ଛତ୍ରପୁର : ଛତ୍ରପୁର ତହସିଲ ଇଲକାରେ ପ୍ରତିଷ୍ଠା ହୋଇଛି ସରାଫ୍ ଟିଟାନିୟମ ସ୍ଲାଗ୍ ପ୍ଲାଣ୍ଟ। ଏହି ପ୍ଲାଣ୍ଟ୍ର ୧୦ କୋଟି ୯୯ ଲକ୍ଷ ୪୮ ହଜାର ୧୨୨ ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ଥିବାରୁ ଗତ ମେ ମାସରୁ ସାଉଥ୍କୋ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରିଛି। ଫଳରେ ପ୍ଲାଣ୍ଟ୍ରେ ଦୀର୍ଘ ୮ ମାସ ହେଲା ଉତ୍ପାଦନ ବନ୍ଦ ରହିଛି। ଆର୍ଥିକ କ୍ଷତି ମଧ୍ୟରେ ଗତି କରୁଥିବା ଦେଶର ଏହି ପ୍ରଥମ ଟିଟାନିୟମ୍ ସ୍ଲାଗ୍ ପ୍ଲାଣ୍ଟରେ ଏବେ ତାଲା ଝୁଲୁଥିବାବେଳେ ଆଗାମୀ ଦିନରେ ଜିଲ୍ଲାର ଏହି ଶିଳ୍ପ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାର ଆଶଙ୍କା ଦେଖାଦେଇଛି। ଏହି ଶିଳ୍ପ ବନ୍ଦ ଟାକରିଆ ବ୍ରହ୍ମପୁର, କଣମଣା, ଚନ୍ଦ୍ରପ୍ରଦା, ମାୟାପାଟଣା ଓ କାଳିଆବାଲି ଅଞ୍ଚଳର ୪ଶହରୁ ଅଧିକ ଶ୍ରମିକ ଜୀବିକା ହରାଇବେ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲର ଶ୍ରୀରାମଚନ୍ଦ୍ରପୁର, ଟାକରିଆବ୍ରହ୍ମପୁର ଓ କଣମଣା ମୌଜାର ୨୫୦ ଏକର ପରିମିତ ଇଲାକରେ ପ୍ରତିଷ୍ଠା ହୋଇଛି ଏହି ଟିଟାନିୟମ୍ ସ୍ଲାଗ୍ ପ୍ଲାଣ୍ଟ୍। ୩୫୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ଏହି ପ୍ଲାଣ୍ଟକୁ ୨୦୧୬ ସେପ୍ଟେମ୍ବର ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଏଥିରୁ ସ୍ଲାଗ୍ ଉତ୍ପାଦନ ରପ୍ତାନି ପାଇଁ ଅନୁମତି ମିଳିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ପ୍ଲାଣ୍ଟରୁ ସ୍ଲାଗ୍ ଉତ୍ପାଦନ କାର୍ଯ୍ୟ ଚାଲିଥିଲା।
ଏହି ଶିଳ୍ପ କାର୍ଯ୍ୟକ୍ଷମ ଲାଗି ଛତ୍ରପୁର ବିଦ୍ୟୁତ୍ ବିଭାଗ ପକ୍ଷରୁ ୨୦୧୪ ଜୁନ୍ ୨୬ ତାରିଖରେ ସରାଫ୍ ଏଜେନ୍ସି ନାମରେ ୩୩ କେଭି ଭୂତଳ ବିଦ୍ୟୁତ୍ ସଂଯୋଗ କରା ଯାଇଥିଲା। ଏଥିଲାଗି ସରାଫ୍ ଏଜେନ୍ସି ପକ୍ଷରୁ ୮କୋଟି ୪ ଲକ୍ଷ ୫୫ ହଜାର ୨୦୦ ଟଙ୍କା ଅମାନତ ଟଙ୍କା ଜମା କରାଯାଇଥିଲା। ବିଦ୍ୟୁତ୍ ବିଲ୍ ସଠିକ୍ ଭାବେ ପୈଠ ନ କରି ୨୦୨୦ ବେଳକୁ ବିଦ୍ୟୁତ୍ ବିଲ୍ ବାବଦରେ ଅମାନତ ଜମା ଟଙ୍କାରୁ ବକେୟା ଅଧିକା ହୋଇଥିଲା। ଏ ସଂକ୍ରାନ୍ତରେ ବିଦ୍ୟୁତ ବିଭାଗ ପକ୍ଷରୁ ବାରମ୍ବାର ସରାଫ୍ ଏଜେନ୍ସିକୁ ସୂଚନା ଓ ଚେତାବନୀ ଦିଆଯାଇଥିଲା। କିନ୍ତୁ କିଛି ଫଳ ନ ହେବାରୁ ୨୦୨୦ ମେ ମାସରେ ପ୍ଲାଣ୍ଟର ବିଦ୍ୟୁତ୍ ସଂଯୋଗ ଚ୍ଛିନ୍ନ କରାଯାଇଥିଲା। ଏହାପରେ ସରାଫ୍ ଏଜେନ୍ସି ବିଦ୍ୟୁତ୍ ବିଭାଗ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ହାଜର ହୋଇଥିଲେ। ନିୟମିତ ମାସିକ ବିଦ୍ୟୁତ୍ ବିଲ୍ ସହ ବକେୟା ବିଲ୍ ବାବଦରେ ଅଗ୍ରୀମ ୯୦ ଲକ୍ଷ ତିନୋଟି ପର୍ଯ୍ୟାୟରେ ପୈଠ କରିବା ଲାଗି ସମ୍ମତି ପ୍ରଦାନ କରିଥିଲେ। ଏହାପରେ ପୁଣିଥରେ ପ୍ଲାଣ୍ଟ୍କୁ ବିଦ୍ୟୁତ୍ ସଂଯୋଗୀକରଣ ହୋଇଥିଲା। ୨୦୨୦ ସେପ୍ଟେମ୍ବର ମାସ ବେଳକୁ ୧୦ କୋଟି ୯୯ ଲକ୍ଷ ୪୮ ହଜାର ୧୨୨ ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ଥିଲା। ସରାଫ୍ ଏଜେନ୍ସି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ବକେୟା ବିଦ୍ୟୁତ ବିଲ୍ ପୈଠ କରିବାରେ ବିଫଳ ହୋଇଥିଲା। ଫଳରେ ପୁଣିଥରେ ଏହି ଶିଳ୍ପ ସଂସ୍ଥାକୁ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଥିବା ସୂଚନା ମିଳିଛି।