ପୁଣି ଜଗତପୁରରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ

ପୋକରା ଚାଉଳ, ରଙ୍ଗ, କେମିକାଲରେ ପ୍ରସ୍ତୁତ ହେଉଥିଲା ହଳଦୀ, ଲଙ୍କା ଗୁଣ୍ଡ

କଟକ -ଜଗତପୁର : କଟକ ସହର ଓ ଏହାର ଉପକଣ୍ଠ ଜଗତପୁର ଅଞ୍ଚଳରେ ନକଲି କାରବାର ଥମିବାର ନାଁ ଧରୁନି। ବାରମ୍ବାର ଚଢଉ ପରେ ବି ନୂଆ ନୂଆ ନକଲି କାରବାର ସାମନାକୁ ଆସୁଛି। ଜଗତପୁର ଥାନା ଅନ୍ତର୍ଗତ ନିୟୁ ତରୋଳ ଅଞ୍ଚଳ ସ୍ଥିତ କେନ୍ଦ୍ରାପଡ଼ା କେନାଲ ପାର୍ଶ୍ବ ସାଇ ସମୀକ୍ଷା ନଗରରେ ସ୍ବାତି ବିଭରେଜ ଆଣ୍ଡ ଫୁଡ ଇଣ୍ଡଷ୍ଟ୍ରି ନାମରେ ବେଆଇନ ନକଲି ଖାଦ୍ୟ ମସଲା କାରଖାନାକୁ ଆଜି ଠାବ କରାଯାଇଛି। ସିଏମସିର ସ୍ୱାସ୍ଥ୍ୟ ବିଭାଗ ଓ କମିସନରେଟ ପୁଲିସ ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରିଛନ୍ତି।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ ଏହି କାରଖାନାଟି ୫ ବର୍ଷରୁ ଅଧିକ ସମୟ ଧରି ଓରିମିକ୍ସ ବ୍ରାଣ୍ଡରେ ବିଭିନ୍ନ ପ୍ରକାରର ମସଲା ପ୍ରସ୍ତୁତ କରି କଟକ ଓ ଏହାର ଆଖପାଖ କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଜିଲ୍ଲା ଅଞ୍ଚଳକୁ ପଠାଉଥିଲା। କାରଖାନା ମଧ୍ୟରେ ପ୍ରସ୍ତୁତ ହୋଇ ଗଚ୍ଛିତ ଥିବା ବସ୍ତା ବସ୍ତା ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ ଏବଂ ହଜାର ହଜାର ପ୍ୟାକିଙ୍ଗ ମସଲା ପ୍ୟାକେଟ, ସଫେଇ ଲିକୁଇଡ ସହିତ ଅନ୍ୟାନ୍ୟ କମ୍ପାନିର ଜିନିଷକୁ ଜବତ କରାଯାଇଛି। ଉପରୋକ୍ତ ସାମଗ୍ରୀ ସହିତ ଏହି ମସଲା ପ୍ରସ୍ତୁତି ନିମନ୍ତେ ଥିବା ମୂଲ୍ୟବାନ ମେସିନ ଗୁଡିକୁ ମଧ୍ୟ ପୁଲିସ ଜବତ କରିଛି। ଅନ୍ୟ କାରଖାନାରେ ପ୍ରସ୍ତୁତ ହୋଇଥିବା ସାମଗ୍ରୀକୁ ବଜାରରୁ ଆଣି ଏଠାରେ ଭେଜାଲ କରି କମ୍ପାନି ବ୍ରାଣ୍ଡରେ ବିକ୍ରି କରାଯାଉଥିବା ପ୍ରମାଣ ମିଳିଛି।

ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଭଳି ମସଲାରେ ପୋକରା ଚାଉଳ ଗୁଣ୍ଡ, ରଙ୍ଗ ଓ କେମିକାଲ ମିଶା ହୋଇ ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଉଥିଲା। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରସ୍ତୁତ ହୋଇଥିବା ସାମଗ୍ରୀର ମାନ ଯାଞ୍ଚ କରିବା ସହିତ କାରଖାନାର କାଗଜପତ୍ର ଯାଞ୍ଚ କରିଥିଲେ। କାରଖାନା ନାମରେ ୨୦୧୭ ରୁ ୨୦୧୮ ପର୍ଯ୍ୟନ୍ତ ଫୁଡ ସେଫଟି ଲାଇସେନ୍ସ ଥିବାବେଳେ ପରବର୍ତ୍ତୀ ସମୟରେ ଏହାର ପୁନଃ ପଞ୍ଜିକୃତ ହୋଇ ନଥିବା ଯାଞ୍ଚ ବେଳେ ଜଣାପଡିଥିଲା। ଏ ସମ୍ପର୍କ ରେ କାରଖାନାର ମାଲିକ ଅନ୍ୟ ଏକ ସ୍ଥାନର ଲାଇସେନ୍ସ ପ୍ରମାଣପତ୍ର ଦେଖାଇଥିଲେ ବି ଏହା ନକଲି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ। ଏଭଳି ସ୍ଥିତିରେ କାରଖାନାକୁ ସିଲ କରାଯିବା ସହିତ କାରଖାନାର ମୁଖ୍ୟ ପରିଚାଳକ ରାଜେଶ ରାଉତଙ୍କୁ ପୁଲିସ ଅଟକ ରଖି ଜେରା ଚଳାଇଛି। ଆଜିର ଏହି ଚଢଉରେ କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟପ୍ରକାଶ ମହାପାତ୍ର ଓ ସ୍ୱାସ୍ଥ୍ୟ ନିରୀକ୍ଷକ ଭଗବାନ ଲେଙ୍କା, କମିସନରେଟ ପୁଲିସ ପକ୍ଷରୁ କଟକ ଜୋନ -୧ ଏସିପି ଶୁଭନାରାୟଣ ମୁଦୁଲି, ଜଗତପୁର ଥାନା ଆଇଆଇସି ରବୀନ୍ଦ୍ର ନାଥ ମେହେର, ଏସ ଆଇ ତୃପ୍ତିମୟୀ ସାହୁ, ଏସ ଆଇ ପି. କେ. ଦାସ ଏବଂ ଏ ଏସ ଆଇ କେ. ୟୁ ଖାନ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର