ବରଗଡ଼/ପଦ୍ମପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କରାଇଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଏବଂ ତାଙ୍କ ସ୍ବାମୀଙ୍କୁ ଧରିଛି। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧୀନ ଜ୍ଞାନ ପଞ୍ଚାୟତର ପିଇଓ ନୂପୁର ସେଠ୍ ଏବଂ ତାଙ୍କର ସ୍ବାମୀ ବେଦପ୍ରକାଶ ବିଶ୍ବାଳ।
ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଅଧୀନ ଜ୍ଞାନ ପଞ୍ଚାୟତର ପିଇଓ ନୂପୁର ସେଠ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ହିତାଧୀକାରୀଙ୍କୁ ଗୃହ କରାଇଦେବା ପାଇଁ ୧୦ ହଜାର ଟଙ୍କା ମାଗିଥିଲେ। କିନ୍ତୁ ବ୍ୟକ୍ତି ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ସେ ୧୦ ହଜାର ଟଙ୍କା ଦେବାକୁ ଅସମର୍ଥ ଥିବା ପ୍ରକାଶ କରିଥିଲେ। ତେଣୁ ୫ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ଏନେଇ ସଂପୃକ୍ତ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ସେ ଘଟଣା ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଏହା ପରେ ଯୋଜନା ଅନୁସାରେ ଭିଜିଲାନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି।
ଶ୍ରୀମତୀ ସେଠ୍ ହିତାଧିକାରୀଙ୍କଠାରୁ ସିଧାସଳଖ ଟଙ୍କା ନନେଇ ସ୍ବାମୀ ବେଦପ୍ରକାଶ ବିଶ୍ବାଳଙ୍କ ଜରିଆରେ ଆଜି ଟଙ୍କା ନେଉଥିଲେ। ପୂର୍ବରୁ ଯୋଜନା କରିଥିବା ଭିଜିଲାନ୍ସ ଟିମ୍ ଅତର୍କିତ ଭାବେ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। ଏଥିସହିତ ଭିଜିଲାନ୍ସ ବିଭାଗ ସଂପୃକ୍ତ ଅଧିକାରୀ ଶ୍ରୀମତୀ ସେଠ୍ ଏବଂ ତାଙ୍କର ସ୍ବାମୀ ଶ୍ରୀ ବିଶ୍ବାଳଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏନେଇ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଶ୍ରୀମତୀ ସେଠ୍ଙ୍କ ନାମରେ ପୂର୍ବରୁ ମଧ୍ୟ ଏକାଧିକ ଅଭିଯୋଗ ଆସିଛି।