ଭଞ୍ଜନଗର/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନଖଣ୍ଡ ଏବଂ ଘୁମୁସର ବନଖଣ୍ଡର ଦକ୍ଷିଣ ଓ ଉତ୍ତର ଘୁମୁସର ବନଖଣ୍ଡରେ ରବିବାର କୃଷ୍ଣସାର ମୃଗ ଗଣନା ହୋଇଛି। ଏହି ୩ ବନଖଣ୍ଡର ୭ ଟି ବନାଞ୍ଚଳରେ ଏହି ମୃଗ ଗଣନା କରାଯାଇଛି। ସମୁଦାୟ ବନାଞ୍ଚଳରେ ୧୧୩ଟି ୟୁନିଟରେ ୩୮୯ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ସକାଳ ୬ଟାରୁ ଏହି ମୃଗ ଗଣନା ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ମୃଗ ଅଧିକ ସଂଖ୍ୟାରେ ଦୃଶ୍ୟମାନ ହେଉଥିବାରୁ ସଂଖ୍ୟା ବୃଦ୍ଧି ପାଇଥିବା ସମ୍ଭାବନା ରହିଛି।
Advertisment
ମୁଣ୍ଡ ଗଣତି ପଦ୍ଧତିରେ ଏହି ଗଣନା ‌କରା ଯାଇଥିବା ବେଳେ ଗଣନା ସମୟରେ କମ୍ପାସ୍‌, କ୍ୟାମେରା, ବାଇନାକୁଲର ପ୍ରଭୃତି ଉପକରଣ ବ୍ୟବହାର କରା ଯାଇଥିଲା। ବ୍ରହ୍ମପୁର ବନଖଣ୍ଡର ବ୍ରହ୍ମପୁର, ଦିଗପହଣ୍ଡି ଓ ଖଲ୍ଲିକୋଟ ବନାଞ୍ଚଳରେ କୃଷ୍ଣସାର ଗଣନା କରା ଯାଇଥିଲା। ୩ଟି ବାନାଞ୍ଚଳକୁ ୩୭ ୟୁନିଟ୍‌ରେ ବିଭକ୍ତ କରି ଗଣନା କରା ଯାଇଥିଲା। ପ୍ରତି ୟୁନିଟ୍‌ରେ ୨ଜଣ ଲେଖାଏ ୭୪ଜଣ କର୍ମଚାରୀ ସାମିଲ ହୋଇଥିଲେ। ଗତ ଗଣନାରେ ବ୍ରହ୍ମପୁର ବନଖଣ୍ଡରେ ୨୪୭୫ କୃଷ୍ଣସାର ଥିଲେ। ଏଥିରେ ଅଣ୍ଡିରା ୩୧୬, ମାଇ ୧୭୮୧ ଏବଂ ୩୭୮ ଛୁଆ ରହିଥିଲେ।
ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା, ବୁଗୁଡ଼ା ଓ ପୋଲସରା ବନାଞ୍ଚଳରେ କୃଷ୍ଣସାର ଗଣନା ହୋଇଛି। ଆସିକା ବନାଞ୍ଚଳର ଆସିକା ଓ ଶେରଗଡ ସେକ୍ସନ୍‌, ବୁଗୁଡା ବନାଞ୍ଚଳର ବାଲିପଦର, ପଞ୍ଚଭୂତି, ବୁଗୁଡା ଓ ମାଣିରତା ସେକ୍ସନ୍‌, ପୋଲସରା ବନାଞ୍ଚଳର କୋଦଳା ଓ ପୋଲସରା ସେକ୍ସନ୍‌ରେ ଏହି ଗଣନା ହୋଇଛି। ଏହି ୩ଟି ବନାଞ୍ଚଳରେ ୬୮ ୟୁନିଟ୍‌ କରି ୨୬୦ରୁ ଊର୍ଦ୍ଧ୍ବ ବନ କର୍ମଚାରୀ ମୃଗ ଗଣନାରେ ନିୟୋଜିତ ହୋଇଥିଲେ। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା, ଏସିଏଫଓ ସଙ୍କର୍ଷଣ ବେହେରା, ପ୍ରଭାକର ନାୟକ, ଆସିକା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ବୁଗୁଡା ବନାଞ୍ଚଳ ଅଧିକରୀ ଫକୀର ଚରଣ ବେହେରା, ପୋଲସରା ବନାଞ୍ଚଳ ଅଧିକାରୀ ସଚିନ୍ କୁମାର ପ୍ରଧାନ ଓ ସୋରଡ଼ା ବନାଞ୍ଚଳ ଅଧିକାରୀ ଲମ୍ବୋଦର ବାସ୍କେଙ୍କ ସମେତ ବନପାଳ, ବନରକ୍ଷୀ, ପାରା ସ୍କ୍ବାଡ଼ ଆଦି ଏହି ମୃଗ ଗଣନାରେ ସାମିଲ ହୋଇଥିଲେ।
ବିଗତ ବର୍ଷ ଏହି ବନଖଣ୍ଡରେ ୪୧୧୪ଟି କୃଷ୍ଣସାର ମୃଗ ରହିଥିବା‌ ବେଳେ ସେଥି ମଧ୍ୟରୁ ୯୭୧ଟି ଅଣ୍ଡିରା,୨୫୦୯ ଟି ମାଇ ଏବଂ ୬୩୪ ଟି ଛୁଆ କୃଷ୍ଣସାର ମୃଗ ଥିଲେ। ଚଳିତ ବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡରେ କୃଷ୍ଣସାର ମୃଗଙ୍କ ଖାଦ୍ୟ ଓ ସୁରକ୍ଷା ପାଇଁ ସ୍ବତନ୍ତ୍ର ଗୁରୁତ୍ବ ଦିଆ ଯାଇଥିଲା। ଏଥିସହ ସୁରକ୍ଷା ବାଡ଼ ଠାରୁ ଆରମ୍ଭ କରି ଜଳାଶୟ, ଖାଦ୍ୟ ଆଦି କ୍ଷେତ୍ରରେ ବନ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆ ଯାଇଥିଲା। ଗତବର୍ଷ ତୁଳନାରେ ଗଣନା ବେଳେ ଅଧିକ ସଂଖ୍ୟାରେ କୃଷ୍ଣସାର ଦୃଶ୍ୟମାନ ହୋଇଥିବା ଡିଏଫଓ ଶ୍ରୀ ବେହୁରା ପ୍ରକାଶ କରିଛନ୍ତି। ସେ‌ହିପରି ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥ ପ୍ରସାଦ ରେଞ୍ଜର ଗେରେଡା, ବେଲଗୁଣ୍ଠା ଓ ଜଗନ୍ନାଥ ପ୍ରସାଦ ବନାଞ୍ଚ‌ଳରେ ଏହି ମୃଗ ଗଣନା କରାଯାଇଛି। ଏହି ବନାଞ୍ଚଳରେ ୮ଟି ୟୁନିଟରେ ୪୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ, ଏସିଏଫଓ ସୁଦର୍ଶନ ବାଦୀ, ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ, ଗେରେଡ଼ା ବନପାଳ କଳାବଦନ ଦାସ, ଇସୁଆ ଗଣେଶ, ବବୁଲ କୁମାର ସେଠୀଙ୍କ ସମେତ ବନପାଳ, ବନରକ୍ଷୀ ଓ ସ୍କ୍ବାଡ଼ ସାମିଲ୍‌ ଥିଲେ।