ପୁଣି ମିଳିଲା ୩ ଲକ୍ଷ ଟଙ୍କାର ନକଲି ଔଷଧ, ଜବତ ସଂପତ୍ତି ପରିମାଣ କୋଟିଏ ଟପିଲା

କଟକ : କଟକର ‌ମହତାବ ରୋଡ୍‌ରେ ଥିବା କୋରିଅର୍ ସଂସ୍ଥା ତ୍ରିଦେବ ଏକ୍ସପ୍ରେସ୍‌ କାର୍ଗୋରୁ ଆଜି ୩ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ନକଲି ଉଚ୍ଚ ରକ୍ତଚାପ ଔଷଧ ଜବତ କରାଯାଇଛି। ଏଥିରେ ରହିଛି ଟେଲ୍‌ମା ୪୦ ନକଲି ଉଚ୍ଚ ରକ୍ତଚାପ ଔଷଧ। ଏହି ନକଲି ଔଷଧ କାରବାର ମାମଲାରେ ଆଜିସୁଦ୍ଧା ପୁଲିସ ଓ ଡ୍ରଗ୍‌ସ କଣ୍ଟ୍ରୋଲ ବିଭାଗ କୋଟିଏ ଟଙ୍କାର ସମ୍ପତ୍ତି ଜବତ କରିସାରିଲାଣି। ଏହି ପରିମାଣର ସମ୍ପତ୍ତି ଜବତ ସହ ନକଲି ଔଷଧ କାରବାରରେ ତିନୋଟି ରାଜ୍ୟର ମାଫିଆ ସମ୍ପୃକ୍ତ ଥିବାରୁ ଏହାର ତଦନ୍ତ ଭାର ସିବିଆଇ ହାତକୁ ଯିବ ବୋଲି ଅନୁମାନ କରାଯାଉଛି। ଏପଟେ ନକଲି ଔଷଧ କୋରିଅର୍ ମାଧ୍ୟମରେ ଆମଦାନୀ ହୋଇଥିବାରୁ କମିସନରେଟ୍ ପୁଲିସ କଟକ ସହରର ପ୍ରମୁଖ ୧୨ଟି କୋରିଅର୍ ସଂସ୍ଥାରେ ଯାଞ୍ଚ ଆରମ୍ଭ କରିଦେଇଛି।

ସୂଚନା ଅନୁଯାୟୀ, ପୂର୍ବରୁ ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜେସର ସଞ୍ଜୟ ଜଲାନଙ୍କ ନିକଟରୁ ପୁରୀଘାଟ ଥାନା ପୁଲିସ ୩୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଥିଲା। ଏମାନେ ଖୋଲା ବଜାରରେ ଯେଉଁ ରିଟେଲରଙ୍କୁ ଏହି ନକଲି ଔଷଧ ବିକ୍ରି କରିଥିଲେ, ସେମାନଙ୍କଠାରୁ ଏଯାଏ ୨୦ ଲକ୍ଷ ଟଙ୍କାର ଔଷଧ ଜବତ ହୋଇସାରିଲାଣି। ଜବତ ହୋଇଥିବା ଟେଲମା-୪୦ ଓ ଟେଲମା ଏ.ଏସ୍ ଷ୍ଟ୍ରିପରେ ପ୍ରତି ଷ୍ଟ୍ରିପ୍ ପିଛା ୨୨୨ ଟଙ୍କା ଲେଖାଏ କରି ମୋଟ ୫୩ ଲକ୍ଷ ଟଙ୍କାର କେବଳ ଔଷଧ ବାବଦ ଟଙ୍କା ଆକଳନ କରାଯାଉଛି। ଏହି ଔଷଧ ବାଦ୍ ବିହାରର ବାଲାଜୀ ଡ୍ରଗସ, ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୪୦ ଲକ୍ଷ ଟଙ୍କା ପୁଲିସ ଜବତ କରିସାରିଲାଣି। ଆଜି ପୁଣିଥରେ ଚଢ଼ଉକୁ ତ୍ବରାନ୍ବିତ କରିଛି ପୁଲିସ। ଏସିପି ଅମରେନ୍ଦ୍ର ପଣ୍ଡା, ପୁରୀଘାଟ ଥାନା ଆଇଆଇସି ଯତିନ ସେଠୀ, କଟକ ସର୍କଲ-୧ର ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲର ମହତାବ ରୋଡରେ ଥିବା ତ୍ରିଦେବ ଏକ୍ସପ୍ରେସ୍ କାର୍ଗୋରେ ଚଢ଼ଉ କରିଥିଲେ। ଏହି କୋରିଅର୍ ସଂସ୍ଥାରୁ ୩ ଲକ୍ଷ ଟଙ୍କାର ଟେଲମା-୪୦ ଔଷଧ ମିଳିଥିଲା। ଏହି ଔଷଧ ମାଣିକଘୋଷ ବଜାରସ୍ଥିତ ଭି.ଆର. ଡ୍ରଗ୍ ଏଜେନ୍ସି ପକ୍ଷରୁ ବିହାର ଗୟା ଜିଲ୍ଲାରେ ଥିବା ବାଲାଜୀ ଡ୍ରଗ୍‌ସରୁ କିଣାଯାଇଛି। ଏହି ରସିଦ୍‌ରେ ଯେଉଁ ଜିଏସ୍‌ଟି ନମ୍ବର ରହିଛି, ପୁଲିସ ଏହାରି ଆଧାରରେ ବିହାରର ସଂପୃକ୍ତ କମ୍ପାନିକୁ ଚିହ୍ନଟ କରିଛି। ରାହୁଲ ଓ ସଞ୍ଜୟ ନକଲି ଔଷଧ ଆମଦାନୀ ପାଇଁ କୋରିଅରର ସହାୟତା ନେଉଥିବାରୁ ଏବେ କଟକ ସହରରେ ୧୨ଟି କୋରିଅର୍ ସଂସ୍ଥା ଚିହ୍ନଟ କରାଯାଇଛି।

ଅନ୍ୟପକ୍ଷରେ, ମାମଲାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି।

ସମ୍ବନ୍ଧିତ ଖବର