ନା କିଏ ମନ୍ତ୍ରୀ ଥିଲେ ନା କେଉଁଠି କାର୍ଯ୍ୟାଳୟ ଥିଲା। ଚାକିରି ଛାଡ଼ିଲା ପରେ ସେ ହେଲେ ୫-ଟି ଅଧ୍ୟକ୍ଷ। କିନ୍ତୁ ସେହି ବିଭାଗର ସଚିବ ଆଉ ଦରକାର ପଡ଼ିଲେନି। ୫-ଟି ନାଁରେ ସବୁ ବିଭାଗକୁ ସେ ନିୟନ୍ତ୍ରଣ କରୁଥିଲେ। କିନ୍ତୁ ଉତ୍ତରଦାୟୀ ନଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ବ୍ୟକ୍ତିଗତ ସଚିବ ନିଶ୍ଚିତ ଆବଶ୍ୟକ। ସାଧାରଣତଃ ଆଇଏଏସ୍‌ ଅଧିକାରୀ ହିଁ ଏହି ପଦବିରେ ରୁହନ୍ତି। ସେ ଚାକିରିରେ ଥିବା‌ ଯାଏ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ। ଆଉ ୨୦୨୩ ଅକ୍ଟୋବର ମାସରେ ସେ ଚାକିରି ଛାଡ଼ିଲା ପରେ ସେହି ପଦବି ଫାଙ୍କା ପଡ଼ିଲା। ‌ଯେମିତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବାକୁ ଓଡ଼ିଶା କ୍ୟାଡର୍‌ରେ ଆଉ କେହି ଯୋଗ୍ୟ ଆଇଏଏସ୍‌ ଅଧିକାରୀ ନଥିଲେ। ସମ୍ଭବତଃ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ୭ ମାସ ଧରି ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଦରକାର ପଡ଼ିଲେ ନାହିଁ।

୫-ଟି ସଚିବ ଥିଲା ବେଳେ ସେ ବୁଲି ବୁଲି ବଡ଼ ମଞ୍ଚରେ ଭାଷଣ ଦେଲେ। ବିଧାୟକମାନେ ପଛରେ ରହି ଲୋକ ଆଣିଲେ ଓ ‌ଟେଣ୍ଟ୍‌ ବାନ୍ଧିଲେ। ରାଜନୀତିକୁ ଆସିଲା ପରେ ସେ ବୁଲି ବୁଲି ପୁଣି ଭାଷଣ ଦେଲେ। କିନ୍ତୁ ଏଥର ବି ମଞ୍ଚରେ ଜନପ୍ରତିନିଧିଙ୍କୁ ବାରଣ ଥିଲା। ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକୁ ଉପଯୋଗ(ବା ଦୁରୁପଯୋଗ) କରି ଆଉ ଜଣେ ନିଜକୁ କିପରି ଉପସ୍ଥାପିତ କରିପାରନ୍ତି, ତାହା ଥିଲା ବିରଳ। ଏହି ତିନିଟି କେବଳ ଉଦାହରଣ ମାତ୍ର। ଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟରେ ଏକ ଅଲୋଡ଼ା ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥା ସୃଷ୍ଟି କରିବାର ସୂତ୍ରଧର ଥିଲେ ଭି କେ ପାଣ୍ଡିଆନ। ଆଉ ସବୁଠାରୁ ଉଦ୍‌ବେଗର ବିଷୟ ହେଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭାବନୀୟ ବ୍ୟବସ୍ଥାରେ ‘ହଁ’ ମାରୁଥିଲେ। ଉପରକୁ ବ୍ୟବସ୍ଥିତ ଓ ଭିତରେ ଅରାଜକତା ବ୍ୟାପୁଥିଲେ ବି ସେ ଆଖି ବୁଜି ଦେଇଥିଲେ। ପୂରା ଶାସନ ଓ ପ୍ରଶାସନ କଳରେ ଅସନ୍ତୋଷ କୁହୁଳୁଥିଲା। କିନ୍ତୁ କ୍ଷମତାର ଅପପ୍ରୟୋଗ ପାଣ୍ଡିଆନ ଏତେ କଠୋର ଓ ଚତୁରତାର ସହ କରୁଥିଲେ ଯେ ବ୍ୟବସ୍ଥାରେ କେହି ପାଟି ଫିଟାଉ ନଥିଲେ। ଯିଏ ଫିଟାଉଥିଲା, ତାଙ୍କ ଅବସ୍ଥା କ’ଣ ହେଉଥିଲା ତାହା କାହାରିକୁ ଅଛପା ନାହିଁ। ରାଜନେତା, ଗଣମାଧ୍ୟମ ଓ ପ୍ରଶାସନିକ ଅଧିକାରୀ କେହି ତାଙ୍କ ଅହଂକାର ଓ ପ୍ରକୋପରୁ ବାଦ୍ ପଡ଼ୁ ନଥିଲେ।

୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପୁଳ ଜନସମର୍ଥନ ପାଇଁ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେଲା ପରେ ଅତ୍ୟନ୍ତ କ୍ଷମତାଶାଳୀ ହୋଇପଡ଼ିଥିଲେ ତାଙ୍କର ତତ୍‌କାଳୀନ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ। ‘ମୁଖ୍ୟମନ୍ତ୍ରୀ ଚାହୁଛନ୍ତି’ କହି ସବୁ ନିର୍ଦ୍ଦେଶ ସେ ଜାରି କଲେ। କେବଳ ଯେ ମନ୍ତ୍ରୀ, ବିଧାୟକ ଗୌଣ ହୋଇଗଲେ, ତାହା ନୁହେଁ। ପ୍ରଶାସନିକ କଳରେ ବି ଚାପା ଗୁଞ୍ଜରଣ ସୃଷ୍ଟି ହେଲା। କିଛି ନିର୍ଦ୍ଦିଷ୍ଟ ଆଇଏଏସ୍‌/ଆଇପିଏସ୍‌ ଅଧିକାରୀଙ୍କୁ ବାଦ୍ ଦେଲେ ଏହି ବ୍ୟବସ୍ଥାରେ କେହି ଖୁସି ହୋଇପାରୁ ନଥିଲେ। ମୁଖ୍ୟ ଶାସନ ସଚିବ ଓ ଡିଜି ପଦବି ଏକପ୍ରକାର କ୍ଷମତାଶୂନ୍ୟ ହୋଇଗଲା। ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପି କେ ଜେନା କ୍ବଚିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉଥିଲେ। କୋଭିଡ୍‌ ପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଆସିବା ବନ୍ଦ କରିଦେଲା ପରେ ବ୍ୟବସ୍ଥା ଆହୁରି ବିଗିଡ଼ଗଲା। ଅଧିକାଂଶ ବୈଠକ ମୁଖ୍ୟମନ୍ତ୍ରୀ ଭିସି ମାଧ୍ୟମରେ ନେଲେ। ସବୁଥିରେ ମୁଖ୍ୟମନ୍ତ୍ରୀ କମ୍ କହୁଥିଲେ। ତତ୍‌କାଳୀନ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ ସବୁ କହୁଥିଲେ। ଯେମିତି ନବୀନ ନୁହେଁ, ପାଣ୍ଡିଆନ ରାଜ୍ୟ ଚଳାଉଛନ୍ତି। ଏହାଦ୍ବାରା ପ୍ରଶାସନିକ ବ୍ୟବସ୍ଥାରେ ଅସଙ୍ଗତି ସୃଷ୍ଟି ହେଲା। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଧିକାରୀମାନେ ପହଞ୍ଚିପାରୁ ନଥିଲେ, ତେଣୁ ଜଣେ କନିଷ୍ଠ ଅଧିକାରୀଙ୍କ ଦୌରାତ୍ମ୍ୟ ସହିବାକୁ ଏକପ୍ରକାର ବାଧ୍ୟ ଥିଲେ। ପାଣ୍ଡିଆନଙ୍କୁ ଇଙ୍ଗିତ କରି ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ‘ଏକ ଅସାମ୍ବିଧାନିକ, ଅନୈତିକ ଓ ଅଗଣତାନ୍ତ୍ରିକ ସମାନ୍ତରାଳ ଶାସନ ଓ ପ୍ରଶାସନ ସୃଷ୍ଟି କରିବା ସହ ପ୍ରତିଷ୍ଠିତ ଓଡ଼ିଶା କ୍ୟାଡର୍‌କୁ ସେ ଧ୍ବଂସ କରି ପଳାୟନ କଲେ।’
୫-ଟି ମାଧ୍ୟମରେ ପ୍ରଶାସନକୁ କବଳିତ କରିବା ସହ ପରଦା ପଛରେ ରହି ବିଜେଡି ରାଜନୀତିକୁ ବି ପାଣ୍ଡିଆନ ନିୟନ୍ତ୍ରଣ କରୁଥିଲେ। ପାଣ୍ଡିଆନଙ୍କୁ ଭେଟି ଫେରିଲା ପରେ ବିଜେଡିର ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ସମାନ ବୋଲି ଭାବୁଥିଲେ। ବିଜେଡିରେ କିଏ କେଉଁ ପଦବିରେ ରହିବେ ଓ ଦଳର ରଣନୀତି କ’ଣ ହେବ, ସବୁ ନିଷ୍ପତ୍ତି ସେ ନେଉଥିଲେ। ସେ ଚାକିରି ଛାଡ଼ି ୨୦୨୩ ନଭେମ୍ବରରେ ବିଜେଡିରେ ଯୋଗ ଦେଇଥିଲେ।

ନିର୍ବାଚନ ପ୍ରଚାର ସମୟରେ ତାଙ୍କର ରଣନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କୌଣସି ବରିଷ୍ଠ ନେତାଙ୍କୁ ସେ ପ୍ରଚାରକୁ ଛାଡ଼ି ନଥିଲେ। ନିଜେ ସବୁଠି ବୁଲି ରୋଡ୍‌ ସୋ’ କରିବା ସହ ସଭାସମିତି କଲେ। ଲୋକଙ୍କୁ ଆକର୍ଷିତ କଲା ପରି ତାଙ୍କର ବ୍ୟକ୍ତିତ୍ବ ନ ଥିଲା କି ସେ ଭଲ ଭାଷଣ ବି ଦେଇପାରୁନଥିଲେ। ତଥାପି ‌ସେ ବିଜେଡିର ଏକମାତ୍ର ତାରକା‌ ପ୍ରଚାରକ ପାଲଟିଥିଲେ। ତାଙ୍କର ବିଶ୍ବସ୍ତ କିଛି ହାତଗଣତି ଅଧିକାରୀ ବିଜେଡିର ପ୍ରାର୍ଥୀ ଚୟନ କରିବାରେ ମୁଖ୍ୟ ଭୂମିକା ନେଉଥିଲେ। ଆଉ କିଛି ନିର୍ଦ୍ଦିଷ୍ଟ ନେତା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଉଥିଲେ। ଏହାକୁ କିଏ ସ୍ବୀକାର ନକଲେ ବି ତାହା ସର୍ବଜନବିଦିତ। ପାଣ୍ଡିଆନ ଆଜି କହିଛନ୍ତି ଯେ ନବୀନଙ୍କୁ ସହଯୋଗ କରିବା ଲାଗି ସେ ରାଜନୀତିକୁ ଆସିଥିଲେ। କିନ୍ତୁ ତାଙ୍କର ପ୍ରତିଟି କାର୍ଯ୍ୟ ଭିନ୍ନ କଥା କହୁଥିଲା। ନିଜେ କହୁ ନଥିଲେ ବି ନବୀନଙ୍କ ଉତ୍ତରାଧିକାରୀ ଭାବେ ତାଙ୍କୁ ଉପସ୍ଥାପିତ କରାଯାଉଥିଲା। ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶ୍ରେୟ ତାଙ୍କୁ ଦିଆଗଲା। ଓଡ଼ିଶାରେ ବହୁ ଆଇଏଏସ୍‌ ଅଧିକାରୀ(ଉଭୟ ଓଡ଼ିଆ ଓ ଅଣଓଡ଼ିଆ) ଦିନରାତି କାମ କରୁଥିଲେ ବି ସବୁ ଶ୍ରେୟ ଥିଲା ପାଣ୍ଡିଆନଙ୍କର। ଏପରିକି ଓଡ଼ିଆଙ୍କ ମନକୁ ଟାଣିବା ପାଇଁ ତାଙ୍କ ନାମରେ ବି ସଂଶୋଧନ କରିଦିଆଯାଇଥିଲା। ‘ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ’ ବଦଳରେ ତାଙ୍କୁ ‘କାର୍ତ୍ତିକ ପାଣ୍ଡିଆନ’ ଭାବେ ଲୋକଙ୍କ ପାଖରେ ଉପସ୍ଥାପିତ କରାଗଲା। ଜଣେ ଅଣଓଡ଼ିଆ ବ୍ୟକ୍ତି ଓଡ଼ିଶାକୁ ଚାକିରି କରିବାକୁ ଆସି ଶାସନ କରିବ, ତାହାକୁ ସାଧାରଣ ଜନତା ସହଜରେ ଗ୍ରହଣ କରିପାରୁ ନଥିଲେ। ନିର୍ବାଚନରେ ହାର୍- ଜିତ୍ ଏକ ବଡ଼ ପ୍ରସଙ୍ଗ ନୁହେଁ। କିନ୍ତୁ ପାଣ୍ଡିଆନ‌ଙ୍କର ପ୍ରତିଟି କାର୍ଯ୍ୟ ହିଁ ତାଙ୍କୁ ‘ଖଳନାୟକ’ ସଜାଇଦେଲା ‌ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି। ତେବେ ସକ୍ରିୟ ରାଜନୀତି ଛାଡ଼ିଥିଲେ ବି ଆଗକୁ ବିଜେଡିରେ ଓ ଓଡ଼ିଶାରେ ତାଙ୍କର ଭୂମିକା କ’ଣ ହେବ, ତାହା ଉପରେ ନଜର ରହିଛି। ବାସ୍ତବରେ ତାଙ୍କ ରାଜନୈତିକ କ୍ୟାରିୟର ଶେଷ ହେଲା ନା ଏହା କେବଳ ମଧ୍ୟାନ୍ତର, ତାହା ଦେଖିବାକୁ ବାକି ରହିଲା।