ଚିଲିକାରେ ହେବ ଦେଶର ସବୁଠୁ ବଡ଼ ରୋପ୍‌ୱେ: ୧୦ଟି ପର୍ଯ୍ୟଟନସ୍ଥଳୀରେ ନିର୍ମାଣ ହେବ ରୋପ୍‌ୱେ

ଭୁବନେଶ୍ବର: ଚିଲିକାରେ କାଳିଜାଇ ମନ୍ଦିରକୁ ସଂଯୋଗ କରିବା ଲାଗି ନିର୍ମାଣ ହେବ ଦେଶର ସବୁଠୁ ବଡ଼ ରୋପ୍‌ୱେ। ଉତ୍ତରାଖଣ୍ଡରେ ଅଲି ରୋପ୍‌ୱେ (୪କିମି) ଏବେ ଦେଶର ସବୁଠୁ ଲମ୍ବା ରୋପ୍‌ ୱେ ଭାବେ ଗଣାଯାଉଥିବା ବେଳେ ପ୍ରୟାଗି କୃଷ୍ଣପ୍ରସାଦ ରାସ୍ତାରୁ କାଳିଜାଇକୁ ସଂଯୋଗ କରି ଦେଶର ସବୁଠୁ ବଡ଼ ୫.୩ କିମିର ରୋପ୍ ୱେ ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ (ଏନ୍‌ଏଚ୍‌ଏଆଇ)କୁ ଖୁବ୍‌ ଶୀଘ୍ର ପ୍ରସ୍ତାବ ପଠାଇବେ। ଚିଲିକାକୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି।

ଏନ୍‌ଏଚ୍‌ଏଆଇର ସବ୍‌ସିଡାରି ସଂସ୍ଥା ନାସନାଲ୍ ହାଇୱେଜ୍‌ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଲିମିଟେଡ୍‌ (ଏନ୍‌ଏଚ୍‌ଏଲ୍‌ଏମ୍‌) ଅପହଞ୍ଚ ଅଞ୍ଚଳକୁ ସଂଯୋଗ କରିବା, ପର୍ଯ୍ୟଟନକୁ ଉନ୍ନତୀକରଣ କରିବା ଏବଂ ଧାର୍ମିକ ଦୃଷ୍ଟିରୁ ଗୁରୁତ୍ବ ଥିବା ଅଞ୍ଚଳରେ ରୋପ୍‌ୱେ ନିର୍ମାଣ କରୁଛି। ଏହାକୁ ନଜରରେ ରଖି ଓଡ଼ିଶାରେ ‘ପର୍ବତମାଳା’ ଯୋଜନାରେ ୧୦ଟି ରୋପ୍‌ୱେ ନିର୍ମାଣ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଉଛନ୍ତି। ଏଥିରେ ଚିଲିକାରେ ଦେଶର ସର୍ବବୃହତ ୫.୩କିମିର ରୋପ‌୍‌ୱେ ନିର୍ମାଣ ପ୍ରସ୍ତାବ ଦିଆଯିବ। ଯାହା ସଂପୂର୍ଣ୍ଣ ଭାବେ ପୁରୀ ଜିଲ୍ଲାରେ ରହିବ। ସେହିପରି ମୟୂରଭଞ୍ଜର ଭୀମକୁଣ୍ଡକୁ ମଙ୍ଗଳପୁରରୁ ୭୦୦ମିଟରର, କେନ୍ଦୁଝରର ବକ୍ସିବରିଗାଁ-ବାୟାପଣ୍ଡାଧର ରାସ୍ତାରୁ ଗୋନାସିକାକୁ ୬୭୦ମିଟରର, ଅନୁଗୁଳରେ ନୁଗୁଡ଼ା ଛକରୁ ମଳୟଗିରି ପାହାଡ଼କୁ ୨.୬କିମିର, ମୟୂରଭଞ୍ଜରେ ‌ଉଦଳାରୁ ଚକସୋଲିପଦା (ମେଦିନାପୁର ସୀମା)ରୁ ଦେବକୁଣ୍ଡକୁ ୩୬୦ମିଟରର, କୋରାପୁଟରେ ଗୁମଣ୍ଡିରୁ ଦୁଧାରୀକୁ ୩୨୦ମିଟରର, କନ୍ଧମାଳରେ ଫୁଲବାଣୀ-ଗୋଛପଡ଼ା ରାସ୍ତାରୁ ପୁଟୁଡ଼ି ଜଳପ୍ରପାତକୁ ୨୬୦ମିଟରର, ନୟାଗଡ଼ରେ ବଡ଼ମୂଳ କୁଟୁରି ରାସ୍ତାରୁ ସାତକୋଷିଆକୁ ୧.୭୨କିମିର, କୋରାପୁଟରେ ଦୁଧାରୀରୁ ‌ଗୁମାଣ୍ଡି ରାସ୍ତାରୁ ଇକୋ ରିଟ୍ରିଟ୍‌କୁ ୧.୫କିମିର, ପୁରୀରେ କୃଷ୍ଣପ୍ରସାଦ ସାତପଡ଼ା (ଝନିକୁଦ) ରାସ୍ତାରୁ ଚିଲିକାକୁ ୩.୩୪କିମିର ରୋପ୍‌ୱେ ନିର୍ମାଣ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେବେ। ଏହାବାଦ୍‌ ଯଦି ଆଉ କେଉଁଠି ରୋପ୍‌ୱେ ନିର୍ମାଣ କରାଯାଇପାରିବ ସେନେଇ ବିଭିନ୍ନ ଜିଲ୍ଲାରେ ଥିବା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀମାନେ ତୁରନ୍ତ ପ୍ରସ୍ତାବ ଦେବାକୁ କୁହାଯାଇଛି। ଏହାପରେ ରାଜ୍ୟ ସରକାର ଏହାକୁ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟକୁ ପଠାଇବେ।

ସମ୍ବନ୍ଧିତ ଖବର