ନକଲି ଔଷଧ କାରବାର ଗୁମର ଫିଟିଲା

ଲୋକଙ୍କ ଜୀବନ ସହ ଖେଳୁଥିଲା କଟକର ସଂସ୍ଥା

ନିର୍ଦ୍ଦେଶିକାଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌
୨୦ ଗୁଣା ଦରରେ ବିକି ମାଲାମାଲ୍ ହେଉଥିଲେ
୪ ଆକାଉଣ୍ଟରେ ଅଛି ୫୦ ଲକ୍ଷ ଟଙ୍କା
ଝାରସୁଗୁଡ଼ା, ବୌଦ୍ଧରେ ବି ଚାଲିଥିଲା ବେପାର

ଭୁବନେଶ୍ବର : କରୋନା ଭଳି ମହାମାରୀ ସମୟରେ ଆଗପଛ ହୋଇ ବିଦାୟ ନେଇ ଯାଉଛନ୍ତି, ବାପ-ପୁଅ, ଭାଇ-ଭାଇ। କେତେବେଳେ ଚିକିତ୍ସା ଅଭାବରୁ ତ କେତେବେଳେ ଅକ୍ସିଜେନ୍ ଅଭାବରୁ ଜୀବନ ଚାଲିଯାଉଛି। ହଜାର ହଜାର ଆକ୍ରାନ୍ତ ଭରସା କରିଛନ୍ତି ଔଷଧକୁ। କାଳେ ଦାମୀ ଔଷଧ ଦେଲେ ରୋଗୀ ବଞ୍ଚିଯିବ। କିନ୍ତୁ ଜୀବନ ବଞ୍ଚାଇବେ କ’ଣ, କିଛି ଲାଭ‌‌ଖୋର୍ ବେପାରୀ ବଜ‌ାରରେ ନକଲି ଔଷଧ ବିକି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଏବଂ ନିଜେ ମାଲାମାଲ୍ ହେଉଛନ୍ତି। ବାରମ୍ବାର ଏମିତି ଅଭିଯୋଗ ଆସିଲା ପରେ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌କୁ ପ୍ରଥମ ସଫଳତା ମିଳିଛି। ଫାଭିମାକ୍ସ ଭଳି ଏକ ନାମୀ ଓ ଫଳପ୍ରଦ ବ୍ରାଣ୍ଡର ନକଲି ଔଷଧ ସାରା ରାଜ୍ୟରେ ବିକ୍ରି କରି ଲକ୍ଷଲକ୍ଷ ଟଙ୍କା ମୁନାଫା କମାଇଥିବା ସଂସ୍ଥା କଟକର ମେଡିଲୟେଡ୍‌ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶିକାଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ସଂସ୍ଥାର ନିର୍ଦ୍ଦେଶିକା ଶୁଭଲଷ୍ମୀ ଜେନା, ମ୍ୟାନେଜର ପ୍ରୀତିରଞ୍ଜନ ପରିଡ଼ା ଓ ଗୋଡାଉନ୍‌ ଇନ୍‌ଚାର୍ଜ ସତ୍ୟପ୍ରକାଶ ମହାନ୍ତି। ସମସ୍ତଙ୍କୁ ଆଜି କଟକ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ଚାଲାଣ କରାଯାଇଛି। ସେଠାରୁ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଚୌଦ୍ବାର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ନକଲି ଔଷଧ କାରବାର ସଂପର୍କ‌ରେ ଅଧିକ ତଥ୍ୟ ହାସଲ ଲାଗି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଶିବ ଜେନାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

କ‌ରୋନା ସମୟରେ ବଜାରରେ ବେଶ୍ ଚାହିଦା ଥିବା ବ୍ରାଣ୍ଡେଡ୍‌ ଔଷଧ ଫାଭିମାକ୍ସର ନକଲି ଔଷଧ ଆଣି ଓଡ଼ିଶାରେ ବିକ୍ରି କରୁଥିଲା ଏହି ସଂସ୍ଥା। ଔଷଧ ଷ୍ଟ୍ରିପ୍‌ ପିଛା ୬୫ ଟଙ୍କାରେ କିଣା ହେଉଥିଲା, ଆଉ ଖୋଲା ବଜାରରେ ଅସଲି ଦର ଅର୍ଥାତ୍‌ ୧୨୯୦ ଟଙ୍କାରେ ବିକ୍ରି ହେଉଥିଲା। ଅର୍ଥାତ ୨୦ ଗୁଣା ଅଧିକ ଦରରେ ବିକି ମାଲାମାଲ୍ ହେଉଥିଲେ ଏହି ନକଲି ଔଷଧ ବେପାରୀ। ହୋଲ୍‌ସେଲର ସହ ୫ କୋଟି ଟଙ୍କାର କାରବାର ହେବାକୁ ହୋଇଥିଲା ଚୁକ୍ତି। ପ୍ରାୟ ମାସେ ଭିତରେ ଆଶାତୀତ ବେପାର ବି ହୋଇଥିଲା। କୋଟିଏ ୮୦ ଲକ୍ଷ ଟଙ୍କାର ନକଲି ଔଷଧ ଓଡ଼ିଶା ବଜାରରେ ବିକି ଦେବା ପାଇଁ ସକ୍ଷମ ହୋଇଥିଲା ସଂସ୍ଥା। କିନ୍ତୁ ଆଉ ଅଧିକ ଔଷଧ ବିକିବା ପୂର୍ବରୁ ଏସ୍‌ଟିଫ୍‌ ଖୋଳତାଡ଼ କରି କାବୁ କରିନେଲା।

ଧରା ପଡ଼ିଥିବା ସଂସ୍ଥାର ୩ ଜଣଙ୍କଠାରୁ ଏସ୍‌ଟିଏଫ୍‌ ଏହି ନକଲି ଔଷଧ କାରବାର ସମ୍ବନ୍ଧରେ ଅନେକ ତଥ୍ୟ ହାସଲ କରିଛି। ଏମାନଙ୍କ ସୂଚନାକୁ ଆଧାର କରି ସଂସ୍ଥାର ମୁଖ୍ୟ ଶିବ ଜେନାଙ୍କୁ ମଧ୍ୟ ଅଟକ ରଖିଛି। ସ୍ବତନ୍ତ୍ର ଟିମ୍‌ର ଏକାଧିକ ଅଧିକାରୀ ଲଗାତାର ଜେରା କରୁଛନ୍ତି। ଏ ପର୍ଯ୍ୟନ୍ତ ଜେରାରୁ ମିଳିଥିବା ତଥ୍ୟ ମୁତାବକ, ଏହି ନକଲି ଔଷଧ କାରବାରର ଚେର ଭୁବନେଶ୍ବର-କଟକରୁ ଝାରସୁଗୁଡ଼ା ଓ ବୌଦ୍ଧ ପର୍ଯ୍ୟନ୍ତ ଲମ୍ବିଛି। ଯେଉଁମାନେ ଏହି ବ୍ୟବସାୟୀଙ୍କଠାରୁ ନକଲି ଔଷଧ ନେଇ ବିକ୍ରି କରିଛନ୍ତି, ତାହାର ତାଲିକା ମଧ୍ୟ ପ୍ରସ୍ତୁତ ହୋଇ ସାରିଛି। ଖୁବ୍‌ଶୀଘ୍ର ଏହି ରିଟେଲରଙ୍କ ଉପରେ ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ମୁତାବକ, ଶିବ ଜେନାଙ୍କର ୪ଟି ଆକାଉଣ୍ଟରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରହିଛି। ସେହି ସବୁ ଆକାଉଣ୍ଟକୁ ଅଚଳ କରି ଦିଆଯାଇଛି। ମେଡିଲୟେଡ୍‌ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାକୁ କାରବାର କରିବା ପାଇଁ ଦିଆଯାଇଥିବା ଲାଇସେନ୍ସ ରଦ୍ଦ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ସୁପାରିସ କରାଯାଇଛି।

କେମିତି ଧରାପଡ଼ିଲେ ଶିବ ଓ ସହଯୋଗୀ:
ନକଲି ଔଷଧ ବେପାର ନେଇ ଗିରଫ ଅଭିଯୁକ୍ତମାନଙ୍କଠାରୁ ମିଳିଛି ବିସ୍ଫୋରକ ତଥ୍ୟ। ମେଡିଲୟେଡ୍‌ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ସାଧାରଣ ଔଷଧ ବେପାର କରୁଥିଲା। ରାଜ୍ୟର ବିଭିନ୍ନ ଖୁଚୁରା ଔଷଧ ବ୍ୟବସାୟୀଙ୍କୁ ଔଷଧ ଯୋଗାଉଥିଲା। ହେଲେ କରୋନା ମହାମାରୀ ସମୟରେ ରାତାରାତି କୋଟିପତି ହେବାର ଲୋଭ ଲାଗିଗଲା। ମୁମ୍ବାଇ ପୁଲିସ ଗିରଫ କରିଥିବା ସୁଦୀପ ଚାଟାର୍ଜୀ ସହ ଅନ୍‌ଲାଇନ୍‌ରେ ଶିବ ଜେନାଙ୍କର ସମ୍ପର୍କ ହୋଇଥିଲା। ତା’ ସଂସ୍ଥା ‘ମାକ୍ସ ରିଲିଫ୍‌ ହେଲ୍ଥ କେୟାର’ ଠାରୁ ଫାଭିମାକ୍ସ ଓ ଫାଭିମାକ୍ସ-୪୦୦ ବ୍ରାଣ୍ଡର ନକଲି ଔଷଧ ଆଣି ଓଡ଼ିଶା ବଜାରରେ ବିକ୍ରି କରିବା ପାଇଁ ଡିଲ୍‌ ହୋଇଥିଲା। ଓଡ଼ିଶାରେ ୫ କୋଟି ଟଙ୍କା ବେପାର କରିବା ପାଇଁ ଚୁକ୍ତି ହେବା ପରେ ସୁଦୀପର ସଂସ୍ଥା ପ୍ରଥମ ପର୍ଯ୍ୟାୟରେ ଶିବଙ୍କ ସଂସ୍ଥାକୁ ୫ ହଜାର ୮ଶହ ଷ୍ଟ୍ରିପ୍‌ ଔଷଧ ଉଠାଇଥିଲା।

ଏହାପରେ ନକଲି ଔଷଧକୁ ନେଇ ତନାଘନା ହେବାରୁ ଏହି ସଂସ୍ଥା ଏସ୍‌ଟିଏଫ୍‌ ସ୍କାନରକୁ ଆସିଥିଲା। ମାଲିକ ତଥା ପରିଚାଳନା ନିର୍ଦ୍ଦେଶକ ଶିବ ଜେନା ଗିରଫ ଭୟରେ ଫେରାର ହୋଇଯିବା ପରେ ଏସ୍‌ଟିଏଫ୍‌ ଗୋଡାଉନ୍‌ ଇନ୍‌ଚାର୍ଜ ସତ୍ୟପ୍ରକାଶ ମହାନ୍ତିକୁ ଉଠାଇ ଆଣିଥିଲା। ତା’ର ସୂଚନାକୁ ଆଧାର କରି ଶିବ ଜେନାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଓ ମ୍ୟାନେଜର ପ୍ରୀତିରଞ୍ଜନ ପରିଡ଼ାକୁ ମଧ୍ୟ ଅଟକ ରଖି ପଚରାଉଚରା କରିଥିଲା। ଏମାନଙ୍କ ସୂଚନାକୁ ଆଧାର କରି ଶିବ ଜେନାଙ୍କୁ ଆଜି ଉଠାଇ ଆଣିଛି ଏସ୍‌ଟିଏଫ୍‌। ଶିବଙ୍କଠାରୁ ନକଲି ଔଷଧ କାରବାର ନେଇ ସବିବେଶଷ ତଥ୍ୟ ମିଳିସାରିଛି ଏବଂ ଖୁବ୍‌ଶୀଘ୍ର ରିଟେଲର ଓ ଅନ୍ୟ ସହଯୋଗୀଙ୍କୁ ଜେରା କରିବାକୁ ପ୍ରସ୍ତୁତ ହେଉଛି ଏସ୍‌ଟିଏଫ୍‌। ଏହାଛଡ଼ା ସୁଦୀପ ଚାଟାର୍ଜୀ ରିମାଣ୍ଡରେ ଆସିଲେ ତା ଠାରୁ ଆହୁରି ଅଧିକ ତଥ୍ୟ ମିଳିବ ବୋଲି ଏସ୍‌ଟିଏଫ୍‌ର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର