ଦାମୀ କମ୍ପାନି ଖୋଳରେ ନକଲି ଔଷଧ, କଟକର ୧୦ଟି ସ୍ଥାନରେ ଚଢଉ

କଟକ : ଦାମୀ କମ୍ପାନି ଖୋଳରେ ବିକ୍ରି ହେଉଛି ନକଲି ଔଷଧ। ଗତ ୩ଦିନ ଧରି ଚାଲିଥିବା ଛାନ୍‌ଭିନ୍‌ରୁ ଏହିଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଗଲା ଜୁନ୍‌ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ଲକ୍ଷାଧିକ ଟଙ୍କାର ଏଭଳି ନକଲି ଔଷଧ ଚାଲାଣ ହୋଇଛି। ଗତକାଲି ବିଜ୍ଞପ୍ତି ଜାରି ହେବାପରେ ଆଜିସୁଦ୍ଧା ୩୦ ଲକ୍ଷରୁ ଅଧିକ ଟଙ୍କାର ଔଷଧ ଫେରି ଆସିଥିବା ଜଣାପଡ଼ିଛି। କଟକର ମାଣିକଘୋଷ ବଜାରସ୍ଥିତ ଦୁଇଟି ଔଷଧ ଏଜେନ୍ସିରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ‌ଔଷଧ ବଜାରକୁ ଛଡ଼ାଯାଇଥିଲା। ସେଥିମଧ୍ୟରୁ କଟକ, ଭୁବନେଶ୍ବର, ବାଲେଶ୍ବର, ବରଗଡ଼ ଓ ଝାରସୁଗୁଡାର ପ୍ରାୟ ୧ ହଜାର ଦୋକାନରୁ ୩୦ ଲକ୍ଷ ଟଙ୍କାର ଔଷଧ ଫେରସ୍ତ ଆସିଥିବା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗୁଜରାଟ, ଦିଲ୍ଲୀ ଓ କୋଲକାତାକୁ ମଧ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କାର ଏଭଳି ଔଷଧ ଯାଇଥିବା ସୂଚନାରୁ ଜଣାପଡ଼ିଛି।

୩୦ ଲକ୍ଷ ଟଙ୍କାର ‌ଔଷଧ ଫେରସ୍ତ ଆସିଲା
ରାଜ୍ୟରେ ହଜାରେ କାଉଣ୍ଟରକୁ ଯାଇଥିଲା ଔଷଧ
କୋଲକାତା, ଗୁଜୁରାଟ, ଦିଲ୍ଲୀକୁ ବି ଯାଇଛି

ପାଟଣା, ବେଙ୍ଗାଲୁରୁ ଆଦି ସ୍ଥାନରୁ ଏକ ନିର୍ଦ୍ଦିଷ୍ଟ କମ୍ପାନି ଦୁଇ ମାସ ହେଲା କଟକ ଓ ଭୁବନେଶ୍ବରର କିଛି ଔଷଧ ଏଜେନ୍ସିକୁ ଉଚ୍ଚ ରକ୍ତଚାପର ଔଷଧ ପଠାଇଥିଲା। ଏହି ଔଷଧ ଖାଇବା ପରେ ବି ରୋଗ ଉପଶମ ହେଉ ନଥିଲା। କିନ୍ତୁ, ଯେଉଁ ଔଷଧ ବଜାରରୁ କିଣାଯାଇଥିଲା ତାହା ଏକ ଦାମୀ ବ୍ରାଣ୍ଡ୍‌ର ଔଷଧ। ଫଳରେ, ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ, ଏକ ଦାମୀ ବ୍ରାଣ୍ଡ୍‌ର ଖୋଳକୁ ବ୍ୟବହାର କରାଯାଇ ସେଥିରେ ଭେଜାଲ କମ୍ପାନିର ଔଷଧ ବଜାରକୁ ଛଡ଼ାଯାଉଥିବା ଅଭିଯୋଗ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ଟେଲ୍‌ମା-୪୦, ଟେଲ୍‌ମା ଏଏଚ୍‌, ଟେଲ୍‌ମା ଏଏମ୍‌ କମ୍ପାନିର ଔଷଧ ସବୁର ନକଲ କରାଯାଇ ଏକ ଦାମୀ ବ୍ରାଣ୍ଡ କମ୍ପାନିର ଖୋଳରେ ତାକୁ ପ୍ୟାକିଂ କରାଯାଇ ବଜାରକୁ ଛଡ଼ାଯାଇଛି । ଏହାପରେ ଭୁବନେଶ୍ବରରେ ପ୍ରଥମେ ଚଢ଼ଉ କରାଯାଇଥିବାବେଳେ ଏହାର ଚେର କଟକକୁ ଲମ୍ବିଥିବା ଜଣାପଡ଼ିଥିଲା। ଫଳରେ, ୬ତାରିଖ ରାତିରୁ କଟକର ମାଣିକଘୋଷ ବଜାରରେ ଚଢଉ କରାଯାଇଥିଲା।

BORGEN Magazine

ଏହି ଚଢଉ ପରେ ଭେଜାଲ ଔଷଧ ବିକ୍ରି ସଂପର୍କିତ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି। ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଧର୍ମଦେବ ପୁହାଣ, ତୁଷାର ରଞ୍ଜନ ପାଣିଗ୍ରାହୀ, ହରିପ୍ରିୟା ମଲ୍ଲିକଙ୍କ ନେତୃତ୍ବରେ କଟକର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ଆଗକୁ ଏ ସଂପର୍କିତ ଖୋଳତାଡ ଜାରି ରହିବ, ଏବଂ ନକଲି କାରବାରର ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ, ଯେଉଁ ଦେକାନୀମାନେ ଏହି ବ୍ୟାଚ୍‌ର ଔଷଧ କିଣିଛନ୍ତି ସେମାନେ ତୁରନ୍ତ ଔଷଧ ସବୁକୁ ଫେରସ୍ତ କରିବାକୁ ରାଜ୍ୟ ଔଷଧ ବ୍ୟବସାୟୀ ସଂଘର ସଂପାଦକ ପ୍ରଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେହିଭଳି, ଗତକାଲିଠାରୁ ଯେଉଁ ସବୁ ଜିଲ୍ଲାକୁ ଏହି ଔଷଧ ଯାଇଛି ତାକୁ ତୁରନ୍ତ ଫେରସ୍ତ ଆଣିବାକୁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚିଠି କରାଯିବା ପରେ ମାଣିକଘୋଷ ବଜାରରସ୍ଥିତ ଭିଆର୍‌ ଡ୍ରଗ୍ସ ଏଜେନ୍ସିରୁ ଯାଇଥିବା ଔଷଧ ମଧ୍ୟରୁ ଆଜି ୧୫ ଲକ୍ଷ ଟଙ୍କାର ଔଷଧ ଫେରସ୍ତ ଆସିଛି। ପୂଜା ଏଣ୍ଟରପ୍ରାଇଜେସ୍‌ରୁ ଯାଇଥିବା ଔଷଧରୁ ୧୪ ଲକ୍ଷ ଟଙ୍କାର ଔଷଧ ଫେରସ୍ତ ଆସିଥିବା ଡ୍ରଗ୍ସ କ‌ଣ୍ଟ୍ରୋଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର