ବ୍ରଜରାଜନଗର ଉପନିର୍ବାଚନର ଭୋଟ୍‌ ଗଣତି ଆଜି

ଭୁବନେଶ୍ବର : ଆଜି ବ୍ରଜରାଜନଗର ଉପନିର୍ବାଚନର ଭୋଟ୍‌ ଗଣତି ହେବ। ସକାଳ ୮ଟାରୁ ଭୋଟ୍‌ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ପ୍ରଥମେ ପୋଷ୍ଟାଲ୍‌ ବାଲଟ ଗଣାଯିବ। ଏହାର ୩୦ମିନିଟ୍‌ ପରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଥିବା ଇଭିଏମ୍‌ ଖୋଲାଯାଇ ଭୋଟ୍‌ ଗଣତି କରାଯିବ। ୨୭୯ଟି ବୁଥ୍‌ ଥିବାରୁ ୨୦ ରାଉଣ୍ଡ୍ ବା ପର୍ଯ୍ୟାୟରେ ଗଣତି ସଂପୂର୍ଣ୍ଣ ହେବ। ଭୋଟ୍ ଗଣତି ପାଇଁ ୨୦ଜଣ ମାଇକ୍ରୋ ଅବଜରଭର, ୨୦ଜଣ କାଉଣ୍ଟିଂ ସୁପରଭାଇଜର, ୨୦ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟଙ୍କୁ ନିୟୋଜିତ କରାଯାଇଛି। ଭୋଟ୍‌ ଗଣତି କାର୍ଯ୍ୟ ନିରୀକ୍ଷଣ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୬୩ଜଣ କାଉଣ୍ଟିଂ ଏଜେଣ୍ଟ ଆବେଦନ କରିଛନ୍ତି। ଭୋଟ୍‌ ଗଣନା କାର୍ଯ୍ୟକୁ ଜନସାଧାରଣ results.ecoigov.inରେ ଦେଖିପାରିବେ। ଭୋଟ୍‌ ଗଣତି କେନ୍ଦ୍ରରେ ଗଣମାଧ୍ୟମ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର କକ୍ଷ ଖୋଲାଯାଇଛି। ଏଠାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଗଣତି ସମ୍ପର୍କିତ ତଥ୍ୟ ପାଇପାରିବେ।

ଅନ୍ୟପକ୍ଷରେ, ଭୋଟ୍‌ ଗଣତି କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସ୍‌ପି ରାହୁଲ ଜୈନଙ୍କ ନେତୃତ୍ବରେ ରାଜ୍ୟ ପୁଲିସ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀଙ୍କୁ ଏଥିପାଇଁ ମୁତୟନ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର