କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : କୃଷ୍ଣଚନ୍ଦ୍ରଙ୍କ ଜାମିନ ଖାରଜ

କଟକ : ଛତ୍ରପୁର ଏନ୍‌ଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ) ହତ୍ୟା ମାମଲାର ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକଙ୍କ ଜାମିନ ଆବେଦନ ପୁଣି ହାଇକୋର୍ଟରେ ଖାରଜ ହୋଇଛି। ଡକ୍ଟର ଜଷ୍ଟିସ୍ ଅକ୍ଷୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କୃଷ୍ଣଚନ୍ଦ୍ରଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ତାହାକୁ ଖାରଜ କରିଛନ୍ତି। ଏଥିସହିତ ନିମ୍ନ ଅଦାଲତରେ ମାମଲାର ତ୍ବରିତ ଶୁଣାଣି ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ସରିଥିଲେ ମଧ୍ୟ ନିମ୍ନ ଅଦାଲତରେ ଚାର୍ଜଫ୍ରେମ୍ ଏ ପର୍ଯ୍ୟନ୍ତ ହୋଇ ନଥିବା ଆଜି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏପରି ପରିସ୍ଥିତିରେ ଚାର୍ଜଫ୍ରେମ୍ କରି ୬ ମାସ ଭିତରେ ନିମ୍ନ ଅଦାଲତରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆବେଦନକାରୀ ଜାମିନ ପାଇଁ ନିମ୍ନ ଅଦାଲତରେ ସାନି ଆବେଦନ ଦାୟର କରି ପାରିବେ ବୋଲି ମଧ୍ୟ କୁହାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଛତ୍ରପୁର ଏନଏସି କାଉନସିଲର ଲକ୍ଷ୍ମୀଦତ୍ତଙ୍କୁ ୨୦୧୭, ସେପ୍ଟେମ୍ବର ୧୬ରେ କିଛି ଲୋକ ମିଳିତ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ସେତେବେଳେ ବିଜେପି ଜିଲ୍ଲା ସ˚ପାଦକ କୃଷ୍ଣଚନ୍ଦ୍ର ନାୟକ ଏହି ହତ୍ୟା ଘଟଣାର ଷଡଯନ୍ତ୍ରକାରୀ କୁହାଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏଥିସହିତ ଲକ୍ଷ୍ମୀପୁର ସମିତି ସଭ୍ୟ ପିତୁ ଓରଫ୍‌ ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡି ଓ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଏହି ହତ୍ୟା ମାମଲାରେ ଗିରଫ କରିଥିଲା। କୃଷ୍ଣଚନ୍ଦ୍ର ଓ ଦୁର୍ଯ୍ୟୋଧନଙ୍କୁ ଗିରଫ କରାଯିବା ପରେ ଗଞ୍ଜାମ ପୁଲିସ ସେମାନଙ୍କୁ ରିମାଣ୍ତରେ ଆଣି ଜେରା କରିଥିଲା। ପୂର୍ବରୁ ୨୦୧୯, ଜାନୁଆରି ୪ରେ କୃଷ୍ଣଚନ୍ଦ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା। ଏତଲାକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳକୃଷ୍ଣ ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର