ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦମ୍ପତି: ୬ବର୍ଷର ପୁଅ, ୮ମାସର ଝିଅ ଅନାଥ

ବ୍ୟାସନଗର : କରୋନାରେ ଆକ୍ରାନ୍ତ ହୋଇ ବାପା ଗତ ମାସରେ ମୃତ୍ୟୁବରଣ କଲେ। ଏହାପରେ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ କର୍କଟ ଆକ୍ରାନ୍ତ ମା’। ସେ ମଧ୍ୟ ଆଜି ସମାନ ରାସ୍ତା ଧରିଲେ। ଏବେ ୬ ବର୍ଷର ପୁଅ ଏବଂ ୮ ମାସର ଝିଅ ଅନାଥ ହୋଇଯାଇଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବ୍ୟାସନଗର ପୌରାଞ୍ଚଳର ଭଟିଆ ଗ୍ରାମରେ।

ଭଟିଆ ଗ୍ରାମର ସନାତନ ମଲିକ ଜଣେ ଅଟୋ ଚାଳକ। କରୋନାରେ ଆକ୍ରାନ୍ତ ହୋଇ ମେ୧୦ ତାରିଖରେ ମୃତ୍ୟୁବରଣ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପୂର୍ବରୁ କ୍ୟାସନରେ ପୀଡ଼ିତ ସ୍ତ୍ରୀ ପିଙ୍କି ଗୋଟିଏ ଗୋଡ଼ ହରାଇଥିଲେ। କ୍ୟାନସର ଯୋଗୁଁ ତାଙ୍କ ଡାହାଣ ଗୋଡ଼ଟିକୁ କାଟି ଦିଆଯାଇଥିଲା। ସ୍ବାମୀ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ସ୍ତ୍ରୀ ୬ ବର୍ଷର ପୁଅ ବୁବୁନ ଏବଂ ୮ ମାସର ଝିଅ ପୂଜାକୁ ନେଇ ଚିନ୍ତାରେ ପଡ଼ିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପହଞ୍ଚି ପ୍ରାଥମିକ ସହାୟତା ପ୍ରଦାନ କରିବା ସହ ପିଙ୍କିଙ୍କ ଚିକିତ୍ସା ବ୍ୟବସ୍ଥା ଏବଂ ଶିଶୁଙ୍କ ଭବିଷ୍ୟତ ଦିଗରେ ପ୍ରଶାସନ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପରେ ପିଙ୍କି ଦୁଇ ପିଲାଙ୍କୁ ଧରି ବାପଘର ରସୁଲପୁର ବ୍ଲକ୍ ଶ୍ରୀବନ୍ତପୁର ଗ୍ରାମରେ ଯାଇ ରହୁଥିଲେ। ତେବେ କ୍ୟାନସରରେ ପୀଡ଼ିତା ପିଙ୍କି କଟକ ମେଡିକାଲରେ କେମୋ ନେବାକୁ ୧୨ ଦିନ ତଳେ ଯାଇଥିବା ବେଳେ ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଆଡ଼କୁ ଗତି କରିଥିଲା। ଆଜି କେମୋ ନେବା ପରେ ପିଙ୍କିଙ୍କ ମୃତ୍ୟୁ ଘଟିଥିବା ତାଙ୍କ ଭାଇ ଦୋଳଗୋବିନ୍ଦ ତରାଇ ପ୍ରକାଶ କରିଛନ୍ତି।

ବାପଘର ଲୋ‌କେ ପିଙ୍କିର ଶବକୁ ଆଣି ଗାଁରେ ସତ୍କାର କରିଥିଲେ। ମା’ଙ୍କ ମୃତ୍ୟୁ ପରେ ୬ ବର୍ଷର ପୁଅ ବୁବୁନ ଏବଂ ୮ ମାସର ଝିଅ ପୂଜା ଅନାଥ ହୋଇପଡ଼ିଛନ୍ତି। ଯଦିଓ ଉଭୟ ଅଜାଘରେ ଅଛନ୍ତି କିନ୍ତୁ ସେମାନଙ୍କ ଭବିଷ୍ୟତ ପାଇଁ ପ୍ରଶାସନ ପଦକ୍ଷେପ ନେବା ଦରକାର ହୋଇପଡ଼ିଛି। ତୁରନ୍ତ ଅନାଥ ଦୁଇଶିଶୁଙ୍କୁ ଶିଶୁ ସୁରକ୍ଷା ବିଭାଗ ନିଜ ହେପାଜତକୁ ନେଇ ଥଇଥାନ କରିବାକୁ ଦାବି ହେଉଛି। କରୋନାରେ ମୃତ ବାପାକୁ ମୁଖାଗ୍ନି ଦେଇଥିବା ପୁଅ ବୁବୁନ ଆଜି ମାଆକୁ ମୁଖାଗ୍ନି ଦେବା ବେଳେ ଶ୍ରୀବନ୍ତପୁରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର