କଟକ : ନକଲି ଔଷଧ କାରବାର ଘଟଣାରେ କଟକ ପୁରୀଘାଟ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି, ଭି.ଆର୍ ଡ୍ରଗ୍ ଏଜେନ୍ସିର ମାଲିକ ରାହୁଲ କ୍ୟାଲ୍ ଏବଂ ପୂଜା ଏଣ୍ଟରପ୍ରାଇଜର୍ସ ମାଲିକ ସଞ୍ଜୟ ଜଲାନ୍। ରାହୁଲର ମା’ ବର୍ଷାରାଣୀ ଓ ସଞ୍ଜୟଙ୍କ ପତ୍ନୀ ଚଞ୍ଚଲ ନାଁରେ ଲାଇସେନ୍ସ ରହିଛି। ଏମାନଙ୍କୁ ପୁରୀଘାଟ ଥାନା ପୁଲିସ ବାରମ୍ବାର ଥାନାକୁ ଡାକି ଜେରାକରିବା ପରେ ଉପରୋକ୍ତ ଦୁଇ ଜଣ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏଥିସହିତ, ସେମାନଙ୍କ ଗୋଦାମରେ ପୁଲିସ ଆଜି ଚଢ଼ଉ କରିଛି।
/sambad/media/post_attachments/wp-content/uploads/2022/09/purighat-police-750x430.jpg)
ସୂଚନା ଅନୁଯାୟୀ, ଉଚ୍ଚ ରକ୍ତଚାପ ପାଇଁ ବ୍ୟବହାର ହେଉଥିବା ପ୍ରତିଷ୍ଠିତ ଔଷଧ କମ୍ପାନି ଗ୍ଲେନମାର୍କର ତିନୋଟି ଔଷଧ ଟେଲମା ୪୦, ଟେଲମା ଏ.ଏସ, ଟେଲମା ଏଚ. ଭଳି ତିନୋଟି ଔଷଧକୁ ନକଲି କରି ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ବିହାର ଓ ବେଙ୍ଗାଲୁରୁରୁ ନକଲି ଔଷଧ ଆମଦାନୀ ହୋଇ ଓଡ଼ିଶା ବଜାରରେ ବିକ୍ରି ହେଉଥିବା ବେଳେ ଧରାପଡ଼ିଥିଲା। ଗ୍ଲେନ୍ମାର୍କ କମ୍ପାନିର ଲୋଗୋ ବ୍ୟବହାର କରି ନକଲି ଉଚ୍ଚ ରକ୍ତଚାପ ଔଷଧ ବିକ୍ରି ଘଟଣାରେ କଟକ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର୍ ମାଣିକଘୋଷ ବଜାରସ୍ଥିତ ଭି.ଆର୍ ଡ୍ରଗ୍ ଏଜେନ୍ସି ଓ ଯାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜେସ୍ର ୪ଜଣଙ୍କ ବିରୋଧରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ଭି.ଆର୍ ଡ୍ରଗ୍ ଏଜେନ୍ସିର ମାଲିକ ବର୍ଷାରାଣୀ କ୍ୟାଲ୍ ଓ ତାଙ୍କ ପୁଅ ରାହୁଲ କୁମାର କ୍ୟାଲ୍ ଏବଂ ଯାଉଁଳିଆପଟି ପୂଜା ଏଣ୍ଟରପ୍ରାଇଜେସ୍ର ମାଲିକ ସଞ୍ଜୟ ଜଲାନ୍ ଓ ତାଙ୍କ ପତ୍ନୀ ଚଞ୍ଚଲ ଜଲାନ୍ଙ୍କ ବିରୋଧରେ ପୁରୀଘାଟ ଥାନା ପୁଲିସ ତଦନ୍ତ କରୁଛି। ଏବେ ସୁଦ୍ଧା ଉଭୟ ବର୍ଷାରାଣୀ ଓ ଚଞ୍ଚଲଙ୍କ ବିରୋଧ ପୁଲିସ ହାତରେ ପ୍ରମାଣ ଲାଗି ପାରି ନ ଥିବା କୁହାଯାଉଛି। ତେବେ ସେମାନେ ଏହି ନକଲି ଔଷଧ କାରବାରରେ ସମ୍ପୃକ୍ତ ଅଛନ୍ତି କି ନାହାନ୍ତି, ସେ ନେଇ ପୁରୀଘାଟ ଥାନା ପୁଲିସର ଏକ ଟିମ୍ ତଦନ୍ତ କରୁଛି। ଯେହେତୁ ଏହି ମାମଲାରେ ବାହାର ରାଜ୍ୟର ସମ୍ପର୍କ ରହିଛି, ପୁଲିସ ଅଧିକ ତଦନ୍ତ ପାଇଁ ବାହାର ରାଜ୍ୟକୁ ଯାଇ ତଦନ୍ତ ଯୋଜନା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/arrest-medi.jpg)