ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ‘ସ୍କିଲ ମ୍ୟୁଜିୟମ୍‌’, ‘ମାମୋଗ୍ରାଫି’ : ସ୍କିଲ୍‌ ମ୍ୟୁଜିୟମ୍‌ ରାଜ୍ୟରେ ପ୍ରଥମ, ମାମୋଗ୍ରାଫି ଦେଶରେ ଅଷ୍ଟମ

କଟକ : କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ପରିସରରେ ରାଜ୍ୟର ପ୍ରଥମ ଦକ୍ଷତା ସଂଗ୍ରହାଳୟ (ସ୍କିଲ୍‌ ମ୍ୟୁଜିୟମ୍‌) ଏବଂ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ‘ମାମୋଗ୍ରାଫି’ ମେସିନ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏଭଳି ଉଚ୍ଚ କ୍ଷମତା ସଂପନ୍ନ ମେସିନ୍‌ ସ୍ଥାପନରେ ଦେଶରେ ଏହା ଅଷ୍ଟମ ସ୍ଥାନରେ ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍କୁଲ୍‌ ମ୍ୟୁଜିୟମକୁ ଉଦ୍‌ଘାଟନ କରିବା ସହ ଏଥିରେ ପୁରାତନ ଓ ଆଧୁନିକ ଦକ୍ଷତାର ସଂଯୋଗ ସ୍ଥାପନ ହୋଇଛି ବୋଲି କହିଛନ୍ତି। ଏହା ଭବିଷ୍ୟତର ଦକ୍ଷତାକୁ ପଥ ଦେଖାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଖପୁରିଆ ସରକାରୀ ଆଇଟିଆଇ ଅଧ୍ୟକ୍ଷ ଡକ୍ଟର ଋଷିକେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଜନା, ସଂଯୋଜନା, ଦକ୍ଷତା ବିକାଶ ଓ ବୈଷିୟିକ ଶିକ୍ଷା ବିଭାଗୀୟ ମନ୍ତ୍ରୀ ଉଷା ଦେବୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି, ନିୟୋଜନ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ, ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ ଯୋଗେ ଦେଇଥିଲେ। ଚଳିତ ବର୍ଷ ଓଡ଼ିଶାର ଆଉ ୪ଟି ଆଇଟିଆଇରେ ‘ସ୍କିଲ୍‌ ମ୍ୟୁଜିୟମ’ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଯୋଜନା ରଖିଛନ୍ତି ବୋଲି ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ସୂଚନା ଦେଇଛନ୍ତି। ୨୦୧୯ ସୁଦ୍ଧା ରାଜ୍ୟର ଆଇଟିଆଇକୁ ଅର୍ନ୍ତଜାତୀୟସ୍ତରକୁ ନେବା, ବିଶ୍ୱ ଦକ୍ଷତା ସଂସ୍ଥା ଭୁବନେଶ୍ୱରରେ ସ୍ଥାପନ କରିବା, ଓଡ଼ିଶାରେ ବିଶ୍ୱ ଦକ୍ଷତା ପ୍ରଦର୍ଶନୀ ଆୟୋଜନ କରିବା ସହ ଦକ୍ଷତା ବିକାଶ ତାଲିମ ପାଇଥିବା ଛାତ୍ରଛାତ୍ରୀ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ବାଗ୍‌ଚି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁଭଲକ୍ଷ୍ମୀ ସୁବୁଦ୍ଧି, ହେମନ୍ତ ଟୁଡୁ, ଜେନୋଫେନ୍‌ ଦାସ, ଶଶାଙ୍କ ରାଜ, ରିମା ମୁଡି, ଅନୁପ କୁମାର ଭାରତୀ, ଦୀପକ ରଂଜନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଖପୁରିଆ ଆଇଟିଆର ୨୬ଶହ ବର୍ଗ ଫୁଟର ସ୍ଥାନରେ ୬୫ଲକ୍ଷ ଟଙ୍କା ବ୍ୟୟରେ ଏହି ମ୍ୟୁଜିୟମ ନିର୍ମାଣ କରାଯାଇଛି। ସଂଗ୍ରହାଳୟରେ ବିଶ୍ୱସ୍ତରୀୟ ପ୍ରଦର୍ଶନ କ୍ଷେତ୍ର ଓ ପ୍ରେକ୍ଷାଳୟ ରହିଛି। ଏହା ବିଶେଷ ଭାବେ ଗବେଷକ, ପ୍ରଶିକ୍ଷାର୍ଥୀ, ଶିଳ୍ପ ପ୍ରତିଷ୍ଠାନଙ୍କ ପାଇଁ ସହାୟକ ହେବ। କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂହ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିବା ବେଳେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ବଳବନ୍ତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍କିଲ୍‌ ମ୍ୟୁଜିୟମ ଉଦ୍‌ଘାଟନ କରିବା ପୂର୍ବରୁ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ‘ମାମୋଗ୍ରାଫି’ ମେସିନ୍‌କୁ ଉଦ୍‌ଘାଟନ କରିଥିଲେ। ସ୍ୱର୍ଗତ ଶକୁନ୍ତଳା ପଣ୍ଡାଙ୍କ ସ୍ମୃତିରେ ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀଙ୍କ ପକ୍ଷରୁ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ଦାନ କରାଯାଇଥିବା ଏହି ଉଚ୍ଚ କ୍ଷମତା ସମ୍ପନ୍ନ ଡିଜିଟାଲ୍‌ ମାମୋଗ୍ରାଫି ମେସିନ ପାଇଁ ୧କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ଏହି ମେସିନ୍‌ ସ୍ତନ କର୍କଟ ନିରୂପଣ ଓ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରିବ। ଆଚାର୍ଯ୍ୟ ହରିହରରେ ରୋଗୀମାନେ ଏହି ମେସିନ୍‌ଦ୍ୱାରା ସଂପୂର୍ଣ୍ଣ ମାଗଣାରେ ପରୀକ୍ଷା ଓ ଚିକିତ୍ସା ସୁବିଧା ପାଇପାରିବେ। ଏହି ମେସିନ୍‌ ଆସିବା ଦ୍ୱାରା ଭାରତରେ ଉଚ୍ଚ କ୍ଷମତାସମ୍ପନ୍ନ ମାମୋଗ୍ରାଫି ମେସିନ୍‌ ଗୁଡ଼ିକ ମଧ୍ୟରେ ଏହା ଅଷ୍ଟମ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ଏହି ମେସିନ୍‌କୁ ଉଦ୍‌ଘାଟନ କରିବା ପରେ ମେସିନ୍‌ ଓ କେନ୍ଦ୍ର ବିଷୟରେ ବୁଝିଥିଲେ। କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ, ଡିନ୍‌ ପ୍ରଫେସର ଡାକ୍ତର ନିରଂଜନ ରାଉତ, ଅଧୀକ୍ଷକ ପ୍ରଫେସର ଡାକ୍ତର ପଦ୍ମାଳୟା ଦେବୀ, ରେଡିଓ ଡାଇଗ୍ନୋସିସ୍‌ ବିଭାଗୀୟ ମୁଖ୍ୟ ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକ, ରେଡିଏସନ୍‌ ଅଙ୍କୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁରେନ୍ଦ୍ରନାଥ ସେନାପତି, ମେଡିକାଲ୍‌ ଫିଜିକ୍ସର ପ୍ରଫେସର ପ୍ରଦୀପ କୁମାର ହୋତା, ରେଡିଓ ଡାଇଗ୍ନୋସିସ୍‌ ଆସିଷ୍ଟାଣ୍ଟ ପ୍ରଫେସର ରାଜେନ୍ଦ୍ର ମେହେର୍‌, ମୁଖ୍ୟ ଫାର୍ମାସିଷ୍ଟ ସୁବ୍ରତ ତ୍ରିପାଠୀ ଓ ଅନ୍ୟାନ୍ୟ ଡାକ୍ତର, କର୍ମଚାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଦେବାଶିଷ ସାମନ୍ତରାୟ, ମେୟର ମିନାକ୍ଷୀ ବେହେରା, ଆର୍‌ଡିସି ମହେନ୍ଦ୍ର କୁମାର ମଲ୍ଲିକ, ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ଡିସିପି ଅଖିଳେଶ୍ୱର ସିଂହ, ସିଏମ୍‌ସି କମିସନର ବିକାଶ ମହାପାତ୍ର, ଓଏସ୍‌ଏମ୍‌ସିଏଲ୍‌ ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର