ବ୍ୟାଙ୍କ ଦେଲାନି କାଳିଆ ଟଙ୍କା, ବିଷ ପିଇ ଜୀବନ ହାରିଲେ ଗରୀବ ଦମ୍ପତି!

ବାଲେଶ୍ବର: ପୂର୍ବରୁ ଥିବା ରୁଣ ଟଙ୍କା ପରିଶୋଧ ନ କରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏକାଉଣ୍ଟକୁ ହୋଲଡ୍ କରି ରଖିଲେ। ଯାହା ଫଳରେ ଭୂମିହୀନ ଚାଷୀ ପର୍ଶୁରାମଙ୍କ ପକ୍ଷେ କାଳିଆ ଟଙ୍କା ଉଠାଇବା ସମ୍ଭବ ହେଲାନି। ଅଭାବ ଅନଟନରେ ରହି ଶେଷରେ ସେ ବିଷ ପିଇ ଆତ୍ମହତ୍ୟା କରିବା ଭଳି ପନ୍ଥାକୁ ଆପଣାଇବାକୁ ବାଧ୍ୟ ହେଲେ। ସ୍ବାମୀର ମୃତ୍ୟୁରେ ମ୍ରିୟମାଣ ହୋଇ ଶେଷରେ ପତ୍ନୀ ବି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅଡା ପଞ୍ଚା‌ୟତ ହଳିସ ଗାଁରେ।

ଗ୍ରାମର ପର୍ଶୁରାମ ବିଶ୍ବାଳ ଗତକାଲି ବିଷ ଆତ୍ମହତ୍ୟା କରିଥିଲେ। ୧୨ ଘଣ୍ଟା ନ ପୁରୁଣ ତାଙ୍କ ପତ୍ନୀ କବିତା ବିଶ୍ବାଳ ଆଜି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପର୍ଶୁରାମଙ୍କ ଜମିବାଡି ନାହିଁ। ସେ ଜଣେ ଭୂମିହୀନ ଚାଷ। ପରିବାର କହିଲେ ବୃଦ୍ଧ ଦିବ୍ୟାଙ୍ଗ ବାପା ନାରାୟଣ ବିଶ୍ବାଳ, ପତ୍ନୀ କବିତା ଓ ଦୁଇ ବର୍ଷର ଝିଅ ନନ୍ଦିନୀ। ପର୍ଶୁରାମ ଦିନ ମଜୁରି କାମ କରି ପରିବାର ଚଳାଇଥାନ୍ତି। ସେ କାଳିଆ ଯୋଜନାରେ ସାମିଲ ହୋଇଥିବା ବେଳେ ଅଡାରେ ଥିବା ୟୁକୋ ବ୍ୟାଙ୍କରେ ତାଙ୍କ ଏକାଉଣ୍ଟକୁ କାଳିଆ ଟଙ୍କା ଆସୁଛି। ହେଲେ ପୂର୍ବରୁ ସେ ନେଇଥିବା ରୁଣ ଟଙ୍କା ପରିଶୋଧ କରି ନଥିବାରୁ ତାଙ୍କ ଏକାଉଣ୍ଟଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ହୋଲଡ୍ କରି ଦେଇଛନ୍ତି। ଯାହା ଫଳରେ ପର୍ଶୁରାମ ବ୍ୟାଙ୍କୁ ଆସି କାଳିଆ ଟଙ୍କା ଉଠାଇ ନ ପାରି ନିରାଶରେ ଅଧିକାଂଶ ଦିନ ଫେରୁଛନ୍ତି। ପୂର୍ବରୁ ଜମା ହୋଇଥିବା ନିକଟରେ ରାଜ୍ୟ ସରକାର ଚାଷୀଙ୍କ ଏକାଉଣ୍ଟରେ କାଳିଆ ଟଙ୍କା ଜମା କରିଛନ୍ତି।

ଅଭାବ ଅନଟନରେ ପରିବାର ଚଳାଉଥିବା ପର୍ଶୁରାମ ୩-୪ ଦିନ କାଳିଆ ଟଙ୍କା ଉଠାଇବାକୁ ପୁଣି ବ୍ୟାଙ୍କକୁ ଯାଇଥିଲେ। ହେଲେ ରୁଣ ଟଙ୍କା ପରିଶୋଧ ନ କଲେ କାଳିଆ ଟଙ୍କା ଉଠାଇ ପାରିବ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ରୋକଠୋକ ମନା କରି ଦେଇଥିଲେ। ସେଠାରୁ ନିରାଶ ହୋଇ ଫେରିବା ପରେ ପର୍ଶୁରାମ ମାନସିକ ଦୁଃଚିନ୍ତାରେ ଥିଲେ। ମାନସିକ ଭାରସାମ୍ୟ ହରାଇ ଗତକାଲି ସେ ବିଷ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତକାଲି ରାତିରେ ପର୍ଶୁରାମଙ୍କ ମୃତ୍ୟୁ ହୋଇଥିଲା।

ଏହି ଖବର ଜଣା ପଡିବା ପରେ ପତ୍ନୀ କବିତା ଆଜି ସକାଳେ ବିଷ ପିଇ ଦେଇଥିଲେ। କବିତାଙ୍କୁ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। କବିତା ୪-୫ ମାସର ଗର୍ଭବତୀ ଥିବା କୁହାଯାଉଛି। ଅଭାବ ଅନଟନକୁ ନେଇ ପତି ଓ ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଘଟଣା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ଦାୟୀ କରିଛନ୍ତି। ଏନେଇ ବ୍ୟାଙ୍କ ପରିଚାଳକଙ୍କୁ ପଚାରିବାରେ ପର୍ଶୁରାମ ରୁଣ ଟଙ୍କା ପରିଶୋଧ କରି ନଥିବାରୁ ନିୟମ ଅନୁଯାୟୀ ତାଙ୍କ ଏକାଉଣ୍ଟ ହୋଲଡ କରାଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର