ପାରଳାଖେମୁଣ୍ତି : ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ କରି କଟକ, ଭୁବନେଶ୍ବର, ରାଉରକେଲା ଇତ୍ୟାଦି ଅଞ୍ଚଳରେ ନକଲି ସାମଗ୍ରୀ ନିର୍ମାଣ ହେଉଥିବା ଘଟଣା ଯେତିକି ଚାଞ୍ଚଲ୍ୟକର ସେତିକି ସ୍ବାସ୍ଥ୍ୟପ୍ରତି ହାନିକାରକ। ଗଜପତି ଜିଲ୍ଲାରେ ବିଭିନ୍ନ ଅଞ୍ଚଳକୁ ବିଶେଷ କରି ସହରାଞ୍ଚଳକୁ ଏହି ନକଲି ସାମଗ୍ରୀ ଗୁଡ଼ିକ ଅନେକ ପରିମାଣରେ ପହଞ୍ଚୁଥିବା ସୂଚନା ରହିଛି। ତେବେ ଯୋଗାଣ ବିଭାଗର ଗୁଇନ୍ଦା ସଂସ୍ଥାର ଅପାରଗତା ପାଇଁ ଏହାର ତଦାରଖ ହୋଇପାରୁନାହିଁ। ପାରଳା ବଜାରରେ ଅନେକ ଛୋଟବଡ଼ ହୋଲ୍ସେଲ୍ ବ୍ୟବସାୟୀ ସକ୍ରିୟ ଥିବା ବେଳେ ସେମାନେ ନକଲି କିମ୍ବା ଦୁଇ ନମ୍ବର ସାମଗ୍ରୀ ଖୁଚୁରା ବ୍ୟବସାୟୀମାନଙ୍କୁ ପଠାଉଛନ୍ତି ବୋଲି ତଥ୍ୟ ମିଳିଛି। ନାମୀଦାମୀ କମ୍ପାନୀର ସାମଗ୍ରୀ ଠାରୁ ଏହି ଦୁଇ ନମ୍ବର ନକଲି ସାମଗ୍ରୀ ସ୍ଥାନୀୟ ଅଞ୍ଚଳରେ ଅଧିକ ବିକ୍ରୟ ହେଉଛି। ଏହି ନକଲି ସାମଗ୍ରୀର ବଡ଼ ଗ୍ରାହକ ହେଉଛନ୍ତି ସ୍ଥାନୀୟ ହୋଟେଲ, ଫାଷ୍ଟଫୁଡ୍ ସେଣ୍ଟର୍ ଓ ଚାହା ଦୋକାନ ଇତ୍ୟାଦି। ସେହିପରି ଭୋଜି ଋତୁରେ ଦୁଇ ନମ୍ବର ସାମଗ୍ରୀର ବିକ୍ରୟ ବଢ଼ିଥାଏ ବୋଲି କିଛି ବ୍ୟବସାୟୀ ସୂଚନା ଦେଇଛନ୍ତି। ପାରଳାଖେମୁଣ୍ତିରେ ବହୁ ହୋଲସେଲ୍ ଦୋକାନ ରହିଛି। ବଜାରର ଗୋଟିଏ ସ୍ଥାନରେ ବ୍ୟବସାୟ କରୁଥିବା ବେଳେ ଅନ୍ୟସ୍ଥାନରେ ବଡ଼ ବଡ଼ ଗୋଦାମ ରଖିଛନ୍ତି।
ଏସବୁ ହୋଲସେଲ୍ ବ୍ୟବସାୟୀଙ୍କ ଠାରେ ଟମାଟ ସସ୍ ଠାରୁ ଆରମ୍ଭ କରି ଖାଇବା ତେଲ, ଗୁଟଖା, ଘିଅ ଓ ମସଲା ଇତ୍ୟାଦି ଦୁଇ ନମ୍ବର କିମ୍ବା ନକଲି ସାମଗ୍ରୀ ବିକ୍ରୟ କରା ଯାଉଥିବା ନଜରକୁ ଆସୁଛି। ବଜାରରେ କିଷାନ ବ୍ରାଣ୍ଡର ଟମାଟ ସସ୍ ଲିଟର ପିଚ୍ଛା ୯୦ରୁ ୧୦୦ ଟଙ୍କା ମଧ୍ୟରେ ବିକ୍ରୟ କରା ଯାଉଥିବା ବେଳେ ନକଲି ଟମାଟ ସସ୍ ମାତ୍ର ୧୫ ରୁ ୨୦ ଟଙ୍କାରେ ବିକ୍ରି ହେଉଛି। ଫଳରେ ଖୁଚୁରା ବ୍ୟବସାୟୀମାନେ ଲାଭ ଆଶାରେ ନକଲି ସାମଗ୍ରୀ ନେଇ ବିକ୍ରି କରୁଛନ୍ତି। ସେହିପରି କିଛିଦିନ ପୂର୍ବେ ଗଜପତି ପୁଲିସ ବିନା ବିଲ୍ରେ ଗୁଟ୍ଖା ବ୍ୟବସାୟରେ ସମ୍ପୃକ୍ତ ଥିବା ଦୁଇଜଣ ପ୍ରମୁଖ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ସୁଜି, ଡାଲି ଜାତୀୟ ସାମଗ୍ରୀ ବଜାରରେ ଦୁଇଟି ଦରରେ ବିକ୍ରୟ ହେଉଛି। ଏହି ସାମଗ୍ରୀ ଗୁଡିକୁ ନକଲି କିମ୍ବା ଅସଲି ବୋଲି ଚିହ୍ନଟ କରିବା କାଠିକର। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଯେକୌଣସି ଦୋକାନରେ ଏସବୁ ସାମଗ୍ରୀ କିଣିଲେ ଜିଏସ୍ଟି ବିଲ୍ ନଦେଇ ଏକ ଚିଠାରେ ଦର ଲେଖିଦେଇ ଦାୟିତ୍ବ ସମାପ୍ତ କରିବା ପାଇଁ ପ୍ରୟାସ କରନ୍ତି। ଆଉ ଏକ ଚିନ୍ତାର କାରଣ ହେଉଛି ବଜାରରେ ଛୋଟପିଲାଙ୍କ ପାଇଁ ମିଳୁଥିବା ଲେସ୍, କୁରକୁରେ ଓ କିଣ୍ତରଜୟ ବ୍ରାଣ୍ଡର ଚଟ୍ପଟି ପରି ଦିଶୁଥିବା ସାମଗ୍ରୀ ସମସ୍ତ ଦୋକାନରେ ମିଳୁଛି। ଛୋଟଛୋଟ ପାନ ଦୋକାନରେ ବିକ୍ରୟ ହେଉଥିବା ପିଲାମାନଙ୍କର ଏହି ରୁଚିକର ଖାଦ୍ୟ ବିକ୍ରୟ କରା ଯାଉଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ। ବଜାରରେ ଏହି ସାମଗ୍ରୀ ଗୁଡ଼ିକ କୌଣସି ଦ୍ବନ୍ଦ୍ବ ଏବ˚ କଟକଣା ନଥାଇ ବିକ୍ରୟ ହେଉଥିବା ଯୋଗୁଁ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡୁଛି ବୋଲି ଜଣାଶୁଣା ପେଟରୋଗ ବିଶେଷଜ୍ଞ ଡା. ଏନ. କେଶବ ରାଓ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/ghee.png)