ଆଜି ଘୋଷଣା ହୋଇପାରେ ପରୀକ୍ଷା ତାରିଖ

ଯୁକ୍ତ୨ ପରିଷଦ ପରୀକ୍ଷା କମିଟି ବୈଠକ

ଭୁବନେଶ୍ୱର : ଯୁକ୍ତ୨ ପରୀକ୍ଷା ଲାଗି ମାନସମନ୍ଥନ ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଥିଓରି ଏବଂ ପ୍ରାକ୍ଟିକାଲ ପରୀକ୍ଷା କିଭଳି ସୁରୁଖୁରରେ ହେବ ସେନେଇ ମଙ୍ଗଳବାର ପରିଷଦ ପରୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜାନୁଆରି ୩ୟ ସପ୍ତାହରୁ ପ୍ରାକ୍ଟିକାଲ ଏବଂ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ୬ ତାରିଖରୁ ସମ୍ଭବତଃ ଥିିଓରି ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୫ ତାରିଖ ତଥା ସୋମବାର ସରକାରୀ ଛୁଟି ପଡ଼ୁଥିବାରୁ ଗୋଟିଏ ଦିନ ବିଳମ୍ବରେ ପରୀକ୍ଷା ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି। ଏ ନେଇ ଆଲୋଚନା ବି ସରିଛି। ଗୁରୁବାର ବିଧିବଦ୍ଧ ଭାବେ ପରୀକ୍ଷା ସମ୍ପର୍କିତ କାର୍ଯ୍ୟସୂଚୀ ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ପ୍ରାକ୍ଟିକାଲ ପରୀକ୍ଷା ପ୍ରଥମେ ହେବାକୁ ଥିବାରୁ ସେଦିଗରେ ଫୋକସ୍‌ ଦିଆଯାଇଛି। ଉଭୟ ସରକାରୀ ଏବଂ ଘରୋଇ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର କରାଯିବ। ପ୍ରତିବର୍ଷ ପରି ଏଥର ମଧ୍ୟ ପ୍ରାକ୍ଟିକାଲ ପରୀକ୍ଷା ସମୟରେ ଘରୋଇ କଲେଜଗୁଡ଼ିକ ସିସିଟିଭି କ୍ୟାମେରା ଲଗାଇବାକୁ କୁହାଯିବ। ପରୀକ୍ଷା ଆଉ ପ୍ରାୟ ଦୁଇ ମାସ ଥିବାରୁ କଲେଜଗୁଡ଼ିକର ଲାବରେଟାରି ଠିକ୍‌ କରିବାକୁ ଖୁବ୍‌ଶୀଘ୍ର ନିର୍ଦେଶନାମା ଜାରି ହେବ।ଥିଓରି ପରୀକ୍ଷା ଲାଗି ପ୍ରଶ୍ନପତ୍ର ଏବଂ ଉତ୍ତର ଖାତାଗୁଡ଼ିକ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଛି। ସାଢ଼େ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ଉତ୍ତର ଖାତା ତିଆରି ହେଉଛି। ପ୍ରଶ୍ନପତ୍ରଗୁଡ଼ିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶିକ୍ଷାବିତ୍‌ଙ୍କ ସହ ଆଲୋଚନା କରାଯାଇ ପ୍ରକ୍ରିୟା ଜାରି ରହିଛି। ଡିସେମ୍ବର ୩୦ ସୁଦ୍ଧା ପ୍ରଶ୍ନପତ୍ର ଛପା କାର୍ଯ୍ୟ ଶେଷ କରିବାକୁ ବି ଲକ୍ଷ୍ୟ ରଖାଯାଇଛି। ପରୀକ୍ଷା କେନ୍ଦ୍ର ଏବଂ ପରୀକ୍ଷା ପରିଚାଳନା ହବ୍‌ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନାହିଁ। ୨୦୧୬ରେ ୧୦୯୮ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୧୭ରେ ୧୧୦୪ଟି କେନ୍ଦ୍ରରେ ଥିଓରି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେଣୁ ଏଥର ମଧ୍ୟ ୧୧୦୦ରୁ ଅଧିକ କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖାଯାଇଛି। ପରୀକ୍ଷା ପରିଚାଳନା ଲାଗି ହେବାକୁ ଥିବା ହବ୍‌ରେ କୌଣସି ପରିବର୍ତନ ନ କରିବାକୁ ବି ଯୋଜନା ହୋଇଛି। ଯେଉଁ ଯୁକ୍ତ୨ କଲେଜରେ ୫୦ ଜଣ ରେଗୁଲାର ପିଲା ରହିଥିବେ ସେଠାରେ ହିଁ କେନ୍ଦ୍ର କରିବାର ନିୟମ ରହିଛି। ଉକ୍ତ ନିୟମକୁ ଏଥର ମଧ୍ୟ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ନଭେମ୍ବର ୨୦ରୁ ୨୮ ମଧ୍ୟରେ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ହେବ। ନଭେମ୍ବର ୩୦ରୁ ଡିସେମ୍ବର ୪ ମଧ୍ୟରେ ୫୦ ଟଙ୍କା ଏବଂ ଡିସେମ୍ବର ୬ରୁ ୮ ତାରିଖ ମଧ୍ୟରେ ୩୫୦ ଟଙ୍କା ଜରିମାନା ଦେଇ ଛାତ୍ରଛାତ୍ର୍ରୀ ଫର୍ମ ପୂରଣ କରିବେ।

ସମ୍ବନ୍ଧିତ ଖବର