ବୋତଲ, ବ୍ରାଣ୍ଡ, ସରକାରୀ ଲେବଲ, ପ୍ୟାକିଂ…ସବୁ ଅସଲି, କିନ୍ତୁ ମଦ ନକଲି

ନକଲି ବିଦେଶୀ ମଦରେ ଉବୁଟୁବୁ ରାଜ୍ୟ

ରାଜଧାନୀ ଉପକଣ୍ଠ, ଖୋର୍ଦ୍ଧାରେ ସର୍ବାଧିକ
କୋଲକାତାରୁ ଆସୁଛି ନକଲି ସରକାରୀ ଲୋଗୋ, ଲେବୁଲ
ହଜାର ହଜାର ଲିଟର ସ୍ପିରିଟ୍ ଚାଲାଣ ହେଉଛି, ଧରାପଡ଼ୁ ନାହାନ୍ତି କିଙ୍ଗପିନ୍!

ଭୁବନେଶ୍ୱର : ବୋତଲ, ବ୍ରାଣ୍ଡ, ସରକାରୀ ଲେବଲ, ପ୍ୟାକିଂ… ସବୁ ଅସଲି। ଚକାଚକ୍ ଦେଖାଯାଉଥିବା ଭଳିକି ଭଳି ନାମୀଦାମୀ ବିଦେଶୀ ବ୍ରାଣ୍ଡ ଭିତରେ କିନ୍ତୁ ମଦ ନକଲି। ଏମିତି ଢଙ୍ଗରେ ତିଆରି ହେଉଛି ଯେ ନକଲି ବୋଲି କେହି ଠଉରାଇ ପାରିବେ ନାହିଁ। କାହାର ସାମାନ୍ୟତମ ସନ୍ଦେହ ମଧ୍ୟ ହେବ ନାହିଁ। ସାରା ରାଜ୍ୟକୁ ମାଡ଼ି ଗଲାଣି ନକଲି ମଦ। କେବଳ ଦେଶୀ ନୁହେଁ, ବିଦେଶୀ ମଦ ବି ଭେଜାଲ୍‌ ହେଉଛି। ରାଜଧାନୀ, ଉପକଣ୍ଠ ଓ ଖୋର୍ଦ୍ଧା ଜିଲ୍ଲାରେ ମାଳମାଳ କାରଖାନା‌‌ରେ ଏହି ବେଆଇନ କାରବାର ଚାଲିଥିବା ଜଣାପଡ଼ିଛି। ବିଶେଷକରି ଏହି ନକଲି ମଦ ଢାବା, ରାସ୍ତାକଡ଼ରେ ବିକ୍ରି ହେଉଛି। କେତେବେଳେ ଜୀବନ ନେଇଯିବ, ତାହା କହିବା ମୁସ୍କିଲ।

୨୦୨୧ ଅକ୍ଟୋବର ୯ ତାରିଖରେ ବାରିପଦାରୁ ୯୪ ପେଟି ନକଲି ମଦ ଜବତ କରାଯାଇଥିଲା। ଏହାସହ ମଦରେ ବ୍ୟବହୃତ ରଙ୍ଗ, ବୋତଲ, ଠିପି, ଲେବୁଲ୍ ଜବତ କରାଯାଇଥିଲା। ବାଲେଶ୍ବର ଭୋଗରାଇ ବାଟଗ୍ରାମଠାରୁ ୯ ଶହ ଲିଟର ନକଲି ମଦ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରିଥିଲା ଅବକାରୀ ଥାନା। ନଭେମ୍ବର ୧୦ ତାରିଖରେ ନବରଙ୍ଗପୁର କୋଷମଗୁଡ଼ାରୁ ନକଲି ମଦ, ସ୍ପରିଟ୍ ଜବତ କରାଯାଇଥିଲା। ଖୋର୍ଦ୍ଧାରୁ ସର୍ବାଧିକ ୨୨୫ଲିଟର ନକଲି ମଦ ଜବତ କରାଯାଇଥିଲା। ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲାରେ ନକଲି ବିଷାକ୍ତ ମଦ ଯୋଗୁଁ ସର୍ବାଧିକ ଜୀବନ ଯାଇଛି। ଏତେ ପରିମାଣର ନକଲି ମଦ କେମିତି ତିଆରି ହେଉଛି? କେଉଁଠୁ ଆସୁଛି କଞ୍ଚାମାଲ୍? କେଉଁଠି ତିଆରି ହେଉଛି ଜାଲ୍ ସରକାରୀ ଲେବୁଲ? କିଏ ଧରିଛି ମଙ୍ଗ? କେଉଁଠି ଲୁଚିଛି କିଙ୍ଗପିନ୍? ଏସବୁ ଉପରୁ ଏଯାଏ ରହସ୍ୟ ଉଠିପାରିନାହିଁ।

TheJournal.ie

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନକଲି ବିଦେଶୀ ମଦ ତିଆରିରେ ବ୍ୟବହୃତ ସ୍ପିରିଟ୍ ପଶ୍ଚିମବଙ୍ଗରୁ ଆସୁଛି। ଓଡ଼ିଶା ସୀମା ଦେଇ ପ୍ରତିଦିନି ହଜାର ହଜାର ଲିଟର ଆସୁଛି ରାଜଧାନୀ ଯାଏ। ଜାଲ୍ ସରକାରୀ ଲେବୁଲ ତିଆରି କରାଯାଉଛି କୋଲକାତାରେ। ସେଠାରୁ ଲେବୁଲ ଓ ନାମୀଦାମୀ କମ୍ପାନିର ଲୋଗୋ ଆସୁଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ଗଞ୍ଜାମକୁ ଏ ସବୁ ସାମଗ୍ରୀ ଆସୁଛି। ଏହା ପରେ ପ୍ରସ୍ତୁତ କରାଯାଉଛି ନକଲି ମଦ। ସ୍ପିରିଟ୍‌ରେ ପାଣି, କାରାମେଲ୍, ରଙ୍ଗ ମିଶାଯାଇ ନକଲି ମଦ ତିଆରି କରାଯାଉଛି। ଏହା ପରେ ମେସିନ୍ ସାହାଯ୍ୟରେ ପ୍ୟାକିଂ କରାଯାଉଛି। ପୂରା ଅସଲି ଭଳି ଦେଖା ଯାଉଥିବା ଏହି ନକଲି ମଦକୁ ଚୋରା ବେପାରୀମାନେ ଆଣି ଢାବା ଓ ଅନ୍ୟ ସ୍ଥାନରେ ବିକ୍ରି କରୁଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଉପକଣ୍ଠ ହଂସପାଳ, ବାଲିଅନ୍ତା, ଚନ୍ଦକା, ବାରଙ୍ଗ ଅଞ୍ଚଳରେ ମଦ ମାଫିଆମାନେ ଏହି ନକଲି କାରବାରର ମଙ୍ଗ ଧରିଛନ୍ତି। ସେହିପରି ଖୋର୍ଦ୍ଧା, ବାଲୁଗାଁ ସମେତ ବିଭିନ୍ନ ଅଞ୍ଚଳରେ ମଧ୍ୟ ବିପୁଳ ପରିମାଣର ନକଲି ମଦ ତିଆରି ହେଉଛି। ହାତଗଣତି କିଛି ବେପାରୀ ଗିରଫ ହୋଇଥିଲେ ମଧ୍ୟ ଏହା ପଛରେ ଥିବା କିଙ୍ଗପିନ୍ ଧରାପଡ଼ୁ ନାହାନ୍ତି।

ପୂର୍ବତନ ଅବକାରୀ କମିସନର୍‌ ସୁଦର୍ଶନ ନାୟକଙ୍କ କହିବା ଅନୁସାରେ, ସରକାରୀ ମଦରେ ନିର୍ଦ୍ଦିଷ୍ଟ ପରିମାଣର ଭାଗମାପ ରହିଥାଏ। କିନ୍ତୁ ନକଲି ମଦରେ ସେମିତି କିଛି ନ ଥାଏ। ନକଲି ମଦରେ ଟାରଟାରିକ୍ ଏସିଡ୍, ଆସେଟିକ୍ ଏସିଡ୍, ଆଲଡେହାଇଡ୍ ଏସିଡ୍, ମିଥାଇଲ୍ ଆଲକହଲ୍ ଅଧିକ ପରିମାଣରେ ରହିଥାଏ। ଯଦି ନିର୍ଦ୍ଦିଷ୍ଟ ସୀମାଠାରୁ ମିଥାଇଲ ଆଲକହଲ୍ ପରିମାଣ ଅଧିକ ହୋଇଯାଏ, ତାହା ମଣିଷର ଜୀବନ ନେଇପା‌ରେ। ନକଲି ଦେଶୀ ମଦରେ ଅଧିକ ବିଷାକ୍ତ ହେବାର ସମ୍ଭାବନା ରହିଥାଏ। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୨୦-୨୧ ବର୍ଷରେ ୧୧୭ ଲିଟର ନକଲି ମଦ ଜବତ ହୋଇଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷ ଅକ୍ଟୋବର ସୁଦ୍ଧା ପ୍ରାୟ ୪୧୫୦ ଲିଟର ନକଲି ବିଦେଶୀ ମଦ ଜବତ କରାଯାଇଛି। ଏଥିରୁ ରାଜ୍ୟରେ ନକଲି ମଦ କାରବାର ସ୍ପଷ୍ଟ ବାରି ହୋଇପଡ଼ୁଛି।

ସମ୍ବନ୍ଧିତ ଖବର