କରୋନା ବଦଳାଇଲା ଜୀବନ : ମାସ୍କ ସିଲେଇ କରି ବାଣ୍ଟୁଛନ୍ତି ନଗରପାଳ

କୋରାପୁଟ : ସକାଳୁ ଉଠି ସହର ବୁଲୁଛନ୍ତି। ଗଳିକନ୍ଦି ବୁଲି ଲୋକଙ୍କ ଭଲମନ୍ଦ ପଚାରି ବୁଝୁଛନ୍ତି। ଖରାବେଳେ ବସି ପଡୁଛନ୍ତି ସିଲେଇ ମେସିନ ପାଖରେ। ନିଜେ ମାସ୍କ ସିଲେଇ କରିବା ସହ ସ୍ବଂୟ ସହାୟକ ଗୋଷ୍ଠିର ମହିଳାଙ୍କୁ ଉତ୍ସାହିତ କରୁଛନ୍ତି। ଏହି ହାତ ତିଆରି ମାସ୍କ ବିନା ମୂଲ୍ୟରେ ଗରିବ ଲୋକଙ୍କୁ ବାଣ୍ଟୁଛନ୍ତି। ଏହା ବାଦ ଦିନ ତମାମ ଲୋକଙ୍କ ସୁବିଧା, ଅସୁବିଧା ବୁଝିବା ସହିତ ଅସହାୟ ଓ ଗରିବ ଲୋକଙ୍କୁ ଖାଦ୍ୟ ପ୍ରଦାନରେ ସମୟ ବିତୁଛି ସୁନାବେଡା ନଗରପାଳ ଶୁଭଶ୍ରୀ ମଲ୍ଲିକଙ୍କର। ଏବେ କରୋନା ସହିତ ସାରା ବିଶ୍ବ ଲଢେଇ କରୁଥିଲାବେଳେ ସେ ଏହାର ମୁକାବିଲା ପାଇଁ ଆଗକୁ ଆସିଛନ୍ତି। କରୋନା ସହ ଲଢିବାକୁ ପଣ କରି ଘର, ପରିବାର ଛାଡିଛନ୍ତି। ଘରେ ଛୋଟ ଝିଅ ଥିଲେ ମଧ୍ୟ ଏକ ଲକ୍‌ଡାଉନ୍‌ରେ ତାକୁ ସମୟ ନ ଦେଇ ରାସ୍ତାକୁ ଓହ୍ଲାଇଛନ୍ତି ଏହି ଯୁବ ନାରୀନେତ୍ରୀ।

କରୋନା ଭାଇରସ ବ୍ୟାପିବା ଆଗରୁ ସାଧାରଣ ଜୀବନ ଜିଉଁଥିବା ମଣିଷମାନଙ୍କ ଜୀବନଶୈଳୀ ଏବେ ଢେର ବଦଳିଯାଇଛି। ଆଗରୁ ଦିନସାରା ଘରେ ରହୁ ନ ଥିବା ଲୋକେ ଏବେ ଘର ଭିତରେ ବନ୍ଦୀ ଜୀବନ କାଟୁଛନ୍ତି। ଲକ୍‌ଡାଉନ୍‌ ପାଇଁ କେହି ଘରୁ ବାହାରି ପାରୁ ନ ଥିଲାବେଳେ ସାମାଜିକ ଜୀବନ ବି ବାଧାପ୍ରାପ୍ତ ହୋଇଛି। କରୋନା ଭୟରେ ଲୋକେ ଘରୁ ବାହାରକୁ ଆସୁ ନାହାନ୍ତି। କିନ୍ତୁ ଠିକ ଏହି ସମୟରେ ଘରୁ ପଦାକୁ ପାଦ କାଢିଛନ୍ତି ସୁନାବେଡା ପୌରପାଳିକାର ନଗରପାଳ ଶୁଭଶ୍ରୀ ମଲ୍ଲିକ। ପରିବାରକୁ ଭୁଲି ସାରା ସହର ସେବାରେ ଲାଗି ପଡିଛନ୍ତି। ଲକ୍‌ଡାଉନ୍‌ ପରେ ଲୋକମାନଙ୍କ କାମ କମି ଯାଇଥିଲାବେଳେ ତାଙ୍କର କାମ କାହିଁ କେତେ ଗୁଣରେ ବଢି ଯାଇଛି। ସକାଳୁ ସେ ଘରୁ ବାହାରି ସହର ବିଶୋଧନ ଓ ପରିମଳ ବ୍ୟବସ୍ଥାର ତଦାରଖ କରୁଛନ୍ତି। ଏହା ବାଦ ବିଭିନ୍ନ ୱାର୍ଡ ବୁଲି ଲୋକଙ୍କୁ ସୁବିଧା, ଅସୁବିଧା ବୁଝିବାରେ ଦିନ ଯାଉଛି। ଲକ୍‌ଡାଉନ୍‌ ପାଇଁ ଲୋକଙ୍କର କ’ଣ ଅସୁବିଧା ହେଉଛି, ଏହାର ସମାଧାନ କେମିତି କରାଯିବ ସେଥିନେଇ ଆଲୋଚନା କରୁଛନ୍ତି। ଏପଟେ ଅସହାୟ, ଗରିବ ଓ ଯାଯାବରଙ୍କୁ କେମିତି ରନ୍ଧା ଖାଦ୍ୟ ପ୍ରଦାନ କରାଯିବ ସେ ଦିଗରେ ନିତି ପଦକ୍ଷେପ ନିଆଯାଉଛି। ଏଥିରୁ ଟିକିଏ ଫୁରସତ ମିଳିଲେ, ମାସ୍କ ସିଲେଇରେ ଲାଗି ପଡୁଛନ୍ତି ଶୁଭଶ୍ରୀ। ନିଜେ ସିଲେଇ ମେସିନରେ ଶହ ଶହ ମାସ୍କ ସିଲେଇ କରିଥିଲାବେଳେ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଏ ଦିଗରେ ଉତ୍ସାହିତ କରୁଛନ୍ତି। ଏହି ମାସ୍କ ସବୁ ନେଇ ଗରିବ ଲୋକଙ୍କ ଭିତରେ ବାଣ୍ଟି ଦେଉଛନ୍ତି। ପଶୁପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ, ଅସହାୟ ଲୋକଙ୍କୁ ସୁରକ୍ଷିତ ଭାବେ ରଖିବାର ବ୍ୟବସ୍ଥା ବି କରାଇବାକୁ ପଡୁଛି। ଏହା ପରେ ବି ଲୋକଙ୍କୁ ବିଭିନ୍ନ ବାଟରେ ସଚେତନ କରାଉଛନ୍ତି ଏହି ନାରୀନେତ୍ରୀ। ମାସ୍କ ପିନ୍ଧିବା, ହାତ ଧୋଇବା, ସମାଜିକ ଦୂରତ୍ବ ବଜାୟ ରଖିବା, ବାହାରକୁ ନ ବାହାରିବା ନେଇ ଲୋକଙ୍କୁ ସଚେତନ କରାଇବାକୁ ପଡୁଛି। ଏ ୱାର୍ଡରୁ ସେ ୱାର୍ଡକୁ ବୁଲି ଲୋକଙ୍କୁ ସେ ଏ ଦିଗରେ ବୁଝାଉଛନ୍ତି।

ନଗରପାଳ ଭାବେ ଆଗରୁ ସେ ଲୋକଙ୍କ କଥା ବୁଝୁଥିଲେ, ଏବେ ବି ବୁଝୁଛନ୍ତି। କିନ୍ତୁ ଫରକ ଏତିକି ଯେ, ଏବେ କେବଳ କରୋନା ମୁକାବିଲାରେ ଦିନ ଯାଉଛି। ପୁଣି ସକାଳୁ ରାତି ଯାଏ। ନିୟମିତ କାମ ସବୁ ଏବେ ହେଉ ନ ଥିଲାବେଳେ କେବଳ କରୋନା ସଂପର୍କିତ କାମ କରୁଛନ୍ତି। ଏହି ରୋଗକୁ ନେଇ ସବୁଆଡେ ଡର ରହିଥିଲାବେଳେ ତାଙ୍କୁ ବି ଡରୁ ଲାଗୁଛି। କିନ୍ତୁ କର୍ତ୍ତବ୍ୟ ଆଗରେ ଏହି ଡର ପରାଜୟ ସ୍ବୀକାର କରୁଛି। ଏ ସଂପର୍କରେ ସେ କୁହନ୍ତି, ଘରେ ୧୧ ବର୍ଷର ଝିଅ ଅଛି। ତାକୁ ଏ କଠିନ ପରିସ୍ଥିତିରେ ସମୟ ଟିକିଏ ଦେଉ ହେଉନି। ଏପଟେ ବାହାରେ ଅଧିକ ସମୟ ବୁଲୁଥିବାରୁ ଘରକୁ ଫେରିଲା ବେଳକୁ ଡର ଲାଗୁଛି। କାଳେ କେଉଁଠି ସଂକ୍ରମଣ ହୋଇଥିବ ଭାବି ଝିଅ ମୁହଁକୁ ଭାବିଦେଲେ ଆଖିରେ ଲୁହ ଜକେଇ ଆସୁଛି। ଏପରିକି ଅଧିକାଂଶ ରାତିରେ ଝିଅ ଶୋଇବା ପରେ ହିଁ ଘରକୁ ଯାଉଛି। ସେ ସକାଳେ ଉଠିବା ଆଗରୁ ଚାଲି ଆସୁଛି। ଘର, ପରିବାରକୁ ସମୟ ଦେଇ ପାରୁ ନ ଥିବାରୁ କଷ୍ଟ ଲାଗୁଛି, କିନ୍ତୁ ସୁନାବେଡା ପୌରପାଳିକାର ସମସ୍ତ ବାସିନ୍ଦା ମୋ ପରିବାରର ସଦସ୍ୟ ହୋଇଥିବାରୁ ତାଙ୍କ କାମ ଆଗ ବୋଲି ମନସ୍ଥ କରି କାମ କରୁଛି। ଆଉ ଲୋକଙ୍କୁ ଅନୁରୋଧ କରୁଛି, ସରକାରୀ ନିମୟ ମାନି କାମ କରନ୍ତୁ। ନିଜେ ସୁସ୍ଥ ରହିବା ସହ ସୁନାବେଡା ପୌରାଞ୍ଚଳକୁ ସୁସ୍ଥ ଓ ନିରାପଦରେ ରଖନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର