ବନ୍ଦ ହେବ ଦେଶର ପ୍ରଥମ ଟିଟାନିୟମ୍ ସ୍ଲାଗ୍ ପାଣ୍ଟ୍!

କ୍ଷତି ଯୋଗୁଁ ୭ ମାସ ହେଲା ଉତ୍ପାଦନ ଠପ୍, ବିଦ୍ୟୁତ ବିଚ୍ଛିନ୍ନ
ଜୀବିକା ହରାଇବେ ଶତାଧିକ ଶ୍ରମିକ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଶ୍ରୀରାମଚନ୍ଦ୍ରପୁର, ଟାକରିଆବ୍ରହ୍ମପୁର ଓ କଣମଣା ମୌଜାର ୨୫୦ ଏକର ଜମିରେ ଅବସ୍ଥାପିତ ଦେଶର ପ୍ରଥମ ଟିଟାନିୟମ୍ ସ୍ଲାଗ୍ ପ୍ଲାଣ୍ଟ୍ ବନ୍ଦ ହେବା ଭଳି ସ୍ଥିତି ଉପୁଜିଛି। କାରଖାନା କ୍ଷତିରେ ଚାଲୁଥିବାରୁ ୭ ମାସ ହେଲା ଉତ୍ପାଦନ ବନ୍ଦ ରହିଛି। କୋଟି କୋଟି ଟଙ୍କା ବିଲ୍ ପୈଠ ହୋଇ ନଥିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରି ଦିଆଯାଇଛି। ଫଳରେ କାରଖାନା ବନ୍ଦ ହେଲେ ଜମି ହରାଇଥିବା ଶ୍ରୀରାମଚନ୍ଦ୍ରପୁର ମୌଜାର ପ୍ରାୟ ୫ଖଣ୍ତ ଗାଁର ପ୍ରାୟ ୪୦୦ ଶ୍ରମିକ ଜୀବିକା ହରାଇବା ନିଶ୍ଚିତ ହୋଇଛି। ଟାକରିଆ ବ୍ରହ୍ମପୁର, କଣମଣା, ଚନ୍ଦ୍ରପ୍ରଦା, ମାୟାପାଟଣା ଓ କାଳିଆବାଲି ଗ୍ରାମର ଶତାଧିକ ଶ୍ରମିକଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଥିବା ବେଳେ ବିକଳ୍ପ ବ୍ୟବସ୍ଥା ଦିଗରେ ସରକାର ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ସେମାନଙ୍କ ପରିବାରବର୍ଗ ନିବେଦନ କରିଛନ୍ତି। ୩୫୦ କୋଟି ଟଙ୍କା ବ୍ୟୟରେ ଏହି ଟିଟାନିୟମ୍ ସ୍ଲାଗ୍ ପ୍ଲା ଣ୍ଟ୍ ସ୍ଥାପନ ହୋଇଥିଲା। ଏଠାରୁ ସ୍ଲାଗ୍ ଉତ୍ପାଦନ କରି ଚୀନ୍ ଜରିଆରେ ଜାପାନକୁ ରପ୍ତାନି ପାଇଁ ଅନୁମତି ମିଳିଥିଲା। ଭାରତର ପ୍ରତିରକ୍ଷା ବିଭାଗ, ବିମାନ ଯୁଦ୍ଧ ଜାହାଜ ଓ ବହୁ ଦାମୀ ଯାନବାହନ ପାଇଁ ଟିଟାନିୟମ୍ ସ୍ଲାଗ୍ ଆମଦାନି କରି ବାର୍ଷିକ ୭୫ ହଜାର ଟନ୍ ଇଲୁମିନଟ ଟିଟାନିୟମ ଉତ୍ପାଦନ କରିବାକୁ ଲକ୍ଷ୍ୟ ରହିଥିଲା।

‘ଟିଟାନିୟମ୍ ସରାଫ୍ ଏଜେନ୍ସି’ ନାମକ ଏହି କମ୍ପାନିକୁ ୨୦୧୬ ସେପ୍ଟେମ୍ବର ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ୨୦୧୭ ମସିହା ମେ ୨୫ ତାରିଖରେ ଏହି ପ୍ଲା ଣ୍ଟରୁ ସ୍ଲାଗ୍ ଉତ୍ପାଦନ ହୋଇଥିଲା। ୨୦୮ ଟନ୍ ସ୍ଲାଗ୍‌କୁ ବିଶାଖାପାଟଣା ‌ପୋର୍ଟକୁ ପଠାଯାଇଥିଲା। ସେଠାରୁ ଚୀନ୍ ଜରିଆରେ ଜାପାନର ସୋଜିତ୍ କମ୍ପାନିକୁ ସ୍ଲାଗ୍ ରପ୍ତାନି ହୋଇଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ପ୍ଲା ଣ୍ଟ୍‌ରେ ସ୍ଲାଗ୍ ଉତ୍ପାଦନ କାର୍ଯ୍ୟ ଚାଲିଥିଲା। କିନ୍ତୁ ସ୍ଲାଗ୍ ଉତ୍ପାଦନରେ ଯେତେ ଅନୁଦାନ ଖର୍ଚ୍ଚ ହେଉଥିଲା, ସେହି ଅନୁସାରେ ସ୍ଲାଗ୍ ବିକ୍ରିରେ ଲାଭ ମିଳୁ ନଥିଲା। ଏଥିସହ ଉତ୍ପାଦିତ ହେଉଥିବା ସ୍ଲାଗ୍‌ର ସଠିକ୍ ଦର ନଥିବାରୁ ରପ୍ତାନି ମଧ୍ୟ ହୋଇ ପାରୁନଥିଲା। ଫଳରେ କମ୍ପାନିକୁ ବହୁ ପରିମାଣର କ୍ଷତି ସହିବାକୁ ପଡ଼ିଥିଲା। ଏଥିସହ କାରାଖାନାରେ ଉତ୍ପାଦନ ଲାଗି ବିଦ୍ୟୁତ୍ ବାବଦରେ ପ୍ରାୟ କୋଟି କୋଟି ଟଙ୍କା ବକେୟା ଯୋଗୁଁ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଥିଲା। ଏହାପରଠୁ ପ୍ଲାଣ୍ଟ୍‌ରେ ସ୍ଲାଗ୍ ଉତ୍ପାଦନ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହାର କିଛି ସ୍ଥାୟୀ ସମାଧାନ ହୋଇ ନଥିବା ଯୋଗୁଁ ଜୁନ୍‌ ମାସରୁ କମ୍ପାନିରେ ଉତ୍ପାଦନ ବନ୍ଦ ରହିଛି। କାର୍ଯ୍ୟ କରୁଥିବା ପ୍ରାୟ ୩୦ ଜଣ ଅଧିକାରୀ ଏବଂ ଶ୍ରମିକ ମାନଙ୍କୁ ଛଟେଇ କରାଯାଇଛି। କେବଳ ୨୦୦୭ ମସିହାରେ ଜମି ଅଧିଗ୍ରହଣ ବେଳେ ଜମି ହରାଇ କମ୍ପାନିରେ କାମ କରୁଥିବା ଶ୍ରମିକମାନଙ୍କୁ ଅଧା ଦରମା ଦେଇ କମ୍ପାନି ରଖିଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା କମ୍ପାନି ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ନ ହେଲେ ଅଧାଦରମା ପାଉଥିବା ଶ୍ରମିକଙ୍କୁ ଛଟେଇ କରାଯିବ ନା’ ପୂର୍ବ ଭଳି ସେମାନଙ୍କୁ ନିୟୋଜିତ କରାଯିବ ଏହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଆଉ ଶ୍ରମିକ ମାନେ ନିଜ ଜୀବନଜୀବିକାକୁ ନେଇ ସନ୍ଦିହାନରେ ପଡ଼ିଛନ୍ତି। ଏଦିଗ‌ରେ ସରକାର ଓ ପ୍ରଶାସନ ଚିନ୍ତା କରିବାର ସମୟ ଆସିଛି ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର