ଢେଙ୍କାନାଳ: ମୁଣ୍ଡ ଉପରେ ନିର୍ବାଚନ। ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ୍‌ ଦେବା ପାଇଁ ବାରମ୍ବାର ଦାବି କରାଯିବା ସତ୍ତ୍ୱେ ଏ ସରକାର ଶୁଣୁ ନାର୍ହିଁ। ଆଗାମୀ ନିର୍ବାଚନରେ ଭୋଟ୍‌ କାଙ୍ଗାଳ ନେତାମାନଙ୍କୁ ସାବାଡ଼ କରିବା ପାଇଁ ଆମ ହାତରେ ସୁଯୋଗ ଅଛି ଓ ଏହି ସୁଯୋଗକୁ ଠିକ ଭାବେ ବିନିଯୋଗ କରିବାକୁ ନବ ନିର୍ମାଣ କୃଷ୍ଣ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷିଜାତ ସାମଗ୍ରୀର ମୂଲ୍ୟ ଦେଢ଼ ଗୁଣା କରିବେ ବୋଲି କହିଥିଲେ। ମାତ୍ର ଏବେ କରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କୁ ପେନ୍‌ସନ ଦେବାକୁ କୌଣସି ବ୍ୟବସ୍ଥା କରୁ ନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭୋଟ୍‌ ଶକ୍ତିକୁ ବୁଝିଛନ୍ତି। ଏଣୁ ଯିଏ ଆମ କଥା ବୁଝିବ, ଆମେ ତାଙ୍କୁ ସମର୍ଥନ କରିବା ପାଇଁ ଶପଥ ନେବାକୁ ଶ୍ରୀ ପଟ୍ଟନାୟକ ସଭାରେ ଉପସ୍ଥିତ ନବନିର୍ମାଣ କୃଷକ ସଙ୍ଗଠନର ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଇଛନ୍ତି।

Advertisment

ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ବିପ୍ରବର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ଜୟ କିଷାନ ସମାବେଶରେ କୃଷକମାନଙ୍କ ନ୍ୟାୟୋଚିତ ଦାବିକୁ ସରକାର ଉପେକ୍ଷା କରି ଆସୁଛନ୍ତି। ପ୍ରାକୃତିକ ଦୈବୀ ଦୁର୍ବିପାକ ଓ ହାତୀ ଉପଦ୍ରବରେ ଫସଲହାନି ଘଟୁଥିଲେ ମଧ୍ୟ ଚାଷ ଉଜୁଡ଼ିଯିବା କାରଣରୁ ଚାଷୀ ଆତ୍ମହତ୍ୟା କଲେ ବି ସରକାର ବିଭିନ୍ନ ଆଳ ଦେଖାଇ ଏହାକୁ ଭିନ୍ନ ରୂପ ଦେଉଛନ୍ତି। ରାଜ୍ୟରେ ୩ ଶହ ଚାଷୀ କୃଷି ଋଣ ଯୋଗୁଁ ଆତ୍ମହତ୍ୟା କରିଥିଲେ ମଧ୍ୟ ସରକାର ସେମାନଙ୍କ ପ୍ରତି ସମବେଦନା ଜଣାଇ ନାହାଁନ୍ତି। ତେଣୁ ଚାଷୀ ଆତ୍ମହତ୍ୟା ପାଇଁ ଏକ ବିଚାର ବିଭାଗୀୟ ତଦନ୍ତ କମିସନ ବସାଇବା ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦାବି ହୋଇଛି। ଧାନମଣ୍ଡିରେ ଚାଷୀମାନଙ୍କୁ ଶୋଷଣ କରାଯିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି ଯୋଜନାରେ ଅର୍ଥ ବାଟମାରଣା ହୋଇଚାଲିଛି। ଏହାର ପ୍ରତିବାଦରେ ଚଷା ପୁଅ ନିଜ ହକ୍‌ ଲଢ଼େଇ ପାଇଁ ରାଜରାସ୍ତାକୁ ଓହ୍ଳାଇବାକୁ ପ୍ରସ୍ତୁତ ହୋଇଛନ୍ତି।

ଆଜିର ଏହି କିଷାନ ସମାବେଶରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେଇଛନ୍ତି। ଏହି ସମାବେଶରେ ନବନିର୍ମାଣ କୃଷକ ସଙ୍ଗଠନର ସର୍ବଭାରତୀୟ ସଂଯୋଜକ ଅକ୍ଷୟ କୁମାର, ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହ-ସଂଯୋଜକ ଉମାକାନ୍ତ ଭରତ, ରଶ୍ମୀରଞ୍ଜନ ମହାନ୍ତି, ନିମାଇଁ ଚରଣ ରାୟ, ପ୍ରମୁଖ ଯୋଗ ଦେଇ ଚାଷଈ ସ୍ୱାର୍ଥ ରକ୍ଷା ପାଇର୍ଁଲଢ଼େଇ ଜାରି ରଖିବାକୁ ଆହ୍ଵାନ ଦେଇଛନ୍ତି। ସମାବେଶ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରାରେ ନବନିର୍ମାଣ କୃଷକ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସଭାମଞ୍ଚ ନିକଟକୁ ପାଛୋଟି ନିଆଯାଇଥିଲା।